ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ

ପୁରୀ : ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦିରେ ଏହା ଶେଷ ଦର୍ଶନ। ଜନ୍ମବେଦିରେ ଏ ବର୍ଷର ଶେଷ ଦର୍ଶନ ଦେଇମହାପ୍ରଭୁ ବାହୁଡ଼ା ଯାତ୍ରାରେ ବାହାରିବେ। ପ୍ରତିବର୍ଷ ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବାରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ। କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ବିନା ଭକ୍ତରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା ଦର୍ଶନ ନୀତିକୁ ରାତି ୧୦ଟା ଭିତରେ ଶେଷ କରି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ପ୍ରସ୍ତୁତି ପର୍ବ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ରାତି ୧୦ଟାରେ ପହୁଡ଼ ଆଳତି ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହୁଟ କଣ୍ଟ, ଚାରବନ୍ଧା, କୁସୁମିଲାଗି ନୀତି ଅନୁଷ୍ଠିତ ହେବ।

ନବମୀ ସନ୍ଧ୍ୟା ଦର୍ଶନ ସମ୍ପର୍କରେ ସ୍କନ୍ଧ ପୁରାଣରେ ବର୍ଣ୍ଣନା କରାଯାଇଛି। ତ୍ରିକାଳରେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ, ତାହା ଗୋଟିଏ ଦିନ ଅର୍ଥାତ୍ ନବମୀ ସନ୍ଧ୍ୟା ଦର୍ଶନରୁ ମିଳିଥାଏ। କିନ୍ତୁ ଚଳିତବର୍ଷ ଏହି ଦର୍ଶନରୁ ଭକ୍ତ ବଞ୍ଚିତ ହୋଇଛନ୍ତି।

ଅନ୍ୟପଟେ ସନ୍ଧ୍ୟା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ, ଆସନ୍ତାକାଲି ଭୋର ୪ଟାରେ ଦ୍ୱାରଫିଟା, ସାଢ଼େ ୪ଟାରେ ମଙ୍ଗଳ ଆଳତି, ୫ଟାରେ ମଇଲମ ଓ ତଡ଼ପଲାଗି, ସକାଳ ୬ଟାରେ ଅବକାଶ, ସକାଳ ୬ଟା ୧୫ରେ ରୋଷହୋମ, ସାଢ଼େ ୬ଟାରେ ସୂର୍ଯ୍ୟପୂଜା, ୬ଟା ୪୫ରେ ଦ୍ୱାରପାଳ ପୂଜା, ୭ଟାରେ ବେଶ ଶେଷ, ସାଢ଼େ ୭ଟାରେ ଗୋପାଳବଲ୍ଲଭ ନୀତି ସମ୍ପନ୍ନ ହେବ। ସକାଳ ୮ଟାରୁ ସାଢ଼େ ୯ଟା ସକାଳ ଧୂପ, ସାଢ଼େ ୮ରୁ ସାଢ଼େ ୧୦ଟା ଭିତରେ ଭୋଗମଣ୍ଡପ, ୮ଟା ୧୫ରେ ମଇଲମ, ୯ଟାରେ ଯାତ୍ରାଙ୍ଗୀ ମହାସ୍ନାନ, ସାଢ଼େ ୯ଟାରେ ସର୍ବାଙ୍ଗ ଚନ୍ଦନ, ପୂର୍ବାହ୍‌ଣ୧୦ଟା ୧୫ରେ ନୂଆଲୁଗା ଲାଗି ବେଶ, ୧୦ଟା ୪୫ରେ ମଇଲମ, ସାଢ଼େ ୧୧ଟାରେ ଯାତ୍ରାଙ୍ଗୀ ମହାସ୍ନାନ, ମଧ୍ୟାହ୍ନ ୧୨ଟାରେ ସର୍ବାଙ୍ଗ, ଅପରାହ୍ଣ ୧ଟାରେ ନୂଆ ଲୁଗା ଲାଗି ଓ ବେଶ, ସାଢ଼େ ଗୋଟାଏରୁ ୩ଟା ଭିତରେ ମଧ୍ୟାହ୍ନ ଧୂପ, ୨ଟାରୁ ସାଢ଼େ ୩ଟା ଭିତରେ ଦ୍ବିତୀୟ ଭୋଗମଣ୍ଡପ, ୩ଟା ୪୫ରୁ ୪ଟା ୪୦ ଭିତରେ ମଇଲମ ଓ ବେଶ, ୫ଟାରେ ସନ୍ଧ୍ୟା ଆଳତି, ସାଢ଼େ ୫ଟାରୁ ୭ଟା ସନ୍ଧ୍ୟା ଧୂପ, ୫ଟା ୪୫ରୁ ସାଢ଼େ ୭ଟା ଭିତରେ ତୃତୀୟ ଭୋଗମଣ୍ଡପ ପରେ ରାତି ୮ଟାରେ ରାହାସକୁ ଦିଅଁ ବିଜେ କରିବେ। ୮ଟା ୧୫ରେ ମଇଲମ, ସାଢ଼େ ୮ଟାରେ ଚନ୍ଦନଲାଗି, ୯ଟାରେ ବଡ଼ସିଂହାର ବେଶ, ସାଢ଼େ ୯ଟାରେ ବଡ଼ସିଂହାର ଭୋଗ ପରେ ରାତି ୧୦ଟାରେ ପହୁଡ଼ ଆଳତି ଅନୁଷ୍ଠିତ ହେବ। ରାତି ୧୦ଟା ୧୫ରେ ଶ୍ରୀମୁଖ ଖଣ୍ଡୁଆ, ସାଢ଼େ ୧୦ଟାରେ ବାହୁଟକଣ୍ଟ, ରାତି ୧୧ରୁ ୨ଟା ଚାରବନ୍ଧା, ରାତି ସାଢ଼େ ୨ଟାରୁ ସାଢ଼େ ୩ଟାରେ ଭିତରେ କୁସୁମିଲାଗି ନୀତି ସମ୍ପନ୍ନ ହେବ। ଆସନ୍ତା ଜୁଲାଇ ୨୦ ତାରିଖରେ ବାହୁଡ଼ା ନୀତି ଶେଷ ପରେ ମଧ୍ୟାହ୍ନ ୧୨ଟାରେ ରଥଟଣା ଆରମ୍ଭ ହେବ। ଏହିଦିନ ହରିଶୟନ ଏକାଦଶୀ ନୀତି ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ବାହୁଡ଼ା ଯାତ୍ରା ପରେ ଜୁଲାଇ ୨୧ରେ ସୁନାବେଶ ଓ ଗରୁଡ଼ଶୟନ ନୀତି, ଜୁଲାଇ ୨୨ରେ ରଥ ଉପରେ ଅଧରପଣା ନୀତି, ଜୁଲାଇ ୨୩ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର