ସମ୍ବଲପୁର: ସମ୍ବଲପୁର ଦିନେ କଂଗ୍ରେସର ଗଡ଼ ଥିଲା। ଉଭୟ ଲୋକସଭା ଓ ବିଧାନସଭାରୁ କଂଗ୍ରେସ ପ୍ରାର୍ଥୀ କ୍ରମାଗତ ଜିତି ଆସୁଥିଲେ। ହେଲେ ଜିଲ୍ଲାରେ କଂଗ୍ରେସର ସ୍ଥିତି ଦୋହଲିଯାଇଛି। ୨୦୦୯ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନ ସହିତ ଜିଲ୍ଲାର ୪ଟି ବିଧାନସଭା ଆସନ ମଧ୍ୟରୁ ‌ଗୋଟିଏ ଆସନ ରେଂଗାଲିରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ। ମାତ୍ର ଗତ ୨ଟି ନିର୍ବାଚନରେ ସମ୍ବଲପୁର ଲୋକସଭା କିମ୍ବା ଜିଲ୍ଲାର ୪ଟି ବିଧାନସଭା ମଧ୍ୟରୁ ଗୋଟିଏରେ ବି କଂଗ୍ରେସ ଖାତା ଖୋଲି ପାରିନାହିଁ। ସମ୍ବଲପୁର ଜିଲ୍ଲା ପରି‌ଷଦ ନିର୍ବାଚନରେ ବି କଂ‌ଗ୍ରେସ ସ୍ଥିତି ଦୟନୀୟ।

Advertisment

ଚଳିତ ବର୍ଷ ପ୍ରାରମ୍ଭରେ ଆସଫ୍‌ ଅଲ୍ଲୀ ଖାନ କଂଗ୍ରେସର ଜିଲ୍ଲା ସଭାପତି ଦାୟିତ୍ବ ନେବା ପରେ ଦଳୀୟ ସଂଗଠନ ସୁଦୃଢ଼ କରିବାକୁ ପ୍ରୟାସ କରିଥିଲେ। ମାତ୍ର, ଜିଲ୍ଲା କଂଗ୍ରେସ କମିଟି ଘୋଷଣା ପୂର୍ବରୁ ସେ ଆଶ୍ଚର୍ଯ୍ୟଜନକ ଭାବେ ନିଜ ଆଡ଼ୁ ପଦ ଛାଡ଼ି ଚାଲିଗଲେ। ବହୁ ଦିନ ପର୍ଯ୍ୟନ୍ତ ଝୁଲି ରହିବା ପରେ ପ୍ରାୟ ଅଢ଼େଇ ମାସ ତଳେ ତାଙ୍କ ଇସ୍ତଫା ଗୃହୀତ ହୋଇଥିଲା। ଦଳର ଜଣେ ମହିଳା ନେତ୍ରୀ ଆସଫ୍‌ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ଆତ୍ମହତ୍ୟା ଉଦ୍ୟମ କରିବା ପରେ ପୁଲିସ ଆସଫ୍‌ଙ୍କୁ ଗିରଫ କରିଛି। ଜାମିନ ନମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଦଳର ରାଜ୍ୟ ସଂଖ୍ୟାଲଘୁ ସେଲ୍‌ର ଏକ ଗୁରୁତ୍ବପୂର୍ଣ୍ଣ ପଦରେ ଥିବା ଏହି ନେତ୍ରୀଜଣକ ଫିନାଇଲ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ସେ ଆସଫ ଏବଂ ତାଙ୍କ ସ୍ବାମୀ ଆକ୍ରମ ଖାନ୍‌ଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ପୁଲିସ ପାଖକୁ ତାହା ପଠାଇଥିଲେ। ସମ୍ବଲପୁର ଟାଉନ ଥାନା ପୁଲିସ ଶୁକ୍ରବାର ଆସଫ୍‌ ଏବଂ ଶନିବାର ନେତ୍ରୀଙ୍କ ସ୍ବାମୀ ଆକ୍ରମ ଖାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପଟେ ଆସଫ୍‌ ତାଙ୍କ ପ୍ରତିକ୍ରିୟାରେ ନେତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହିତ ଏହି ନେତ୍ରୀଙ୍କ ପାଇଁ ତାଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ପଦ ଛାଡ଼ିବାକୁ ପଡ଼ିଥିଲା ବୋଲି କହିଥିଲେ। ସଂପୃକ୍ତ ନେତ୍ରୀଙ୍କୁ ନିକଟରେ କୌଣସି କାରଣରୁ ତାଙ୍କ ପଦରୁ ବିଦା କରାଯାଇଥିବା ନୂଆ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ କହିଛନ୍ତି।

ସଂଖ୍ୟାଲଘୁ ସେଲ୍‌ର ଏହି ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମର ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ୧୫ ତାରିଖ ରାତିରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା ମହିଳା କଂଗ୍ରେସର ନେତ୍ରୀମାନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ସ୍ଥିତି ଏମିତି ହୋଇଥିଲା ଯେ ୧୬ ତାରିଖ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସୁତାପା ଅନ୍ୟ ଜଣେ ‌ନେତ୍ରୀଙ୍କ ସ୍ବାମୀଙ୍କ ସମେତ ୩ ନେତ୍ରୀଙ୍କ ବିରୋଧରେ ଆକ୍ରମଣ, ଗାଳିଗୁଲଜ ଅଭିଯୋଗ ଆଣିଥିଲେ। ଏହି ତିନି ମହିଳାଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ଆସଫ୍‌ଙ୍କ ବିରୋଧରେ ଏତଲା ଦେଇଥିବା ସଂଖ୍ୟାଲଘୁ ମହିଳା ନେତ୍ରୀଙ୍କ ନାମ ବି ଅନ୍ତର୍ଭୁକ୍ତ। କେବଳ ସେତିକି ନୁହେଁ, ସେମାନଙ୍କୁ ଏହି ଆକ୍ରମଣ ପାଇଁ ଉସୁକାଇବା ଅଭିଯୋଗରେ ଘଟଣା ସମୟରେ ଉପସ୍ଥିତ ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁ ଏବଂ ତାଙ୍କ ପୁତୁରା ଅମିତ ଗୁରୁଙ୍କ ବିରୋଧରେ ବି ଟାଉନ ଥାନାରେ ସୁତାପା ଏତଲା ଦେଇଥିଲେ। ଅବଶ୍ୟ, ସେମାନେ ସମସ୍ତେ ବି ଏସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ। ତେବେ, ପ୍ରଦେଶ କଂଗ୍ରେସ କମିଟି ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇଛି। ୨ ଜଣ ବରିଷ୍ଠ ନେତାଙ୍କ ସହିତ ୭ ଜଣିଆ ସତ୍ୟ ଅନୁସନ୍ଧାନକାରୀ ଦଳ ସମ୍ବଲପୁର ଆସି ତଥ୍ୟ ସଂଗ୍ରହ କରି ଫେରିଛନ୍ତି।

ଦଳରେ ଏଭଳି ବିବାଦୀୟ ସ୍ଥିତି ଲାଗି ରହିଥିବା ବେଳେ ଅଢ଼େଇ ମାସ ତଳେ ଦାୟିତ୍ବ ନେଇଥିବା ନୂଆ ଜିଲ୍ଲା କଂଗ୍ରେସ ସଭାପତି ରାଜେନ୍ଦ୍ର ଛତ୍ରିଆ ତାଙ୍କ ନୂଆ ଟିମ୍ ଘୋଷଣା କରିପାରିନାହାନ୍ତି। ଏ ସଂକ୍ରାନ୍ତରେ ଶ୍ରୀ ଛତ୍ରିଆଙ୍କୁ ପଚାରିବାରୁ ସେ ଜିଲ୍ଲା ଟିମ୍‌ର ତାଲିକା ପଠାଇ ସାରିଥିବା ‌ବେଳେ କେବଳ ଦୁଇ ଟାଉନ ସଭାପତି ପଦ ପାଇଁ ଏହା ଅଟକି ରହିଛି। ତ‌େବେ, କମିଟି ଶୀଘ୍ର ଘୋଷଣା ହୋଇଯିବ ବୋଲି ସେ କହିଛନ୍ତି।