ଗଜପତିର ଲୁକ୍କାୟିତ ପ୍ରତିଭା ଅନ୍ବେଷଣ କରିବ ସଂଗୀତ କଳା ଏକାଡେମୀ

ପାରଳାଖେମୁଣ୍ତି : ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ଭାବେ ଡ.ଚିତ୍ତରଞ୍ଜନ ସାହାଣୀ ମନୋନୀତ ହୋଇଛନ୍ତି। ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ଭାବେ ମନୋନୀତ ହେବା ପରେ ସେ ଗଜପତି ଜିଲ୍ଲାର ଲୋପ ପାଇ ଯାଉଥିବା କଳାର ବିକାଶ ପାଇଁ ଉଦ୍ୟମ କରିବୁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଜିଲ୍ଲାରେ ଥିବା ଭୂତକେଳି, ଲାଞ୍ଜିଆସଉରା ନୃତ୍ୟ, ଆଦିବାସୀ ନୃତ୍ୟ ଓ ଭକ୍ତପ୍ରହଲ୍ଲାଦ ଭଳି ଲୋକନୃତ୍ୟ ଲୋକପ୍ରିୟ ଥିବା ବେଳେ ଏହି କଳାଗୁଡ଼ିକ ଏବେ ଲୋପ ପାଇବା ଅବସ୍ଥାକୁ ଚାଲିଆସିଲାଣି। ପାରଳାଖେମୁଣ୍ତିର କ୍ରିଏଟିଭ୍‌ ଆର୍ଟସ୍‌, ଡ୍ରାମା କ୍ଷେତ୍ରରେ ଅନେକ ସୁନାମ ରାଜ୍ୟ ଏବ˚ ରାଜ୍ୟ ବାହାରେ ପାଇପାରିଥିବା ବେଳେ ସଂଗୀତ ନାଟକ ଏକାଡେମୀର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ପାଇପାରୁନାହାନ୍ତି । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକୁ ଏକାଡେମୀ ସହ ପଞ୍ଜୀକରଣ କରାଯାଇ ପାରିଲେ ଏଠାକାର କଳାକାରମାନେ ନିୟମିତ ଭାବେ ରାଜ୍ୟ ଏବ˚ ରାଜ୍ୟ ବାହାରକୁ କଳା ପ୍ରଦର୍ଶନ ପାଇଁ ଯିବାର ସୁଯୋଗ ପାଇବେ। ଏଠାକାର ପୁରାତନ ଲୋକନୃତ୍ୟକୁ ସାମାନ୍ୟ ପରିବର୍ତ୍ତନ କରି ଆଧୁନିକ ନୃତ୍ୟର ମାନ୍ୟତା ଦେଇ ବହୁ କଳାସଂସ୍ଥା ଏବ˚ ସାଂସ୍କୃତିକ ସଂଗଠନ କଳାକାରମାନଙ୍କୁ ମଣ୍ତପରେ ପ୍ରଦର୍ଶନ ପାଇଁ ସଂଗୀତ କଳା ଏକାଡେମୀ ସୁଯୋଗ ଦେଇଛି ବୋଲି କହିଛନ୍ତି।

ସାମ୍ବାଦିକ ସମ୍ମିଳନୀ ବେଳେ ଉପସ୍ଥିତ ଥିବା ଡ.ତିରୁପତି ପାଣିଗ୍ରାହୀ କହିଥିଲେ, ଗଜପତି ଜିଲ୍ଲାର ବିଭିନ୍ନ କଳାକାରଙ୍କୁ ରାଷ୍ଟ୍ରୀୟ ଏବ˚ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସୁଯୋଗ ଦେବା ପାଇଁ ଏକ ପ୍ରୟାସ ଆରମ୍ଭ ହୋଇଛି। ସଂଗୀତ କଳା ଏକାଡେମୀ ଉକ୍ତ ପ୍ରୟାସରେ ସହଯୋଗୀ ହେବ ବୋଲି ତାଙ୍କର ବିଶ୍ବାସ ରହିଛି। ଏହାସହ ପ୍ରତିବର୍ଷ ଖ୍ରୀଷ୍ଟମାସ, ତେଲୁଗୁ ନୂଆବର୍ଷ ଏବଂ କୁମାରପୂର୍ଣ୍ଣିମା ଦିନ ହାଇଟେକ୍ ପ୍ଲାଜା ପରିସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ହାଇଟେକ୍ ଗ୍ରୁପ ସହଯୋଗ କରିବ ବୋଲି ସୂଚନା ଦେଇଛନ୍ତି। ପେସାରେ ଜଣେ ଓଡ଼ିଆ ପ୍ରାଧ୍ୟାପକ ଡ.ସାହାଣୀ ପିଲା ଦିନରୁ ଓଡ଼ିଶୀ ଓ ସଖୀ ନୃତ୍ୟପାଇଁ ଆଗ୍ରହ ରଖି ଆସିଛନ୍ତି। ବିଭିନ୍ନ ଦେଶ ପରିଦର୍ଶନ କରି ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟ କଳାକାର ଭାବେ ଅନେକ ଉପାଧି ପାଇଛନ୍ତି।

ସମ୍ବନ୍ଧିତ ଖବର