କୋଭିଡ୍‌କୁ ହରାଇଲେ ସଞ୍ଜୟ, ୨୦ ଦିନ ଧରି ଥିଲେ ଭେଣ୍ଟିଲେଟର୍‌ରେ

ଗୋଳନ୍ଥରା : ଦୃଢ଼ ଆତ୍ମବିଶ୍ବାସ, ଧୈର୍ଯ୍ୟ ଓ ମନୋବଳ ରଖିଲେ ଅସାଧ୍ୟ ସାଧିତ ହୋଇଥାଏ। କରୋନା କାଳରେ ଏହି କଥାକୁ ପ୍ରମାଣିତ କରିଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଗୋଳନ୍ଥରା ନୂଆସାହିର ସଞ୍ଜୟ କୁମାର ସାହୁ (୩୬)। କରୋନାରେ ସଂକ୍ରମିତ ହୋଇ ସେ ଗୁରୁତର ହୋଇପଡ଼ିଥିଲେ। ଭେଣ୍ଟିଲେଟର୍‌‌ରେ ଦୀର୍ଘ ୨୦ ଦିନ କାଳ କରୋନା ସହ ଲଢ଼ିଥିଲେ। ତେବେ ସେ ନିଶ୍ଚୟ ସୁସ୍ଥ ହେବେ ବୋଲି ଦୃଢ଼ ମନୋବଳ ରଖିଥିଲେ। ଶେଷରେ ସେ କରୋନାକୁ ହରାଇ ଘରକୁ ଫେରିଛନ୍ତି।

ସଞ୍ଜୟ ତାଙ୍କ ଅନୁଭୂତି ‘ସମ୍ବାଦ’ ଆଗରେ ବର୍ଣ୍ଣନା କରି କହିଛନ୍ତି, ଗତମାସ ୧୨ ତାରିଖରେ ସେ ହଠାତ୍ ନିଃଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଅମ୍ଳଜାନ ସ୍ତର କମିଥିବା ଜଣାପଡ଼ିଥିଲା। ତାଙ୍କୁ ୧୩ ତାରିଖରେ ବ୍ରହ୍ମପୁର ଉପକଣ୍ଠ କନିଷି ନିକଟ ଅଶ୍ବିନୀ କୋଭିଡ୍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ୨ ଦିନ ଧରି ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସି ନଥିଲା। ଫଳରେ ଡାକ୍ତରୀ ଟିମ୍ ତାଙ୍କୁ ଭେଣ୍ଟିଲେଟର୍‌ରେ ସ୍ବତନ୍ତ୍ର ନିରୀକ୍ଷଣରେ ରଖିଥିଲେ। ଆଉ ସେ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଥିଲେ। ଭେଣ୍ଟିଲେଟର୍‌ରେ ୨୦ ଦିନ ରହିବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ।

ସେ କହିଛନ୍ତି, ଏହି ସମୟରେ ସେ ବହୁତ କଷ୍ଟ ଅନୁଭବ କରିଥିଲେ। କିନ୍ତୁ ମନୋବଳ ଦୃଢ଼ ରଖିଥିଲେ ଓ ଆଦୌ ଧୈର୍ଯ୍ୟ ହରାଇ ନଥିଲେ। ଡାକ୍ତର ଓ ନର୍ସମାନେ ଉଚ୍ଚକୋଟୀର ଚିକିତ୍ସା କରିଥିଲେ। ଠିକ୍ ସମୟରେ ଖାଦ୍ୟ ଓ ଔଷଧ ଦେଉଥିଲେ। ଏଥି ପାଇଁ ସେ ଡାକ୍ତର ଓ ନର୍ସଙ୍କୁ କୃତଜ୍ଞତା ଜଣାଇଛନ୍ତି। ଡାକ୍ତରଖାନାରେ ଥିଲେ ବି ଜଣେ ମନୋବଳ ଓ ଆତ୍ମବିଶ୍ବାସକୁ ଦୃଢ଼ କଲେ କରୋନାକୁ ନିଶ୍ଚିତ ଭାବେ ହରାଇପାରିବ ବୋଲି ସଞ୍ଜୟ କହିଛନ୍ତି।

ସମ୍ବନ୍ଧିତ ଖବର