ବିଧାନସଭାରେ ବାଲି ଝଡ, ଅସନ୍ତୋଷ ଝାଡ଼ିଲେ ସଦସ୍ୟ : ତୁରନ୍ତ ବାଲି ନୀତି ପ୍ରଣୟନ କର: ବାଚସ୍ପତି

ଭୁବନେଶ୍ବର : ୩ ବର୍ଷ ହେଲାଣି ସରକାର ବାଲି ନୀତି ପ୍ରସ୍ତୁତ କରିପାରିନାହାନ୍ତି। ଏବେ ରାଜ୍ୟରୁ ପ୍ରତିଦିନ ଶହ ଶହ ବାଲି ଟ୍ରକ୍‌ ବାହାର ରାଜ୍ୟକୁ ଚାଲାଣ ହେଉଛି। ବାଲି ମାଫିଆ ଟ୍ରକ୍‌ ପିଛା ୧୫ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି। କିନ୍ତୁ ସରକାର କେବଳ ବାଲିଘାଟ ନିଲାମ କରି କାମ ସାରିଦେଉଛନ୍ତି। ବାଲି ନିଲାମ କରୁନାହାନ୍ତି। ବାଲି ନିଲାମ କଲେ ସରକାର ବର୍ଷକୁ ୫ ହଜାର କୋଟି ଟଙ୍କାର ରାଜସ୍ବ ପାଆନ୍ତେ। ବାଲି ଚୋରାଚାଲାଣ ରୋକିବାକୁ ଆଜି ପ୍ରଶ୍ନକାଳରେ ରାଜସ୍ବମନ୍ତ୍ରୀଙ୍କୁ ବିରୋଧୀ ଏପରି ପ୍ରଶ୍ନ କରିଥିଲେ। ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଥିଲେ, ସରକାର ବାଲି ଘାଟ ନିଲାମ କରନ୍ତି। କିନ୍ତୁ ବାଲି ନିଲାମ କରନ୍ତି ନାହିଁ କି ଟ୍ରକ୍‌ ପିଛା ମୂଲ୍ୟ ନିର୍ଦ୍ଧାରଣ କରିବା ବ୍ୟବସ୍ଥା ନାହିଁ। ଓଡ଼ିଶା ବାଲି ନୀତି କାର୍ଯ୍ୟକାରୀ କରିବା ପାଇଁ ୨୦୧୮ ଏପ୍ରିଲ ୧୧ ତାରିଖରେ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଏହାର ଚିଠା ପ୍ରସ୍ତୁତି ହୋଇଥିଲେ ବି ଏ ପର୍ଯ୍ୟନ୍ତ ତର୍ଜମା କରାଯାଉଛି। ଖୁବଶୀଘ୍ର ସରକାର ସ୍ବତନ୍ତ୍ର ବାଲି ନୀତି ପ୍ରଣୟନ କରିବେ। ମନ୍ତ୍ରୀଙ୍କ ଉତ୍ତରରେ ବିରୋଧୀ ସନ୍ତୁଷ୍ଟ ହୋଇଥିଲେ। କିନ୍ତୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ବାଲି ଚୋରାଚାଲାଣ ହେଉଥିବା ନେଇ ଉଦବେଗ ପ୍ରକାଶ କରିଥିଲେ। ରୁଲିଂ ଦେଇ କହିଥିଲେ, କାହିଁକି ଏତେଦିନ ହେଲାଣି ବାଲି ନୀତି ଚୂଡ଼ାନ୍ତ ହୋଇପାରିନି? କଣ ପାଇଁ ଏତେଦିନ ଲାଗୁଛି? ପ୍ରାୟ ୫୦ରୁ ୬୦ ସଦସ୍ୟ ରାଜ୍ୟରେ ବ୍ୟାପକ ବାଲି ଚୋରାଚାଲାଣ ହେଉ​ଥିବା ନେଇ ପ୍ରଶ୍ନ କରିଛନ୍ତି। ତୁରନ୍ତ ପ୍ରସ୍ତୁତ ହୋଇଥିବା ଚିଠାକୁ ଚୂଡ଼ାନ୍ତ କରି ସ୍ବତନ୍ତ୍ର ନୀତି ପ୍ରଣୟନ କରିବାକୁ ଶ୍ରୀ ପାତ୍ର ରାଜସ୍ବ ମନ୍ତ୍ରୀ ଶ୍ରୀ ମାର୍ଣ୍ଡିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ପ୍ରସଙ୍ଗରେ ମୂଳ ପ୍ରଶ୍ନ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଥିଲେ, ସ୍ବତନ୍ତ୍ର ବାଲି ନୀତି ପ୍ରଣୟନ ପାଇଁ ୨୦୧୮ରୁ ତତ୍କାଳୀନ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। କିନ୍ତୁ ଆଜି ଯାଏ ସେ ନୀତି ଆସିପାରିଲା ନାହିଁ। ବାଲି ଚୋରାଚାଲାଣ ରୋକିବାକୁ ମନ୍ତ୍ରୀ କେତେଥର ବୈଠକ ନେଇଛନ୍ତି। ଆଉ କଣ ଏ ସମ୍ପର୍କରେ ଆଲୋଚନା ହୋଇଛି ଜଣାନ୍ତୁ। ବାଲି ଘାଟ ନିଲାମଧାରୀ କେତେ ବାଲି ଉଠାଇଲେ ସେ ନେଇ ସରକାରଙ୍କର କୌଣସି ନିୟନ୍ତ୍ରଣ ରହୁନି। ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ରୋକିବାକୁ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ରାଜସ୍ବ ବିଭାଗ ଅଧୀନରେ ଖୋଲାଗଲା। କିନ୍ତୁ ସ୍ବତନ୍ତ୍ର ନୀତି ଅଭାବରୁ ବାଲି ମାଫିଆମାନେ ବେଧଡ଼କ ବାହାର ରାଜ୍ୟକୁ ଚୋରାଚାଲାଣ କରିଚାଲିଛନ୍ତି। ସେମାନଙ୍କ ଉପରେ ଅଙ୍କୁଶ ଲଗାଇବାକୁ ସରକାର କୌଣସି ଆନ୍ତରିକତା ଦେଖାଉନାହାନ୍ତି। ଉତ୍ତରରେ ମନ୍ତ୍ରୀ କହିଥିଲେ ରାଜ୍ୟରେ ଏଯାବତ ବାଲି ବ୍ୟବହାରର ବାର୍ଷିକ ଚାହିଦା ଆକଳନ କରାଯିବାର ବ୍ୟବସ୍ଥା କରାଯାଇ ନାହିଁ। ଯଦିଓ ଚିଠା ବାଲି ନୀତିରେ ଏଭଳି ବ୍ୟବସ୍ଥା ସ୍ଥାନିତ କରାଯାଇଛି। ଜିଲ୍ଲା କାର୍ଯ୍ୟାଳୟମାନଙ୍କରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ୨୦୧୫-୧୬ରୁ ୨୦୨୦-୨୧ ବର୍ଷ ମଧ୍ୟରେ ଯେତେ ବାଲି ଉତ୍ତୋଳନ ହୋଇଛି ତାର ତାଲିକା ମନ୍ତ୍ରୀ ପ୍ରଦାନ କରିଥିଲେ। ଏହାସହିତ ସେ କହିଥିଲେ, ରାଜ୍ୟର ୫ଟି ମହାନଗର ଅଞ୍ଚଳରେ ସରକାରୀ କାର୍ଯ୍ୟରେ ବ୍ୟବହୃତ ବାଲିର ଟନ୍‌ ପିଛା ମୂଲ୍ୟ ନିର୍ଦ୍ଧାରଣ କରାଯାଇନାହିଁ। ଖାଲିସେତିକି ନୁହେଁ, ବିଭିନ୍ନ ମହାନଗର ଅଞ୍ଚଳରେ ସରକାରୀ ନିର୍ମାଣ କାର୍ଯ୍ୟ ନିମନ୍ତେ ଉପଲବ୍ଧ ବାଲିର ମୂଲ୍ୟ ନିର୍ଦ୍ଦିଷ୍ଟ ଭାବେ ଆକଳନ କରାଯାଇନଥିବା ମନ୍ତ୍ରୀ କହିଥିଲେ।

ଅତିରିକ୍ତ ପ୍ରଶ୍ନ ଉଠାଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, କୋରାପୁଟ ଓ ଗଞ୍ଜାମ ଜିଲ୍ଲାରୁ ଦୈନିକ ଶହ ଶହ ବାଲି ଟ୍ରକ୍‌ ଆନ୍ଧ୍ରକୁ ଯାଉଛି। ବାଲିଘାଟରେ କେତେ ବାଲି ଅଛି ତାକୁ ଆକଳନ କରି ସରକାର ନିଲାମ କରୁନାହାନ୍ତି। ଯେତିକ ଅବଧି ପାଇଁ ନିଲାମ ଦିଆଯାଉଛି ସେ ଅବଧି ପରେ ବି ବର୍ଷସାରା ନିଲାମଧାରୀ ବାଲି ଉଠାଉଛନ୍ତି। ମନଇଚ୍ଛା ଟ୍ରକ୍‌ ପିଛା ଦର ନେଉଛନ୍ତି। ଗୋଟିଏ ଟ୍ରକ୍‌ ବାଲି କିଣିବାକୁ ଲୋକଙ୍କୁ ୧୫ ହଜାର ଟଙ୍କା ଦେବାକୁ ପଡ଼ୁଛି। ଗୋଟିଏ ଗରିବ ଲୋକ ଯଦି ଆବାସ ଯୋଜନାରେ ଘର ତିଆରି କରୁଛି ତାହେଲେ ବାଲି କିଣିବାରେ ତାର ସବୁ ପଇସା ଚାଲିଯାଉଛି। ସରକାର କାହିଁକି ବାଲିର ମୂଲ୍ୟ ନିର୍ଦ୍ଧାରଣ କରୁନାହାନ୍ତି। ବାଲି ନିଲାମଧାରୀଙ୍କ ଉପରେ ଅଙ୍କୁଶ ନ ଲଗାଇ ବାଲି ବୋଝେଇ କରି ନେଉଥିବା ଟ୍ରାକ୍ଟର ଯଦି ପାଲ ଘୋଡ଼ାଇ ନଥିବା ତାହେଲେ ତାକୁ ୬୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଉଛି। ଏହା ଅତ୍ୟନ୍ତ ଅନ୍ୟାୟ। ସେହିପରି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ପୋତିବା ପାଇଁ ଉଦ୍ଦିଷ୍ଟ ନିକୃଷ୍ଟ ବାଲିର ନିଲାମ କରିବାକୁ ଦାବି କରିଥିଲେ। ଆନ୍ଧ୍ର, ପଶ୍ଚିମବଙ୍ଗର ମାଫିଆମାନେ ଓଡ଼ିଶାରୁ କିପରି ବାଲି ଚୋରାଚାଲାଣ କରୁଛନ୍ତି ସେ ନେଇ ଗୃହରେ ଅତିରିକ୍ତ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ। ବଲାଙ୍ଗୀରର ବଙ୍ଗୋମୁଣ୍ଡାରେ ବ୍ୟାପକ ବାଲି ଚୋରାଚାଲାଣ ହେଉଥିବା ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର