ବିଜେଡି ଛାଡ଼ିଲେ ସଂଜୀବ ସାହୁ

ଅନୁଗୁଳ : ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଆଠମଲ୍ଲିକର ପୂର୍ବତନ ବିଧାୟକ ସଂଜୀବ କୁମାର ସାହୁ। ବ୍ୟକ୍ତିଗତ କାରଣ ପାଇଁ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି। ଇସ୍ତଫା ପତ୍ର ଇ-ମେଲ୍‌ ଯୋଗେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଥିଲାବେଳେ ଏବେ କୌଣସି ଦଳରେ ଯୋଗଦେବା ନେଇ ନିଷ୍ପତ୍ତି ନେଇନାହାନ୍ତି। ତେବେ ସେ ଖୁବ୍‌ଶୀଘ୍ର ବିଜେପିରେ ଯୋଗଦେବେ ବୋଲି ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି। ପ୍ରକାଶଯୋଗ୍ୟ ଯେ ଗତ ବିଧାନସଭା ନିର୍ବାଚନ କାଳରେ ତାଙ୍କୁ ଦଳୀୟ ଟିକଟ ନମିଳିବାରୁ ସେ ଦଳତ୍ୟାଗ କରିବେ ବୋଲି ସେ ସମୟରୁ ଚର୍ଚ୍ଚା ଜାରି ରହିଥିଲା।

ଶ୍ରୀ ସାହୁ ବୀରମହାରାଜପୁର ଓ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ଲେଖାଏଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହା ସାଙ୍ଗକୁ ବିଭିନ୍ନ ସମୟରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଓ କାରିଗରୀ କୌଶଳ, ପଞ୍ଚାୟତରାଜ, ପରିବହନ ଆଦି ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ଅନୁଗୁଳ ଜିଲ୍ଲାର ଜଣେ ପୁରୁଣା ବିଜେଡି ନେତା ଭାବେ ତାଙ୍କର ବେଶ୍‌ ଦବଦବା ରହିଥିଲା। ୨୦୦୩ ମସିହାରେ ବୀରମହାରାଜପୁର ଉପନିର୍ବାଚନରେ ସେ ବିଜେଡି ଟିକେଟରୁ ବିଜୟୀ ହୋଇଥିଲେ। ୨୦୦୪ ନିର୍ବାଚନରେ ମଧ୍ୟ ଏହି ଆସନରୁ ବିଜେଡି ଟିକେଟରେ ଜିତି ସେ ବିଧାନସଭାକୁ ଯାଇଥିଲେ। ୨୦୦୯ ଓ ୨୦୧୪ ନିର୍ବାଚନରେ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ଜିତିଥିଲେ। ତେବେ ପ୍ୟାରୀମୋହନ ମହାପାତ୍ରଙ୍କ ମେ ୨୯ ‘ମିଡ୍‌ ନାଇଟ୍‌ ଅପରେସନ’ ପରେ ସେ ମୁଖ୍ୟମନ୍ତ୍ରୀଙ୍କ ଆକ୍ରୋଶର ଶିକାର ହେଲେ ଏବଂ ଦଳୀୟ ସାଂଗଠନିକ କାର୍ଯ୍ୟକଳାପରୁ ତାଙ୍କୁ ଦୂରେଇ ରଖାଗଲା। ଶେଷରେ ୨୦୧୯ ନିର୍ବାଚନରେ ବିଜେଡି ତାଙ୍କୁ ଆଉ ଟିକେଟ ମଧ୍ୟ ଦେଇ ନ ଥିଲା। ଦଳରେ ତାଙ୍କୁ କୋଣଠେସା କରାଯାଉଥିବାରୁ ସେ ବିଜେଡି ଛାଡ଼ିବା ନେଇ ଅନୁମାନ କରାଯାଉଥିଲା। ଶେଷରେ ଆଜି ସେ ଇସ୍ତଫା ନେଇ ଘୋଷଣା କରିଛନ୍ତି।

ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବ୍ୟକ୍ତିଗତ କାରଣ ପାଇଁ ସେ ବିଜେଡ଼ିରୁ ଇସ୍ତଫା ଦେଉଛନ୍ତି। ତେବେ ସେ ରାଜନୀତି ଛାଡିବାର ନାହିଁ। ଭବିଷ୍ୟତରେ କେଉଁ ଦଳରେ ଯୋଗ ଦେବେ ତାହା ସମୟ କହିବ। ଆଠମଲ୍ଲିକ ଅଞ୍ଚଳର ବିକାଶକୁ ସେ ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ସେ ତାଙ୍କ ରାଜନୈତିକ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି କହିଛନ୍ତି। ବିଜେଡିରୁ ଇସ୍ତଫା ଦେଇଥିଲେ ମଧ୍ୟ ସଂଜୀବ ସାହୁ ଦଳ ବିରୋଧରେ ମୁହଁ ଖୋଲିନାହାନ୍ତି। ବରଂ, ଦଳରୁ ତାଙ୍କୁ ସହଯୋଗ ମିଳିଥିବା କହିଛନ୍ତି। ଦଳରେ ତାଙ୍କୁ କୋଣଠେସା କରାଯାଉଥିବା ଅଭିଯୋଗ ନେଇ ମଧ୍ୟ କୌଣସି ମନ୍ତବ୍ୟ ଦେଇନାହାନ୍ତି। ତେବେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ସେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହ ନିଜ ସମର୍ଥକଙ୍କୁ ଜିତାଇବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି। ତେଣୁ ସେ ବିଜେପିରେ ସାମିଲ ହେଉଥିବା ଚର୍ଚ୍ଚା ହେଉଛି। ତାଙ୍କ ନିକଟତମ ମହଲରୁ ମଧ୍ୟ ଏଥିନେଇ ଆଭାସ ମିଳିଛି।

ଅପରପକ୍ଷରେ ସେ ବିଜେଡ଼ି ଛାଡ଼ିବା ଦ୍ବାରା ଦଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଆଠମଲ୍ଲିକ ବିଧାୟକ ରମେଶ ସାଏ ପ୍ରତିକ୍ରିୟାରେ କହିଛନ୍ତି। ସେହିପରି ଅନୁଗୁଳ ଜିଲ୍ଲା ବିଜେଡ଼ି ସଭାପତି ମହେନ୍ଦ୍ର ବସ୍ତିଆ କହିଛନ୍ତି ଯେ, ସଂଜୀବ ସାହୁ ବିଜେଡ଼ି ସଂଗଠନ ସହ ଜଡ଼ିତ ନ ଥିଲେ। ତେଣୁ ତାଙ୍କ ଇସ୍ତଫା ଦଳ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ। ସେ କେବଳ ନବୀନ ପଟ୍ଟନାୟକଙ୍କ ନାମରେ ଭୋଟ ପାଇ ବିଜୟୀ ହେଉଥିଲେ। ଏବେ ଦଳ ଛାଡ଼ି ସେ ଭୁଲ ନିଷ୍ପତ୍ତି ନେଲେ ବୋଲି ଶ୍ରୀ ବସ୍ତିଆ କହିଛନ୍ତି।

ସମ୍ବନ୍ଧିତ ଖବର