ପୁରୀ: ଚିତ୍ତରଞ୍ଜନଙ୍କ ମୃତ୍ୟୁ ଘଟଣାକୁ ୧୦ ଦିନ ବିତିଥିଲେ ମଧ୍ୟ ରହସ୍ୟ ଘେରରେ ମୃତ୍ୟୁର କାରଣ। ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତକୁ ସପ୍ତାହେ ବିତିଥିଲେ ବି ମୃତ୍ୟୁର ଖିଅ ଖୋଜିବାରେ ବିଫଳ ହୋଇଛି କ୍ରାଇମ୍ବ୍ରାଞ୍ଚ ଟିମ୍। ଏଭଳି ସ୍ଥିତିରେ ପରିବାର ଲୋକେ କ୍ରାଇମ୍ବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା ଉପରେ ଅସନ୍ତୋଷ ଜାହିର୍ କରିଛନ୍ତି। ଚିତ୍ତରଞ୍ଜନଙ୍କ ବଡ଼ବାପା ପୂର୍ଣ୍ଣଚନ୍ଦ୍ର ପଲେଇ ଏଥିରେ ସଞ୍ଜୟ ଦାସବର୍ମାଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକ ଅରୁଣ ମିଶ୍ରଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ କରିଛନ୍ତି।
ସେ କହିଛନ୍ତି, ଯେହେତୁ ଅରୁଣ ସଞ୍ଜୟଙ୍କ ବ୍ୟକ୍ତିଗତ ସହାୟକ ଥିଲେ, ଇର୍ଷା ପରାୟଣ ହୋଇ ଚିତ୍ତରଞ୍ଜନଙ୍କ ଉପରେ ରାଗ ଶୁଝାଇବାକୁ ଯାଇ ଏଭଳି କରିଥାଇପାରନ୍ତି। ପୂର୍ବରୁ କ୍ରାଇମ୍ବ୍ରାଞ୍ଚ ଆଗରେ ଅରୁଣଙ୍କ ପ୍ରସଙ୍ଗ ଉଠାଇଥିଲେ ବି କାହିଁକି କ୍ରାଇମ୍ବ୍ରାଞ୍ଚ ତାଙ୍କୁ ତଦନ୍ତ ପରିସରଭୁକ୍ତ କରୁନି ବୋଲି ସେ ପ୍ରଶ୍ନ କରିଛନ୍ତି। ସେପଟେ ଆଜି ପୁଣି କ୍ରାଇମ୍ବ୍ରାଞ୍ଚ ଟିମ୍ ଜଗା, ଚର୍ଚ୍ଚାରେ ଥିବା ମହିଳା ଓ ତାଙ୍କ ସ୍ବାମୀଙ୍କୁ ନେଇ ଲାଏ ଡିଟେକ୍ସନ ପରୀକ୍ଷା କରାଇଛି। ଅନ୍ୟପଟେ ଘଟଣାର ନିରପେକ୍ଷ ତଦନ୍ତ ନେଇ ସନ୍ଦେହ ପ୍ରକାଶ କରିଛି ବିଜେପି।
ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନଙ୍କ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତରେ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି। ଚିତ୍ତରଞ୍ଜନଙ୍କ ମୃତ୍ୟୁର ରହସ୍ୟ ଏହି ଭିସେରା ରିପୋର୍ଟ କହିବ। ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରି କ୍ରାଇମ୍ବ୍ରାଞ୍ଚ ଗତକାଲି ଓ ଆଜି ଜଗା, ଚର୍ଚ୍ଚାରେ ଥିବା ମହିଳା ଓ ତାଙ୍କ ସ୍ବାମୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବା ସହ ସେମାନଙ୍କର ଲାଏ ଡିଟେକ୍ସନ୍ କରାଇଛି। ଲାଏ ଡିଟେକ୍ସନ୍ ରିପୋର୍ଟକୁ ଭିତ୍ତି କରି ତଦନ୍ତକାରୀ ଅଧିକାରୀ ତଦନ୍ତ ଆଗେଇ ନେଉଥିବା ଜଣାପଡ଼ିଛି।
କ୍ରାଇମ୍ବ୍ରାଞ୍ଚର ତଦନ୍ତ ଚର୍ଚ୍ଚାରେ ଥିବା ମହିଳା ଓ ତାଙ୍କ ସ୍ବାମୀଙ୍କ ଆଡ଼କୁ ନେଉଥିବା ବେଳେ ଆଜି ପୂର୍ଣ୍ଣଚନ୍ଦ୍ରଙ୍କ ବୟାନକୁ ନେଇ ଚିନ୍ତାରେ ପଡ଼ିଯାଇଛି କ୍ରାଇମ୍ବ୍ରାଞ୍ଚ ଟିମ୍। ଚିତ୍ତରଞ୍ଜନଙ୍କ ମୃତ୍ୟୁକୁ ନେଇ ସଞ୍ଜୟଙ୍କ ବ୍ୟକ୍ତିଗତ ସହାୟକ ଅରୁଣ ମିଶ୍ରର ସମ୍ପୃକ୍ତି ଥିବା ନେଇ ପୂର୍ଣ୍ଣଚନ୍ଦ୍ର ଅଭିଯୋଗ କରିଛନ୍ତି। ଦରକାର ପଡ଼ିଲେ କ୍ରାଇମ୍ବ୍ରାଞ୍ଚ ଅରୁଣକୁ ତଦନ୍ତ ପରିସରକୁ ନେବ ବୋଲି ଜଣେ ବରିଷ୍ଠ ପଦାଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ୧୧ ତାରିଖ ରାତିରେ ମାଟିଆପଡ଼ା ଛକରେ ଭୋଜି କରିବା ପାଇଁ ଶାସନ ଦାମୋଦରପୁରର ଜଗନ୍ନାଥ ଷଡ଼ଙ୍ଗୀର ଭଡ଼ା ଘରେ ସମସ୍ତେ ପହଞ୍ଚିଥିଲେ। ବିଳମ୍ବିତ ରାତିରେ ଭୋଜି ସରିବା ପରେ ଏକ ବାଇକ୍ରେ ଜଗା ତା'ର ଘନିଷ୍ଠ ବନ୍ଧୁ ସାନବନ୍ଧକେରାର ଚିତ୍ତରଞ୍ଜନ ପଲେଇଙ୍କୁ ନେଇ ମଦ କିଣିବା ପାଇଁ ଗଡ଼ମୃଗଶିରା ନିକଟ ନୂଆଗାଁ ନୂଆନଈ ରାସ୍ତା ଦେଇ ଯାଇଥିଲା। ପରେ ଚିତ୍ତରଞ୍ଜନ ନିଖୋଜ ହୋଇଯାଇଥିଲେ। ଦିନକ ପରେ ତାଙ୍କ ମୃତଦେହ ନୂଆନଈ ପାଣିରୁ ମିଳିଥିଲା। ତାଙ୍କୁ ଯୋଜନାବଦ୍ଧ ହତ୍ୟା ପାଇଁ ଅପହରଣ କରାଯାଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ସଦର ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏଥିରେ ଅରୁଣ ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ଚିତ୍ତରଞ୍ଜନଙ୍କ ବଡ଼ବାପା କରିବା ପରେ ଏହା ଭିନ୍ନ ମୋଡ଼ ନେବାରେ ଲାଗିଛି।