ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ସାନଘାଗରା ନେଚର କ୍ୟାମ୍ପ

କେନ୍ଦୁଝର: ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍‌ଡିସି) ଦ୍ୱାରା ପରିଚାଳିତ ସାନଘାଗରା ନେଚର୍ କ୍ୟାମ୍ପରେ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନା କଟକଣା ଯୋଗୁଁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳକୁ ପର୍ଯ୍ୟଟକଙ୍କ ଆସିବା ବନ୍ଦ ଥିଲା। ଏବେ କଟକଣା ହଟିବା ପରେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ କେନ୍ଦୁଝର ଆସୁଛନ୍ତି।

ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୬ କିଲୋମିଟର ଦୂର ଅଞ୍ଜରଠାରେ ଜାତୀୟ ରାଜପଥ ୪୯ ପାର୍ଶ୍ବରେ ୨.୫ ହେକ୍ଟର ଜଙ୍ଗଲ ଭିତରେ ସାନଘାଗରା ଇକୋ ଟୁରିଜିମ କମ୍ପ୍ଲେକ୍ସ ଅବସ୍ଥିତ। କଟେଜ ଏବଂ ଡର୍ମିଟୋରି କାନ୍ଥରେ ଟେରାକୋଟା ଚିତ୍ର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ସାନଘାଗରା ଜଳପ୍ରପାତଠାରୁ ୧୦୦ ମିଟରେ ଦୂରରେ ଶାଳ ଜଙ୍ଗଲ ଭିତରେ ମାଛକାନ୍ଦଣା ନାଳକଡ଼ରେ ଥିବା ନେଚର କ୍ୟାମ୍ପରେ ରହଣି ପାଇଁ ବୁକିଂ ବଢ଼ିବାରେ ଲାଗିଛି। ଏଠାରେ ପର୍ଯ୍ୟଟକଙ୍କ ରହଣି, ରୋଷେଇ, ସଫାସୁତୁରା ଏବଂ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବାପାଇଁ ଆମ୍ବଡହରା ବନ ସୁରକ୍ଷା ସମିତିକୁ ଦାୟିତ୍ୱ ଦିଆଯାଇଛି। ଏହି ନେଚର୍ କ୍ୟାମ୍ପ ସ୍ଥାନୀୟ ଅଞ୍ଚଳର ୧୫ଜଣ ଯୁବକଯୁବତୀଙ୍କୁ ରୋଜଗାର ଦେଇଛି। ୨୦୧୭ରୁ ଆରମ୍ଭ ହୋଇଥିବା ନେଚର କ୍ୟାମ୍ପରେ ପ୍ରକୃତିପ୍ରେମୀଙ୍କ ପାଇଁ ସମସ୍ତ ସୁବିଧା ରହିଛି। ନଭେମ୍ବର ୧ ତାରିଖଠାରୁ ଏହାର ବୁକିଂ ଆରମ୍ଭ ହୋଇଛି। ପଥୁରିବାଡ଼ି ସାହିର ଇକୋ ଟୁରିଜିମ ମେମ୍ବର ଅଛନ୍ତି ଅର୍ଜୁନ ମୁଣ୍ଡା। ସେ ଅନ୍ୟ ସଦସ୍ୟଙ୍କ ସହ ମିଶି ପର୍ଯ୍ୟଟକଙ୍କୁ ସହଯୋଗ କରୁଛନ୍ତି।

ଏଠାରୁ ମିଳୁଥିବା ରାଜସ୍ୱରୁ ୩୫ ପ୍ରତିଶତ ଦରମା ବାବଦରେ ଖର୍ଚ୍ଚ ହେଉଛି। ୧୦ ପ୍ରତିଶତ ଗାଁର ବିକାଶ, ୨୫ ପ୍ରତିଶତ ପର୍ଯ୍ୟଟକଙ୍କ ଖାଇବା, ଇଲେକ୍ଟ୍ରି ବିଲ୍‌, ଗ୍ୟାସ ବାବଦକୁ ୧୦ ପ୍ରତିଶତ ପର୍ଯ୍ୟଟନସ୍ଥଳର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ହେଉଛି। ଆବଶ୍ୟକତା ଅନୁଯାୟୀ ନିଯୁକ୍ତି ସଂଖ୍ୟା ବଢ଼ାଇବାକୁ ଟୁରିଜିମ ମେମ୍ବର ଅର୍ଜୁନ ମୁଣ୍ଡା କହିଛନ୍ତି। ନଭେମ୍ବର ୧ରୁ ବୁକିଂ ଆରମ୍ଭ ହେବା ପରେ ପ୍ରତ୍ୟେକ ଦିନ ୧୦ଟି କଟେଜ ଏବଂ ୬ଟି ଡର୍ମିଟୋରି ବୁକିଂ ରହୁଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଟ୍ରାକିଂ, ଫିସିଂ, ସାଇକେଲିଂ, ବ୍ୟାଡମିଣ୍ଟନ ଖେଳିବା ପାଇଁ ବ୍ୟବସ୍ଥା, ଶିଶୁଙ୍କ ପାଇଁ ବିଭିନ୍ନ ଖେଳର ବ୍ୟବସ୍ଥା ରହିଛି। ପର୍ଯ୍ୟଟକମାନେ ଚାହିଁଲେ ନିକଟସ୍ଥ ଗାଁକୁ ଯାଇ ଆଦିବାସୀ ନୃତ୍ୟଗୀତର ମଜା ନେଇପାରିବେ। ଏଥିପାଇଁ ତାଙ୍କୁ ଅଲଗା ଦେୟ ଦେବାକୁ ପଡ଼ିବ ବୋଲି ଶ୍ରୀ ମୁଣ୍ଡା କହିଛନ୍ତି। ସେହିପରି ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ବଡ଼ଘାଗରା, ଗୋନାସିକା, ଖଣ୍ଡାଧାର ଓ କାଞ୍ଜିପାଣି ଘାଟି ଆଦି ସ୍ଥାନ ବୁଲିବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର