ରାଉରକେଲା : ନାଟକ ଓ ଏକାଙ୍କିକା ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ପାଇବାଲାଗି ମନୋନୀତ ହୋଇଥିବା ରାଉରକେଲାର ନାଟ୍ୟକାର ଡ. ସଂଜୟ କୁମାର ହାତୀ ପୁରସ୍କାର ରାଶିକୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ପାଣ୍ଠିକୁ ଦାନ କରିବାକୁ ଘୋଷଣା କରିଛନ୍ତି।
ଉଲ୍ଲେଖନୀୟ ଯେ ଡ. ହାତୀ ଏହି ବିଭାଗରେ ୨୦୧୫ ବର୍ଷ ପାଇଁ ନବୀନ କୁମାର ପରିଡ଼ାଙ୍କ ସହିତ ମିଳିତ ଭାବେ ପୁରସ୍କାର ପାଇବେ। ତାଙ୍କ ରଚିତ ପୁରସ୍କୃତ ନାଟକର ଶୀର୍ଷକ ହେଉଛି ‘ମଞ୍ଚମାୟା’। ୧୯୬୬ ମସିହାରେ ରାଉରକେଲାରେ ଜନ୍ମିତ ଡ. ହାତୀ ପ୍ରାୟ ୪୦ଟି ସଫଳ ନାଟକର ନାଟ୍ୟକାର। ଏସବୁ ଭିତରୁ ଅଧିକାଂଶ ଓଡ଼ିଶା ଓ ଓଡ଼ିଶା ବାହାରେ ବିଭିନ୍ନ ସ୍ଥାନରେ ମଞ୍ଚସ୍ଥ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି। ପୂର୍ବରୁ ସେ ପାଇଥିବା ପ୍ରମୁଖ ପୁରସ୍କାରଗୁଡ଼ିକ ଭିତରେ ରହିଛି ଇଷ୍ଟର୍ନ ମିଡିଆ ନାଟକ ପ୍ରତିଯୋଗିତାର ଶ୍ରେଷ୍ଠ ନାଟ୍ୟକାର ପୁରସ୍କାର, ଆଦିନାଟ୍ୟକାର ସମ୍ମାନ, ରାଉରକେଲା ଗୌରବ ସମ୍ମାନ ଓ କବି ସାରଥୀ ସାହିତ୍ୟ ଏକାଡେମି ନାଟ୍ୟକାର ସମ୍ମାନ ଇତ୍ୟାଦି। ଉଲ୍ଲେଖନୀୟ ଯେ ଓଡ଼ିଶା ସାହିତ୍ୟ ଏକାଡ଼େମି ପୁରସ୍କାରର ଅର୍ଥରାଶିର ପରିମାଣ ହେଉଛି ୩୦ ହଜାର ଟଙ୍କା। ଏହା ସହିତ ପୁରସ୍କୃତ ଲେଖକମାନଙ୍କୁ ଏକ ତାମ୍ରଫଳକ ଓ ଉପଢ଼ୌକନ ପ୍ରଦାନ କରାଯାଏ।