ପ୍ରଥମ ଥର ପାଇଁ ଯାଜପୁର ବସଷ୍ଟାଣ୍ଡରେ ଆରମ୍ଭ ହେଲା ସାନିଟାଇଜେସନ୍‌

ଯାଜପୁର: କରୋନା ସଂକ୍ରମଣ ଯୋଗୁଁ ସମସ୍ତେ ଭୟଭୀତ ଥିବା ବେଳେ ପରିସ୍କାର ରହିବା ପାଇଁ ସମସ୍ତଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରଥମ ଥର ଯାଜପୁର ଘରୋଇ ବସଷ୍ଟାଣ୍ଡରେ ସାନିଟାଜେସନ ବ୍ୟବସ୍ଥା ହାତକୁ ନିଆଯାଇଛି। ଓଡ଼ିଶାରେ କରୋନା ମୁକାବିଲା କରିବା ପାଇଁ ଏପରି ବ୍ୟବସ୍ଥା ଗ୍ରହଣ କରାଯାଇଥିବା କୁହାଯାଉଛି।

ରାଜ୍ୟର ପ୍ରଥମ ଘରୋଇ ବସଷ୍ଟାଣ୍ଡ ଭାବେ ଆଜି ସକାଳୁ ଏଠାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଯାଉଥିବା ସବୁ ବସକୁ ସାନିଟାଇଜେସନ କରାଯିବା ସହ ଯାତ୍ରୀମାନଙ୍କୁ ମଧ୍ୟ ସାନିଟାଇଜ୍‌ କରାଯାଇଛି । ଏହି ପ୍ରକ୍ରିୟା ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏଥିପାଇଁ ମା’ବିରଜା ଟ୍ରେଡର୍ସ ପକ୍ଷରୁ ଏକ ସ୍ୱତନ୍ତ୍ର ୫ ଜଣିଆ ଟିମ୍‌ ଆସି କାର୍ଯ୍ୟରେ ଲାଗିଛନ୍ତି । ଏଥିସହ ଛୋଟବଡ଼ ଯାତ୍ରୀବାହୀ ଗାଡ଼ିଗୁଡିକୁ ମଧ୍ୟ ସାନିଟାଇଜେସନ୍‌ କରିବା ସହ ଯାତ୍ରୀମାନଙ୍କୁ ବାରମ୍ବାର ହାତ ଧୋଇବାକୁ ସୂଚନା ଦିଆଯିବା ସହ ଏହି କାର୍ଯ୍ୟକ୍ରମକୁ ରାଜ୍ୟର ସମସ୍ତ ବସ ଷ୍ଟାଣ୍ଡରେ କାର୍ଯ୍ୟକାରୀ କରିବାକୁ  ଅନୁରୋଧ କରାଯାଉଛି।

ଏହାପୂର୍ବରୁ ଯାଜପୁରରେ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଥିବା ମହାବାରୁଣୀ ସ୍ନାନ ଯାତ୍ରାକୁ ପ୍ରଶାସନ ରଦ୍ଦ କରିଛି । ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ପ୍ରଶାସନ ଜାରି କରିଥିବା ବେଳେ ସମଗ୍ର ଜିଲ୍ଲାରେ ମଧ୍ୟ ଏହି ୧୪୪ ଧାରା ବଳବତ୍ତର ରହିଛି। ନିୟମ ଉଲଂଘନ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସେହିପରି ଯାଜପୁରରେ ମା’ ବିରଜାଙ୍କ ମନ୍ଦିର ରହିଥିବାରୁ ଦୈନିକ ବିଭିନ୍ନ ରାଜ୍ୟରୁ ବହୁ ସଂଖ୍ୟାକ ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ ବିରଜା ମନ୍ଦିରକୁ ଆସୁଥିବା ସମସ୍ତ ବାହାର ରାଜ୍ୟର ପର୍ଯ୍ୟଟକ ଗାଡ଼ିକୁ କୁଆଖିଆ ଠାରୁ ଫେରାଇ ଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର