କଦଳୀଗଛ ତନ୍ତୁରୁ ପ୍ରସ୍ତୁତ କରାଯିବ ସାନିଟାରି ପ୍ୟାଡ୍‌

ଅନୁଗୁଳ: କଦଳୀଗଛ ତନ୍ତୁରୁ ମହିଳାଙ୍କ ପାଇଁ ପ୍ରସ୍ତୁତ ହେବ ସାନିଟାରି ପ୍ୟାଡ୍‌। ଏଥିନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ଏହା ମହିଳାଙ୍କୁ ସୁସ୍ଥ ରଖିବା ସହ ସ୍ବାବଲମ୍ବୀ କରିପାରିବ। ଏହାସହିତ ପରିବେଶ ସୁରକ୍ଷାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଅନୁଗୁଳ ଜନ ଶିକ୍ଷଣ ସଂସ୍ଥାନ ଦ୍ୱାରା ସୌକ୍ଷମ ଅଭିଯାନ ମାଧ୍ୟମରେ ଏହା ଆରମ୍ଭ ହୋଇଥିଲା ବେଳେ ଖୁବ୍‌ଶୀଘ୍ର ଏ ସଂପର୍କରେ ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଜଣେ ମହିଳା ଜୀବନ କାଳରେ ଋତୁସ୍ରାବ ବେଳେ ହାରାହାରି ୧୦-୧୫ ହଜାରର ସାନିଟାରି ପ୍ୟାଡ୍‌ର ବ୍ୟବହାର କରନ୍ତି। ଏକ ସୌକ୍ଷମ ପୁନଃବ୍ୟବହୃତ ପ୍ୟାଡ୍‌ ବହୁଳ ଭାବରେ ବ୍ୟବହାର କରିବା ସହ ଏହାକୁ ବିଭିନ୍ନ ଏସ୍ଏଚ୍‌ଜି ଗ୍ରୁପ ଦ୍ୱାରା ପ୍ରସ୍ତୁତ କରି ସ୍ୱାବଲମ୍ବୀ କରିବାପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି।

ଅନୁଗୁଳ ଜିଲ୍ଲାରେ ବନ୍ତଳା, ଛେଣ୍ଡିପଦା, ପାଳଲହଡ଼ା, ଆଠମଲ୍ଲିକ ଆଦି ଅଞ୍ଚଳରେ ବହୁଳ ଭାବରେ କଦଳୀ ଚାଷ ହେଉ ଥିବାରୁ ପ୍ରଥମ ପର୍ଯ୍ୟାୟରେ ଏହାର ପ୍ରସ୍ତୁତି ଓ ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଛି। ଜନ ଶିକ୍ଷଣ ସଂସ୍ଥାନ ମାଧ୍ୟମରେ ପ୍ରଶିକ୍ଷଣ ନେଉଥିବା ମହିଳାମାନଙ୍କୁ କିପରି କଦଳୀ ଗଛର ତନ୍ତୁ ବାହାର କରି ସିଲାଇ କରି ସ୍ୱାବଲମ୍ବୀ ହୋଇପାରିବେ, ସେ ଦିଗରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ। ସୌକ୍ଷମ ପୁନଃବ୍ୟବହୃତ ସାନିଟାରି ପ୍ୟାଡ୍‌ ଅତିଶୀଘ୍ର ଅନୁଗୁଳ ଜନ ଶିକ୍ଷଣ ସଂସ୍ଥାନ ମୁଖ୍ୟ କାର୍ଯ୍ୟାଳୟରେ ଉପଲବ୍ଧ ହେବା ସହ ଜିଲ୍ଲାର ବିଭିନ୍ନ ଉପକେନ୍ଦ୍ର ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକରେ ଦିଆଯିବାର ଲକ୍ଷ୍ୟ ରଖାଯାଇଛି।
ଛେଳିଆପଡ଼ା ଗାଁ ଏବଂ ଦୟାନନ୍ଦ ମିସନ୍‌ ଜାଗୃତି ମହିଳା ଆବାସିକ କେନ୍ଦ୍ରରେ ସୌକ୍ଷମ ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରବୀଣ ବିଷ୍ଠି, ଓଡ଼ିଶା ରାଜ୍ୟ ନିର୍ଦ୍ଦେଶକ ଦେବଦତ୍ତ ପଟ୍ଟନାୟକ, ଅନୁଗୁଳ ଜନ ଶିକ୍ଷଣ ସଂସ୍ଥାନ ନିର୍ଦ୍ଦେଶକ ସୌରୀ ରଞ୍ଜନ ପଣ୍ଡା ଏହାର ଉପକାରିତା ସମ୍ପର୍କରେ ଆଲୋଚନା କରିଥିବା ବେଳେ ଜିଲ୍ଲ‌ା ଶିଶୁ ମଙ୍ଗଳ କମିଟି ଜିଲା ସଂଯୋଜକ କଲ୍ୟାଣ କିଶୋର ମହାନ୍ତି, ଜାଗୃତି ମହିଳା ଆବାସିକ କେନ୍ଦ୍ରର ତତ୍ତ୍ୱବଧାରିକା ସୁଶ୍ରୀ ସଂଗୀତା ମହାନ୍ତି, ଜେଏସ୍ଏସ୍‌ର କାଯ୍ୟକ୍ରମ ଅଧିକାରୀ ସ୍ୱାତୀ ସାମଲ, ସହ କାର୍ଯ୍ୟକ୍ରମ ଅଧିକାରୀ ବିଶ୍ୱଜିତ୍ ନାୟକ କାଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର