ମୃତକଙ୍କ ଘରକୁ ଯାଇ ତଦନ୍ତ, ଘଟଣାସ୍ଥଳରେ ଛାନ୍ଭିନ୍
ରାତିଅଧରେ ଏକୁଟିଆ ବୁଲୁଥିଲେ ଜଗା, ଚିତ୍ତ କେଉଁଠି ଥିଲା?
ପୁରୀ : ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଘରୋଇ ସୁରକ୍ଷାକର୍ମୀ ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁର ୫ ଦିନ ପରେ ଆଜିଠୁ କ୍ରାଇମ୍ବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ଶିଶିର କୁମାର ମିଶ୍ରଙ୍କ ନେତୃତ୍ବରେ ଗଠିତ ସ୍ବତନ୍ତ୍ର ଟିମ୍ ଆଜି ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପରେ ବାସେଳି ସାହି ଥାନାକୁ ଯାଇ ଚିତ୍ତରଞ୍ଜନର ଘନିଷ୍ଠ ବନ୍ଧୁ ଜଗନ୍ନାଥ ଷଡ଼ଙ୍ଗୀ, ସଞ୍ଜୟଙ୍କ ପିଏସ୍ଓ ସର୍ବେଶ୍ବର ଜେନା ସମେତ ଅନ୍ୟ ତିନି ଅଟକଙ୍କୁ ୪ ଘଣ୍ଟା ଧରି ଜେରା କରିଛନ୍ତି। ଜେରା ବେଳେ କ୍ରାଇମ୍ବ୍ରାଞ୍ଚ ଟିମ୍କୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାପଡ଼ିଛି। ସେପଟେ ଆଜି ସନ୍ଧ୍ୟାରେ କ୍ରାଇମ୍ବ୍ରାଞ୍ଚ ଟିମ୍ ସାନବନ୍ଧକେରାସ୍ଥିତ ଚିତ୍ତରଞ୍ଜନର ଘରକୁ ଯାଇ ତାଙ୍କ ବାପା ଗୁନିଆ ପଲେଇଙ୍କ ସହ ପ୍ରାୟ ଏକ ଘଣ୍ଟା ଆଲୋଚନା କରିଛନ୍ତି।
ତେବେ ଚିତ୍ତରଞ୍ଜନ ମୃତ୍ୟୁ ମାମଲା ଆଜି ଭିନ୍ନ ମୋଡ଼ ନେଇଛି। ଏହି ମାମଲାରେ ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମହିଳା ଜଣକ ଘର ଘଟଣାସ୍ଥଳରୁ ମାତ୍ର ୨ କିଲୋମିଟର ଦୂରରେ। ଗଡ଼ମୃଗଶିରା ନିକଟ ଚକ୍ରପଡ଼ା ଗାଁରେ ତାଙ୍କ ଘର। ଯୁବତୀ ଜଣକ ବି ଜଗାର ସମ୍ପର୍କୀୟ ବୋଲି ଜଣାପଡ଼ିଛି। ସ୍ଥାନୀୟ ଅଞ୍ଚଳର ଲୋକେ କହିଛନ୍ତି କି ଘଟଣା ଦିନ ଅର୍ଥାତ୍ ଶନିବାର ମଧ୍ୟରାତ୍ରିରେ ଚିତ୍ତରଂଜନ ତାଙ୍କ ବନ୍ଧୁ ଜଗା ସହ ଏହି ମହିଳାଙ୍କ ଘରକୁ ଯାଇଥିଲେ। ଏହି ମହିଳା ଜଣକ ତାଙ୍କ ମା’ଙ୍କ ସହ ରୁହନ୍ତି। କିନ୍ତୁ ଏହି ଘଟଣା ସତ କି ମୃତ୍ୟୁକୁ ଭିନ୍ନମୋଡ଼ ଦେବାକୁ ଏଭଳି ମିଛର ରଚନା କରାଯାଇଛି, ସେ ନେଇ ମଧ୍ୟ କ୍ରାଇମ୍ବ୍ରାଞ୍ଚ୍ ଖୋଳତାଡ଼ ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚ ଏହି ମହିଳା ଓ ତାଙ୍କ ମା’ଙ୍କୁ ଥାନାକୁ ଆଣି ପଚରାଉଚରା କରିଥିବା ଜଣାପଡ଼ିଛି।
ଅନ୍ୟପଟେ ଶନିବାର ମଧ୍ୟରାତ୍ରୀରେ ଜଗା ଏକୁଟିଆ ଗଡ଼ମୃଗଶିରା ନିକଟ ବ୍ରିଜ ପାଖରେ ବୁଲୁଥିଲା ବୋଲି ଗାଁ ଲୋକେ କହିଛନ୍ତି। ଏଠି ପ୍ରଶ୍ନ ଉଠୁଛି, ଜଗା ଯଦି ଏକୁଟିଆ ବ୍ରିଜ ପାଖରେ ବୁଲିଥିଲା, ତେବେ ଚିତ୍ତରଂଜନ କୁଆଡ଼େ ଯାଇଥିଲେ। ସେପଟେ ପ୍ରଥମରୁ କୁହାଗଲା ଯେ ମାଟିଆପଡ଼ାରେ ଭୋଜି ବେଳେ ଅଧିକ ମଦ ଆବଶ୍ୟକ ପଡ଼ିବାରୁ ଚିତ୍ତରଂଜନକୁ ସାଙ୍ଗରେ ନେଇ ଜଗା ଗଡ଼ମୃଗଶିରା ଯାଇଥିଲେ। ଏଠି ପ୍ରଶ୍ନ ଉଠୁଛି, ଯଦି ମଦ ଆବଶ୍ୟକ ଥିଲା, ତେବେ ଭୋଜି ସ୍ଥଳ ଆଖପାଖରୁ ବା ପୁରୀର ଅନ୍ୟ କେଉଁସ୍ଥାନରୁ ଏମାନେ ଯୋଗାଡ଼ କରି ପାରିଥାନ୍ତେ। କିନ୍ତୁ ସେଦିନ ମଦ ଯୋଗାଡ଼ ପାଇଁ ଏତେ ଦୂର କେଉଁଥିପାଇଁ ଯାଇଥିଲେ? ଏଭଳି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଏଯାଏ ମିଳିନାହିଁ।
ଉଲ୍ଲେଖଥାଉକି, ଗତକାଲି ରାତି ପ୍ରାୟ ଦଶଟା ସମୟରେ କ୍ରାଇମ୍ବ୍ରାଞ୍ଚ ଟିମ୍ ପହଞ୍ଚିବା ପରେ ପୁରୀ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ଓ ଅନ୍ୟ ଅଧିକାରୀଙ୍କୁ ସାକ୍ଷାତ କରି ଚିତ୍ତରଞ୍ଜନ ମୃତ୍ୟୁ ମାମଲା ସମ୍ପର୍କରେ ସୂଚନା ସଂଗ୍ରହ କରିଥିଲେ। ପରେ ସଦର ଥାନାରେ ରୁଜୁ ହୋଇଥିବା ଏହି ମାମଲା କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ଆଜି ସକାଳେ କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ଶ୍ରୀ ମିଶ୍ରଙ୍କ ସହ ଅନ୍ୟ ଅଧିକାରୀମାନେ ଗଡ଼ମୃଗଶିରାସ୍ଥିତ ନୂଆନଈ ଦୁର୍ଘଟଣାସ୍ଥଳକୁ ଯାଇଥିଲେ। ରାସ୍ତାରୁ ନଈର ଦୂରତା ମାପଚୁପ କରିବା ସହ ଚିତ୍ତରଞ୍ଜନଙ୍କ ମୃତଦେହ, ଆହତ ଜଗା ପଡ଼ିଥିବା ସ୍ଥାନ, ଚିତ୍ତରଞ୍ଜନଙ୍କ ସ୍କୁଟି, ଚପଲ ଆଦି ପଡ଼ିଥିବା ସ୍ଥାନ ନିରୀକ୍ଷଣ କରିଥିଲେ। ସ୍ଥାନୀୟ ଲୋକଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ। ଘଟଣାସ୍ଥଳରୁ ଫେରିବା ପରେ ପୂର୍ବାହ୍ନ ୧୦ଟାରେ ବାସେଳିସାହି ଥାନାକୁ ଯାଇ ଅଟକ ୫ ଜଣଙ୍କୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଜେରା କରିଥିଲେ। ଚିତ୍ତରଞ୍ଜନଙ୍କ ମୃତ୍ୟୁ ସମ୍ପର୍କରେ ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଥିଲେ। ଏହି ସମୟରେ କାହାରି କଥାରେ ତାଳମେଳ ରହିନଥିଲା। କେହି ଜାଣିନି ବୋଲି କହିଥିଲା ତ କିଏ ଦୁର୍ଘଟଣା ବୋଲି କହିଥିଲା। ଯେହେତୁ ପୂର୍ବରୁ ଜଗା ପୁଲିସର ସନ୍ଦେହ ନଜରରେ ରହିଛି, ସେହିଦୃଷ୍ଟିରୁ ଜଗାକୁ କ୍ରାଇମ୍ବ୍ରାଞ୍ଚ ଅଲଗା ପଚରାଉଚରା କରିଥିଲା। ପୂର୍ବ ଭଳି ବି ଜଗା ଥଙ୍ଗେଇଥିଲା ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ପଚରାଉଚରା ବେଳେ ଜଗା ଓ ଅନ୍ୟ ଅଟକଙ୍କ କଥାରୁ କ୍ରାଇମ୍ବ୍ରାଞ୍ଚ ଟିମ୍ ଚିତ୍ତରଞ୍ଜନଙ୍କ ହତ୍ୟାର କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଛି। ସନ୍ଧ୍ୟା ପ୍ରାୟ ୫ଟା ୧୦ରେ ଚିତ୍ତରଞ୍ଜନଙ୍କ ଘରେ ପହଞ୍ଚି ବାପା ଗୁନିଆଙ୍କୁ ପଚରାଉଚରା କରିଛନ୍ତି। ତଦନ୍ତ ସାରି ଫେରିବା ବେଳେ କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ଶ୍ରୀ ମିଶ୍ରଙ୍କୁ ଘଟଣା ସମ୍ପର୍କରେ ପଚରାଯାଇଥିଲେ ବି ତଦନ୍ତରେ ବାଧା ଆସିବ ବୋଲି କହି ସେ ମୁହଁ ଖୋଲିନାହାନ୍ତି।