ଗିରଫ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ପରେ ପୁରୀ କୁମ୍ଭାରପଡ଼ା ଥାନା କର୍ମଚାରୀଙ୍କ ନମୁନା ପରୀକ୍ଷା ଲାଗି ପଠାଗଲା

ପୁରୀ: ଗିରଫ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ପରେ ପୁରୀ କୁମ୍ଭାରପଡ଼ା ଥାନା ଅଧିକାରୀଙ୍କ ସମେତ ପ୍ରାୟ ୩୦ ଜଣ କର୍ମଚାରୀଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି | ମିଳିଥିବା ସୂଚନା ମୁତାବକ ଛିନତାଇ ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା | ଏହି ଯୁବକ ପୁରୀ ନରେନ୍ଦ୍ରକୋଣ ଅଂଚଳର ହୋଇଥିବାବେଳେ ତିନିଦିନ ତଳେ ପୁଲିସ ତାଙ୍କୁ ଗିରଫ କରିଥିଲା | ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ କୋଭିଡ ଟେଷ୍ଟ ପରେ ତାଙ୍କୁ ଜେଲକୁ ପଠାଯିବ |

ଏହି କ୍ରମରେ ଅଭିଯୁକ୍ତଙ୍କର କୋଭିଡ ଟେଷ୍ଟ କରାଯାଇଥିଲା | କୋଭିଡ ଟେଷ୍ଟ ପରେ ଅଭିଯୁକ୍ତଙ୍କୁ ଗତକାଲି କୋର୍ଟ ଚାଲାଣ କରାଯାଇଥିଲା | ଆଜି ଅଭିଯୁକ୍ତଙ୍କର ରିପୋର୍ଟ ଆସିଥିଲା | ରିପୋର୍ଟରେ ଅଭିଯୁକ୍ତଙ୍କର କରୋନା ପଜିଟିଭ ବୋଲି ଜଣାପଡିବା ପରେ ଜେଲରେ ଅଭିଯୁକ୍ତଙ୍କୁ ଅଲଗା କୋଠରୀରେ ରଖାଯାଇଥିବା ବେଳେ ଅନ୍ୟପଟେ କୁମ୍ଭାରପଡ଼ା ଥାନାରେ ଅଭିଯୁକ୍ତ ତିନିଦିନ ଥିବାରୁ ଥାନାକୁ ଏବେ ଦମକଳ ବାହିନୀ ପକ୍ଷରୁ ସାନିଟାଇଜ କରାଯାଉଛି | ତେବେ ଥାନା କର୍ମଚାରୀମାନେ ଉକ୍ତ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ପ୍ରାୟ ୩୦ ଜଣ କର୍ମଚାରୀଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି |

ସମ୍ବନ୍ଧିତ ଖବର