ନବୀନ: ରାଜନୈତିକ, ପ୍ରଶାସନିକ ସଫଳତାର ଅନନ୍ୟ ଉଦାହରଣ

ସଂଜୟ ଦାସବର୍ମା1

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ଓଡ଼ିଶାର ସାମାଜିକ ଓ ରାଜନୈତିକ ଜନଜୀବନରେ ଏକ ଶୂନ୍ୟତା ସୃଷ୍ଟି ହୋଇଥିଲା। ସେ ସ୍ଥାନ ପୂରଣ କରିବାକୁ ସେତେବେଳେ କେହି ଦିଶୁ ନଥିଲେ। ବିଶେଷକରି ଅଣକଂଗ୍ରେସ ରାଜନୈତିକ କ୍ଷେତ୍ରଟି ମୁରବୀଶୂନ୍ୟ ହେଲାଭଳି ଲାଗୁଥିଲା। ଏହି ସମୟରେ ସେହି କ୍ଷେତ୍ରଟିର ଅବକ୍ଷୟ ରୋକିବାକୁ ନବୀନ ପଟ୍ଟନାୟକଙ୍କୁ ଆମନ୍ତ୍ରଣ କରାଗଲା। ବିଜୁବାବୁଙ୍କ ଦାୟାଦ ପରିଚୟ ହିଁ ତାଙ୍କର ଏକମାତ୍ର ଆଧାର ଥିଲା। ରାଜନୀତି ପ୍ରତି ଉଦାସୀନ ଓ ଓଡ଼ିଶାର ରାଜନୈତିକ ପରିମଣ୍ଡଳ ସମ୍ପର୍କରେ ସମ୍ପୂର୍ଣ୍ଣ ଅପରିଚିତ ନବୀନବାବୁଙ୍କ ରାଜନୈତିକ ପ୍ରବେଶକୁ ପ୍ରାୟ ସମସ୍ତେ ଆସ୍ଥାୟୀ ବୋଲି ଆକଳନ କରିଥିଲେ। ନୂଆକରି ରାଜ୍ୟ ରାଜନୀତିରେ ପାଦ ଥାପିଥିବା ନବୀନବାବୁ ଯେ, ଜଟିଳ ଜଳବାୟୁରେ ଆଗକୁ ବଢ଼ିପାରିବେ, କେହି ଭାବି ପାରି ନଥିଲେ। ବିଜୁବାବୁଙ୍କ ଦେହାନ୍ତର ଦୁଇବର୍ଷ ପରେ ଆସିଲା ମହାବାତ୍ୟା ଏବଂ ଏହାର ପରିଚାଳନାଗତ ଅପାରଗତା ଶୂନ୍ୟସ୍ଥାନକୁ ଆହୁରି ଗଭୀର କରିଦେଲା। ନୂତନ ଶତାବ୍ଦୀର ନୂତନ ସୂର୍ଯ୍ୟୋଦୟ ଭାବରେ ଆବିର୍ଭାବ ହେଲେ ନବୀନ ପଟ୍ଟନାୟକ ଏବଂ ସେହି ଦିନଠୁ ସେ ଆହୁରି ଆହୁରି ଉଜ୍ଜ୍ବଳ ଉଠିଛନ୍ତି, ଯାହା ଆମ ସମୟର ଏକ ବିସ୍ମୟ।

ଓଡ଼ିଶାରେ ବହୁ ଆଞ୍ଚଳିକ ଦଳ ତିଆରି ହୋଇଛି। ରାଜେନ୍ଦ୍ର ନାରାୟଣ ସିଂହଦେଓ, ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନନ୍ଦିନୀ ଶତପଥୀଙ୍କ ଭଳି ତୁଙ୍ଗ ଓ ବିଚକ୍ଷଣ ‌ରାଜନେତାମାନେ ଏହାର ମଙ୍ଗ ଧରିଛନ୍ତି। ଏହିସବୁ ଦଳ ଅଳ୍ପକାଳ ଉଜ୍ଜ୍ବଳ ଉଲ୍‌କା ପରି ବିଲୁପ୍ତ ହୋଇଛି। ଏଭଳି ଏକ ରାଜନୈତିକ ତଥା ଐତିହାସିକ ପୃଷ୍ଠଭୂମି ଉପରେ ବିଜୁ ଜନତା ଦଳର ସ୍ଥାୟୀତ୍ବ ଗ୍ରହଣୀୟତା, ସଫଳତା ଓ କ୍ରମବ୍ରର୍ଦ୍ଧିଷ୍ଣୁ ଲୋକପ୍ରିୟତାର ମୁଖ୍ୟସ୍ଥପତି ହେଉଛନ୍ତି ନବୀନ ପଟ୍ଟନାୟକ। ବିଜୁ ଜନତା ଦଳର ସଫଳତା ଏବେ ଭାରତର ଅନ୍ୟ ରାଜନୈତିକ ଦଳ ପାଇଁ ଶିକ୍ଷଣୀୟ। ବିରୋଧିଦଳଗୁଡ଼ିକ ମଧ୍ୟ ମୁକ୍ତ କଣ୍ଠରେ ଏହା ସ୍ବୀକାର କରିଛନ୍ତି। ଦୀର୍ଘ ୨୩ ବର୍ଷର ଯାତ୍ରାରେ ଲହର ଆସିଛି, ଅନେକ ଅଙ୍କ କଷା ଯାଇଛି, ଅନେକ ସୂତ୍ର ପ୍ରୟୋଗ କରାଯାଇଛି। କିନ୍ତୁ ବିଜେଡିର ସରଳ ଓ ସାବଲୀଳ ଯାତ୍ରାକୁ କେହି ଅଟକାଇପାରିନି। ଅନେକ ସମୟରେ ବିରୋଧୀ ଦଳ ଅସ୍ତ୍ର ତ୍ୟାଗ କରି ମଇଦାନରୁ ପଳାୟନ କରିବା ଅବସ୍ଥାକୁ ଆସିଯାଇଛନ୍ତି।

ନବୀନ ପଟ୍ଟନାୟକ ବୋଧେ ସେହି ନେତା ଯାହାକୁ ଓଡ଼ିଶା ଅପେକ୍ଷା କରିଥିଲା। ନବୀନବାବୁ ଯେତେବେଳେ ଓଡ଼ିଶାର ଦାୟିତ୍ବ ନେଲେ, ଏହା କେବଳ ଦାୟିତ୍ବ ନଥିଲା; ଥିଲା ଏକ ବଡ଼ ବୋଝ। ରାଜକୋଷ ଖାଲି, ଋଣ ବୋଝରେ, ରାଜ୍ୟ ମହାବାତ୍ୟା ଅର୍ଦ୍ଧେକ ଓଡ଼ିଶାର ଅଣ୍ଟା ଭାଙ୍ଗି ଦେଇଛି। ଦାରିଦ୍ର୍ୟ ଓଡ଼ିଶାର ପରିଚୟ ପାଲଟିଥିଲା, ଅସଜଡ଼ା ପ୍ରଶାସନ, ଦିଶାହୀନ ଶାସନ ଆଦି ବୋଝକୁ କେମିତି ସମ୍ଭାଳିବେ ନବୀନ, ଏଭଳି ଅନେକ ଅସ୍ବସ୍ତିକର ପ୍ରଶ୍ନ ଥିଲା ଲୋକମାନଙ୍କ ମନରେ। ଜଣେ ଅନଭିଜ୍ଞ, ନବାଗତ ଓ ରାଜନୀତିର ଗ୍ରିନ ହର୍ଣ୍ଣରୁ ପ୍ରତିଟି ପଦକ୍ଷେପକୁ ସାରା ଓଡ଼ିଶା ଆଗ୍ରହ, ଉତ୍କଣ୍ଠା ଓ କୌତୁହଳରେ ଅନେଇ ରହିଥିଲା। ଜଣେ ଦେବଦୂତ ପରି ‌ସେ ଅସଜଡା ଓଡ଼ିଶାକୁ ନିରବରେ ସଜାଡିବାକୁ ଲାଗିଲେ ଏବଂ କ୍ରମେ କ୍ରମେ ଲୋକମାନଙ୍କର ବିଶ୍ବାସଭାଜନ ହୋଇ ପାରିଲେ ଏବଂ ଏବର ଓଡ଼ିଶା, ଯାହା ସର୍ବଭାରତୀୟ ପ୍ରେକ୍ଷାପଟରେ ଏକ ସମ୍ମାନଜନକ ସ୍ଥାନର ଅଧିଷ୍ଠିତ, ତା’ର ରୂପକାର ହେଉଛନ୍ତି ନବୀନ। ସାଂପ୍ରତିକ ଓଡ଼ିଶାକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ। ନବୀନ ପୂର୍ବ ଓଡ଼ିଶା ‘ନବୀନଙ୍କ ସମୟର ଓଡ଼ିଶା’।

ପ୍ରାଚୁର୍ଯ୍ୟରେ ପରିଚାଳିତ ନବୀନଙ୍କ ଭୂମିଲଗ୍ନ ପର୍ବ ବେଶ୍‌ ଲକ୍ଷଣୀୟ। ସରଳ ଜୀବନ ଓ ଉଚ୍ଚ ଚିନ୍ତନ ହୋଇଛି ତାଙ୍କର ଆଦର୍ଶ। ବେଶଭୂଷା ଓ ଜୀବନଶୈଳୀରେ ସେ ଅତ୍ୟନ୍ତ ସରଳ। ଯାହାର ପ୍ରଶଂସାରେ ବିରୋଧୀମାନେ ମଧ୍ୟ ଶତମୁଖ। ସାଧାରଣତଃ ରାଜନେତାମାନଙ୍କଠାରୁ ଲୋକମାନେ ବାଗ୍ମିତା ଆଶା କରିଥାନ୍ତି। କିନ୍ତୁ ସେ କମ୍‌ କୁହନ୍ତି, ତାହା ପୁଣି ପରିଚ୍ଛନ୍ନ, ପ୍ରାଞ୍ଜଳ ଓ ପ୍ରାୟତଃ ପୂର୍ବ ପ୍ରସ୍ତୁତ। ଅଯଥାରେ ସେ କେବେ ବି ପାଟି ଖସେଇ ବିବାଦକୁ ବରଣ କରିନାହାନ୍ତି। ମୋଟ୍‌ ଉପରେ ସେ କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି। ସେ ସିନା ବିଶେଷ ପାଟି ଖୋଲନ୍ତି ନାହିଁ, କିନ୍ତୁ ତାଙ୍କର କାର୍ଯ୍ୟ, ଓଡ଼ିଶାରେ ନୁହେଁ, ସାରା ଦେଶରେ ହୁରି ପକାଇଛି। ନିଜ ରାଜନୈତିକ କ୍ୟାରିୟରରେ ନବୀନ କେବେ ବି ବିରୋଧୀମାନଙ୍କ ପ୍ରତି କଟୁ ଶବ୍ଦ ପ୍ରୟୋଗ କରିନାହାନ୍ତି କି କେବେ ବି ବ୍ୟକ୍ତିଗତ ସ୍ତରକୁ ଆସିନାହାନ୍ତି। ଯେତେବେଳେ ଗାଳିମନ୍ଦ ଭର୍ତ୍ସନା ରାଜନୀତିର ନ୍ୟାୟୋଚିତ ପାଲଟିଛି, ଏଭଳି ସମୟରେ ଜଣେ ସଂଯତ ଓ ସଭ୍ୟ ରାଜନେତା ନିଶ୍ଚିତ ରୂପେ ବିରଳ। ନବୀନଙ୍କ ରାଜନୀତିର ପ୍ରମୁଖତା ହେଉଛି ବିକାଶ କୈନ୍ଦ୍ରିକ। ବିକାଶ ହିଁ ଏକମାତ୍ର କାର୍ଯ୍ୟସୂଚୀ ଏବଂ ଏହାକୁ ନେଇ ସେ ଲୋକମାନଙ୍କ ପାଖକୁ ଯାଇଛନ୍ତି। ଲୋକମାନଙ୍କର ସମର୍ଥନ ପାଇଛନ୍ତି। ସେ ବିକାଶ କେବଳ ଭୌତିକ ନୁହେଁ, ସେଥିରେ ସାଂସ୍କୃତିକ ଓ ଭାବଗତ ଉପାଦାନ ମଧ୍ୟ ପ୍ରଣିଧାନଯୋଗ୍ୟ।

ସଂପ୍ରତି ବିକାଶକୁ ମାପିବା ପାଇଁ ହାପିନେସ୍‌ ଇଂଡେକ୍ବର ପ୍ରୟୋଗ କରାଯାଇଛି। ଲୋକମାନଙ୍କର ଖୁସି ହିଁ ବିକାଶର ସର୍ବଶ୍ରେଷ୍ଠ ମାପଦଣ୍ଡ ଉପଲବ୍ଧି। ‘ଆପଣମାନେ ଖୁସି ତ’! ନବୀନଙ୍କ ପ୍ରଶ୍ନରେ ଲୋକମା‌ନଙ୍କର ଆବେଗଭରା ଉଚ୍ଛ୍ବସିତ ସ୍ବୀକାରୋକ୍ତି ହିଁ ନବୀନଙ୍କ ବିକାଶଧାରାକୁ ପ୍ରତିଫଳିତ କରୁଛି। ବିକାଶର ବିକଳ୍ପ ନାହିଁ ଏବଂ ଏହାକୁ ରାଜନୀତିରେ ଆକ୍ଷିକ ଓ ଆଙ୍ଗିକ ଭାବରେ ଯୋଡ଼ିବାରେ ପାରଦର୍ଶିତା ପାଇଁ ‌ସେ ପରିଚିତ ଓ ଚର୍ଚ୍ଚିତ। ଭାରତରେ ରାଜନୀତି ଅନେକ ସ୍ଥାନରେ ସଂକୀର୍ଣ୍ଣ ଚିନ୍ତାଧାରାକୁ ନେଇ ଚାଲୁଛି। ଜାତି, ଧର୍ମ, ବର୍ଣ୍ଣ ହୋଇଛି ଯାହାର ଆଧାର। ରାଜନୀତିରୁ ମୌଳିକ ତତ୍ତ୍ବ ଓ ଆଦର୍ଶକୁ ବିକଳାଙ୍ଗ କରୁଛି। ନବୀନ କିନ୍ତୁ ସେ ସବୁର ଊର୍ଦ୍ଧ୍ବରେ। ସେ କେବେ ବି ସଂକୀର୍ଣ୍ଣ ରାଜନୀତିକୁ ପ୍ରଶ୍ରୟ ଦେଇନାହାନ୍ତି। ଯାହାଫଳରେ ଓଡ଼ିଶାରେ ବିକାଶ ସପକ୍ଷରେ ଏକ ଅନୁକୂଳ ପରିବେଶ ନିର୍ମାଣ ହୋଇ ପାରିଛି। ଓଡ଼ିଶାରେ ‘ଆଇଡେଣ୍ଟିଟି ପଲିଟିକ୍ସ’ର ମୂଳୋତ୍ପାଟନ ଘଟିଛି। ଯେଉଁଥିପାଇଁ ଓଡ଼ିଶା ଏକ ମଡେଲ ରାଜ୍ୟ ଭାବେ ଦେଶରେ ଉଭା ହୋଇଛି। ନବୀନ ପଟ୍ଟନାୟକ ଏକ ଆଞ୍ଚଳିକ ଦଳର ନେତୃତ୍ବ ନେଉଛନ୍ତି। ଓଡ଼ିଶା ତାଙ୍କ ରାଜନୀତିର ଶୀର୍ଷକ। କିନ୍ତୁ ଅନେକ ଜାତୀୟ ପ୍ରସଙ୍ଗରେ ସେ ‌ନିଜସ୍ବ ମତ ଉପସ୍ଥାପନ କରି ଜଣେ ରାଷ୍ଟ୍ରନୀତିଜ୍ଞ ପରିଚୟ ଦେଇଛନ୍ତି। ଦେଶର ଅଖଣ୍ଡତା ସାର୍ବଭୌମ୍ୟତା ପ୍ରତି ଅଙ୍ଗୀକାର ତଥା ଜାତୀୟ ସ୍ବାର୍ଥ ପରିପ୍ରେକ୍ଷୀରେ ତାଙ୍କର ଦୂରଦୃଷ୍ଟିସଂପନ୍ନ ନିଷ୍ପତ୍ତି ଏକ ଆଞ୍ଚଳିକ ଦଳର ସଂଜ୍ଞା ସ୍ବରୂପରେ ବ୍ୟାପକତା ଆଣି ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକ ପାଇଁ ସେ ପଥପ୍ରଦର୍ଶକ ହୋଇଛନ୍ତି। ସମ୍ବିଧାନର ମୁଖବନ୍ଧରେ ‘ଅହିଂସାକୁ ସ୍ଥାନ ଦେବା, ସଂସଦ / ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ଆଦି ଦାବିକୁ ବ୍ୟାପକ ସମର୍ଥନ ମିଳିବାରେ ଲାଗିଛି।

ଓଡ଼ିଶା ହେଉଛି ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ। ବାତ୍ୟା, ବନ୍ୟା ଓ ମରୁଡି ରାଜ୍ୟର ଚିରସାଥୀ। ‌ଗୋଦରା କୋଡେ ଯେତେ ମାଡେ ସେତେ ଭଳି ଓଡ଼ିଶା ପାଦେ ଆଗେଇଲେ ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାକୁ ଦି’ପାଦ ‌ପଛକୁ ଠେଲିଦିଏ। କିନ୍ତୁ ନବୀନଙ୍କ ଅମଳରେ ତାହା ହୋଇନାହିଁ। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସମଗ୍ର ବିଶ୍ବରେ ଏକ ମଡେଲ ରାଜ୍ୟ ହୋଇ ପାରିଛି। କୌଣସି ପ୍ରାକୃତିକ ବିପର୍ଯ୍ୟୟରେ ଓଡ଼ିଶା ପଛକୁ ହଟିନି ବରଂ ଏହା ସତ୍ତ୍ବେ ଆଗେଇ ଚାଲିଛି। ଏହାର ସମମ୍ତ ଶ୍ରେୟ ନିଶ୍ଚିତ ରୂପେ ନବୀନ ପଟ୍ଟନାୟକଙ୍କର। ବିଜୁ ଜନତା ଦଳ ଆରମ୍ଭରୁ ଏଯାବତ ଅନେକ ଆହ୍ବାନର ସମ୍ମୁଖୀନ ହୋଇଛି। କେତେ ଷଡ୍‌ଯନ୍ତ୍ର, କେ‌ତେ ଚକ୍ରାନ୍ତ, କେତେ ବାଧାବିଘ୍ନ। ଉଲ୍ଲେଖନୀୟ କଥାଟି ହେଲା ଯେ ଦଳକୁ ଦୁର୍ବଳ କରିବା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଘଟଣା ପରେ ଦଳକୁ ଆହୁରି ସୁଶକ୍ତ ହୋଇଛି। ଏହା ହେଉଛି ନବୀନଙ୍କ ଦୃଢ଼ ନିଷ୍ପତ୍ତି ଓ ପରିପକ୍ବତା ପାଇଁ। ତାଙ୍କର ପ୍ରତିଟି ପଦକ୍ଷେପ ପଛରେ ଥିବା କାରଣ ପରେ ଫଳ ମାଧ୍ୟମରେ ପ୍ରକାଶିତ ହୁଏ। ସେ ଦୃଷ୍ଟିରୁ ସେ ସବୁବେଳେ ଚିନ୍ତା ଓ ଚେତନାରେ ଚଳନ୍ତି ସମୟଠୁ ଯଥେଷ୍ଟ ଆଗରେ। ସାରା ଦେଶରେ ସକାରାତ୍ମକ ଏବଂ ବିକାଶମୁଖୀ ରାଜନୀତିର ପ୍ରତିଶବ୍ଦ ହେଉଛନ୍ତି ନବୀନ। ଝଡ଼ ସବୁବେଳେ ଉଜାଡ଼ି ଦେଇଥାଏ, ହେଲେ ଓଡ଼ିଶା ଉପରେ ସମସ୍ତ ଝଡ଼ ତାଙ୍କ ସଶକ୍ତ ପରିଚାଳନା‌ର ପରିଚୟ ଦେଇଛି। ତେଣୁ ଏକ ଆଞ୍ଚଳିକ ଦଳର ନେତୃତ୍ବ ନେଇ ୨୩ ବର୍ଷ ସଫଳତାର ସହ ଦଳକୁ ଆଗେଇନେବା ସହ ପଞ୍ଚମଥର ରାଜ୍ୟ ଶାସନର ଭାରକୁ ତୁଲାଇ ଚାଲିଛନ୍ତି। ତେଣୁ ନବୀନ ପଟ୍ଟନାୟକ ବହୁ ରାଜନୈତିକ ଓ ପ୍ରଶାସନିକ ସଫଳତାର ଏକ ଅନନ୍ୟ ଉଦାହରଣ ପାଲଟିଛନ୍ତି।

ସମ୍ବନ୍ଧିତ ଖବର