ଭୁବନେଶ୍ବର: ପରିମଳ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସହରକୁ ନିରନ୍ତର ଭାବରେ ପରିଚ୍ଛନ୍ନ ରଖୁଥିବା ପରିମଳ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ପରିମଳ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ୧୦ଲକ୍ଷ ଟଙ୍କାର ଜୀବନ ବୀମା, କର୍ମ କ୍ଷେତ୍ରରେ ଜୀବନହାନି ପାଇଁ ୩୦ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ। ଏହାସହ ପରିମଳ କର୍ମୀଙ୍କୁ ମୋବାଇଲ୍‌ ଫୋନ୍, ପ୍ରଧାନମନ୍ତ୍ରୀ ଆବାସ(ସହରୀ) ଯୋଜନାରେ ବାସଗୃହ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଲୋକସେବା ଭବନ କନ୍‌ଭେନ୍‌ସନ ସେଣ୍ଟରରେ ଆୟୋଜିତ ୨ଦିନିଆ ଜାତୀୟ କର୍ମଶାଳାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ‘ଗରିମା’ ଯୋଜନା ପରିମଳ କର୍ମଚାରୀଙ୍କ ସୁରକ୍ଷା, ମର୍ଯ୍ୟାଦା ଓ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରୁଛି। ପରିମଳ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ଅଗଷ୍ଟ ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ ୧୫ ଦିନିଆ ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ କରାଯିବ।

Advertisment

ସ୍ବାଧୀନତା ଦିବସରୁ ୧୫ଦିନ ପାଇଁ ସଚେତନତା

ପ୍ରତିବର୍ଷ ଓଡ଼ିଶାରେ ଏ ସମ୍ପର୍କିତ ଜାତୀୟ କର୍ମଶାଳା ଆୟୋଜନ କରାଯିବ। ‘ଗରିମା’ ଯୋଜନାରେ ପରିମଳ କର୍ମୀଙ୍କୁ ଚିହ୍ନଟ ଓ ପରିଚୟ ପ୍ରଦାନ, ସୁରକ୍ଷା ଉପକରଣ ପ୍ରଦାନ, ଦକ୍ଷତା ବିକାଶ, ଆପାତକାଳୀନ ପରିମଳ ସେବା ୟୁନିଟ ସ୍ଥାପନ, ସାମାଜିକ ସୁରକ୍ଷା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଉଛି। ରାଜ୍ୟର ୧୧୫ଟି ସହରର ୧୦ ହଜାରରୁ ଅଧିକ ପରିମଳ କର୍ମଚାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ କୁଶଳୀ ଓ ଅତିକୁଶଳୀ କର୍ମଚାରୀ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରିମଳ କାର୍ଯ୍ୟ ସମ୍ପର୍କିତ ଆଧୁନିକ ଉପକରଣ ଓ ସୁରକ୍ଷା ଉପକରଣର ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବା ସହ ବୁଲି ଦେଖିଥିଲେ। ପ୍ରମୁଖ ପରିମଳ କର୍ମୀମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ, ପରିମଳ କର୍ମଚାରୀମାନେ ହେଉଛନ୍ତି ସହରର ଓ ଗ୍ରାମର ଅଦୃଶ୍ୟ ନାୟକ। ଅଧିକାଂଶ ସମୟରେ ସେମାନେ ଅତ୍ୟନ୍ତ ବିପଦପୂର୍ଣ୍ଣ ପରିସ୍ଥିତିରେ କାର୍ଯ୍ୟ କରୁଛନ୍ତି। ତେଣୁ ସେମାନଙ୍କ ଅଧିକାର, ସୁରକ୍ଷା ଓ ସମ୍ମାନକୁ ସୁନିଶ୍ଚିତ କରିବା ସମସ୍ତଙ୍କର ଦାୟିତ୍ୱ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଲେ, ପରିମଳ କ୍ଷେତ୍ରରେ ଆଜି ଓଡ଼ିଶାର ଦେଶରେ ନାଁ ଅଛି। 
କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀରଣ ମନ୍ତ୍ରାଳୟର ସଚିବ ଅମିତ ଯାଦବ କହିଲେ, ଓଡ଼ିଶା ସରକାର ପରିମଳ କର୍ମଚାରୀଙ୍କ କଲ୍ୟାଣ ପ୍ରତି ପ୍ରତିବଦ୍ଧ ଅଛନ୍ତି। ଅର୍ବାନ ମ୍ୟାନେଜମେଣ୍ଟ ସେଣ୍ଟର ପ୍ରତିଷ୍ଠାତା ନିର୍ଦ୍ଦେଶକ ମନ୍ୱିତା ବରାଡ଼ି କହିଥିଲେ, ଓଡିଶା ସରକାରଙ୍କ ‘ଗରିମା’ ଯୋଜନାକୁ ଦେଶର ଅନ୍ୟ ରାଜ୍ୟମାନେ ଅନୁସରଣ କରୁଛନ୍ତି। ପ୍ରାରମ୍ଭରେ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ସ୍ବାଗତ ଭାଷଣ ଓ ଅତିରିକ୍ତ ସଚିବ ଦୁର୍ଗେଶ ନନ୍ଦିନୀ ସାହୁ ଧନ୍ୟବାଦ ଦେଇଥିଲେ।