‘ହାର୍ଟ ଟ୍ରାନ୍ସପ୍ଲାଣ୍ଟ’ ପାଇଁ ବେଙ୍ଗାଲୁରୁ ଯିବେ ସଙ୍ଗୀତା, ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

କଟକ : କଟକ ଜିଲ୍ଲାର ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗାଁର ରଞ୍ଜନ ବେହେରାଙ୍କ ୧୩ ବର୍ଷର ଝିଅ ସଙ୍ଗୀତା। ଏଭଳି ବୟସରେ ସେ ଖେଳକୁଦ କରି ବୁଲିବା କଥା। କିନ୍ତୁ ଜନ୍ମରୁ ହୃଦ୍‌ରୋଗ ଜନିତ ସମସ୍ୟା ଥିବାରୁ ତାଙ୍କର ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏହା ପୁଣି ଏସ୍‌ସିବିରେ ସମ୍ଭବ ନୁହେଁ। କେଉଁଠୁ ଆଣିବେ ଟଙ୍କା? କିଏ ଦେବ ହାର୍ଟ? ଏଭଳି ଚିନ୍ତାରେ ସନ୍ତୁଳିତ ହୋଇ ପରିବାର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ପାଖରେ ପହଞ୍ଚିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ସଙ୍ଗୀତାଙ୍କୁ ପଠାଯିବ ବେଙ୍ଗାଲୁରୁ ସ୍ଥିତ ନାରାୟଣ ଦୃଦୟାଳୟକୁ। ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ଜଗାବଳିଆଙ୍କ ପରେ ସଙ୍ଗୀତାଙ୍କ ସଫଳ ଅସ୍ତ୍ରୋପଚାର ପାଇଁ ଏନ୍‌ଆରଏଚ୍‌ଏମ୍‌ ପକ୍ଷରୁ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ। ତେବେ ସଙ୍ଗୀତାଙ୍କୁ କେବେ ପଠାଯିବ ବେଙ୍ଗାଲୁରୁ, ସେନେଇ ତାରିଖ ଧାର୍ଯ୍ୟ ହୋଇ ନାହିଁ। ଖୁବଶୀଘ୍ର ତାଙ୍କୁ ବେଙ୍ଗାଲୁରୁ ନିଆଯିବ ବୋଲି ଏସ୍‌ସିବିର ବାଲ୍‌ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମ୍ୟାନେଜର ସତ୍ୟ ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି।

ଖବରଟି ଏହିପରି। ସଙ୍ଗୀତାଙ୍କର ଜନ୍ମରୁ ହୃଦ୍‌ରୋଗ ଜନିତ ସମସ୍ୟା ରହିଛି। ଏବେ କିଛି ଦିନ ହେଲା ତାଙ୍କ ଅବସ୍ଥା ଗୁରୁତର ହେବାରୁ ବାପ-ମା’ ତାଙ୍କୁ ଆଣିଥିଲେ ଚିକିତ୍ସା ପାଇଁ କଟକ ବଡମେଡିକାଲକୁ। ଚିକିତ୍ସା ପରେ ଡାକ୍ତର ‘ହାର୍ଟ ଟ୍ରାନ୍ସପ୍ଲାଣ୍ଟ’ ହିଁ ସଙ୍ଗୀତାଙ୍କ ପାଇଁ ବିକଳ୍ପ ବୋଲି ସଚେତନ କରିଥିଲେ। ଏଭଳି ଜଣେ ଶିଶୁଙ୍କ ‘ହାର୍ଟ ଟ୍ରାନ୍ସପ୍ଲାଣ୍ଟ’ କଟକ ବଡମେଡିକାଲରେ ସମ୍ଭବ ନୁହେଁ ବୋଲି ଡାକ୍ତର ସିଧା କହିବା ପରେ ଚିନ୍ତାରେ ପଡିଥିଲେ ପୂରା ପରିବାର। କେଉଁଠୁ ଆଣିବେ ଅର୍ଥ, ତାଙ୍କ ଝିଅକୁ ବଂଚିବାକୁ କିଏ ଦେବ ହାର୍ଟ ? କେମିତି ବଂଚାଇବେ ଝିଅକୁ? ଏନେଇ ଚିନ୍ତାରେ ଘାରି ହେଉଥିଲେ ପୂରା ପରିବାର।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଏନ୍‌ଆରଏଚ୍‌ଏମ୍‌ ପକ୍ଷରୁ ସଙ୍ଗୀତାଙ୍କ ପାଇଁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ଏସ୍‌ସିବିର କାଡିଓଥୋରୋସିସ୍‌ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ କୁମାର ପଟ୍ଟନାୟକ, କାଡିଓଲୋଜି ବିଭାଗର ପ୍ରଫେସର ଡାକ୍ତର ସତ୍ୟ ରାଉତ୍‌ରାୟ ସଂଗୀତାଙ୍କ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ବେଙ୍ଗାଲୁରସ୍ଥିତ ନାରାୟଣ ଦୃଦୟାଳୟକୁ ନେବା ପାଇଁ ରେଫର କରିଛନ୍ତି। ଏନେଇ ରାଷ୍ଟ୍ରୀୟ ବାଲ୍‌ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ ଏନ୍‌ଆରଏଚ୍‌ଏମ୍‌ ପକ୍ଷରୁ ଆଜି ଚିକିତ୍ସା ପାଇଁ ବେଙ୍ଗାଲୁରୁ ନେବା ପାଇଁ ସମସ୍ତ ଆବଶ୍ୟକ କାଗଜପତ୍ର କରାଯାଇଥିବା ଏସସିବିର ଆରବିଏସ୍‌କେ ମ୍ୟାନେଜର ସତ୍ୟ ନାରାୟଣ ତ୍ରିପାଠୀ ଓ ସିଡିଏମ୍‌ଓ ଅଫିସ୍‌ର ଦୀପ୍ତିରଞ୍ଜନ ଦାସ ରାଜ୍ୟ କାର୍ଯ୍ୟାଳୟକୁ ପଠାଇଛନ୍ତି।

ସମ୍ବନ୍ଧିତ ଖବର