ସାନିଟାରି ନାପ୍‌କିନ୍‌ ଟେଣ୍ଡର ନେଇ ବିବାଦ

ଭୁବନେଶ୍ୱର : ମାସିକ ଋତୁଚକ୍ର ସମୟରେ ଛାତ୍ରୀମାନଙ୍କୁ ସ୍ୱାସ୍ଥ୍ୟକର ଓ ପରିଚ୍ଛନ୍ନ ପରିବେଶ ଯୋଗାଇବା ପାଇଁ ରାଜ୍ୟ ସରକାର ସବୁ ସ୍କୁଲ୍‌ରେ ସାନିଟାରି ନାପ୍‌କିନ୍‌ ମାଗଣାରେ ବଣ୍ଟନ ନେଇ ଘୋଷଣା କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ମେଡିକାଲ୍‌ କର୍ପୋରେସନ୍‌କୁ ନାପ୍‌କିନ୍‌ କିଣିବା ଦାୟିତ୍ୱ ଦିଆଯାଇଛି। କର୍ପୋରେସନ୍‌ ପକ୍ଷରୁ ଏଥି ପାଇଁ ଟେଣ୍ଡର ଆହ୍ଵାନ କରାଯାଇଥିଲା। କିନ୍ତୁ ଏହି ଟେଣ୍ଡର୍‌କୁ ନେଇ ବିବାଦ ଉପୁଜିଛି। ଟେଣ୍ଡର୍‌ର ସମୟସୀମା କମ୍‌ ରଖାଯାଇଥିବାର ଅଭିଯୋଗ ହୋଇଛି। ଯଦିଓ ଏହାକୁ ଇ-ଟେଣ୍ଡର୍‌ କରାଯାଇଥିଲା, ତେବେ ରାଜ୍ୟର ପ୍ରମୁଖ ଗଣମାଧ୍ୟମରେ ଟେଣ୍ଡର୍‌ ପ୍ରକାଶ ପାଇ ନ ଥିବାରୁ ବହୁ ସଂସ୍ଥା ଜାଣିବାର ସୁଯୋଗ ପାଇ ନ ଥିଲେ। ଫଳରେ ମାତ୍ର ୫ ଜଣ ବ୍ୟବସାୟୀ ଏଥି ପାଇଁ ଆବେଦନ କରିଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଯଦି ପ୍ରମୁଖ ଗଣମାଧ୍ୟମରେ ଟେଣ୍ଡର୍‌ ପ୍ରକାଶ ପାଇଥା’ନ୍ତା, ତେବେ ନିଶ୍ଚିତ ଭାବେ ଅଧିକ ସଂସ୍ଥା ଓ ବ୍ୟକ୍ତି ଆବେଦନ କରିବାକୁ ସୁଯୋଗ ପାଇଥା’ନ୍ତେ। ସରକାର ମଧ୍ୟ ଉଚିତ ଦରରେ ଗୁଣାତ୍ମକ ନାପ୍‌କିନ୍‌ ପାଇପାରିଥା’ନ୍ତେ। ତେଣୁ କାହା ସ୍ୱାର୍ଥକୁ ଦୃଷ୍ଟିରେ ରଖି ମେଡିକାଲ୍‌ କର୍ପୋରେସନ୍‌ ପକ୍ଷରୁ ଏପରି ତରବରିଆ ନିଷ୍ପତ୍ତି ନିଆଗଲା ବୋଲି ବ୍ୟବସାୟୀମାନେ ପ୍ରଶ୍ନ ଉଠାଉଛନ୍ତି। ତୁରନ୍ତ ଟେଣ୍ଡର୍‌ ବାତିଲ୍‌ କରି ସାନି ଟେଣ୍ଡର୍‌ ଡକାଇବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର