ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟର ବିବାଦୀୟ କୁଳପତି ପ୍ର. ସଂଜୀବ ମିତ୍ତଲ ଶେଷରେ ନିଜ ପଦରୁ ଇସ୍ତଫା ଦେଇଥିବା ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ବାଧ୍ୟତାମୂଳକ ଛୁଟିରେ ଯାଇଥିବା ଶ୍ରୀ ମିତ୍ତଲଙ୍କ ଛୁଟି ଶେଷ ହେବାକୁ ଯାଉଥିଲା ବେଳେ ସେ କୁଳାଧିପତି (ରାଜ୍ୟପାଳ)ଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଯେହେତୁ ରାଜ୍ୟପାଳ ପ୍ର. ଗଣେଶୀ ଲାଲ୍ ଏବେ ଓଡ଼ିଶାରେ ନାହାନ୍ତି ତେଣୁ ଶ୍ରୀ ମିତ୍ତଲଙ୍କ ଇସ୍ତଫା ଗୃହୀତ ହୋଇନାହିଁ। ଆସନ୍ତା ୩୧ ତାରିଖରେ ରାଜ୍ୟପାଳ ଫେରିବା ପରେ ତାଙ୍କ ଇସ୍ତଫା ସଂପର୍କିତ ନିଷ୍ପତ୍ତି ନେବେ ବୋଲି କହାଯାଉଛି। ତାଙ୍କ ଇସ୍ତଫା ଗୃହୀତ ହେଲେ ରାଜ୍ୟପାଳ ଅନ୍ୟ କୌଣସି ନିକଟବର୍ତ୍ତୀ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ସମ୍ବଲପୁର ବିଶ୍ବବିଦ୍ୟାଳୟର ଅତିରିକ୍ତ ଦାୟିତ୍ବ ଦେବାର ସମ୍ଭାବନା ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇ ନାହିଁ।
ପ୍ର. ମିତ୍ତଲ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ଭାବେ ଦାୟିତ୍ବ ନେବା ଦିନଠାରୁ ନାନା ପ୍ରକାର ବିବାଦରେ ଛନ୍ଦି ହୋଇ ରହିଥିଲେ। ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ରେ ବହୁ ମୂଲ୍ୟ ଗଛକଟାଠାରୁ ଆରମ୍ଭ କରି, ଚୁ୍କ୍ତିଭିତ୍ତିକ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୂତି ମାମଲାରେ ମୁଖ୍ୟ ଅଭିଯୁକ୍ତ ହେବା, ହାଇକୋର୍ଟରୁ ଆଗୁଆ ଜାମିନ ଆଣିବା, ଏଲ୍ଆର୍ ଆଇନ୍ ମହାବିଦ୍ୟାଳୟର ସ୍ଥାୟୀ ଅଧ୍ୟକ୍ଷଙ୍କୁ ହଟାଇ ଅତିଥି ଅଧ୍ୟାପକଙ୍କୁ ଦାୟିତ୍ବ ଦେବା, ମହାବିଦ୍ୟାଳୟର ଥିବା ପାଣ୍ଠିକୁ ବିଶ୍ବବିଦ୍ୟାଳୟ ଖାତାକୁ ସ୍ଥାନାନ୍ତର କରିବା, ବିଶ୍ବବିଦ୍ୟାଳୟ ପୁସ୍ତକ କିଣାରେ ହେରଫେର, ସମାବର୍ତ୍ତନ ଉତ୍ସବରେ ଜଣେ ବ୍ୟବସାୟୀଙ୍କୁ ଡକ୍ଟରେଟ୍ ଦେବା, ଦିଆ ଯାଇଥିବା ସ୍ବର୍ଣ୍ଣ ପଦକରେ ସୁନାର ପରିମାଣ କମ୍ ରହିବା ଓ ଶେଷରେ ସ୍ବଚ୍ଛ ବିଶ୍ବବିଦ୍ୟାଳୟ ଅଭିଯାନ ପାଣ୍ଠିର ପ୍ରାୟ ୨୯ ଲକ୍ଷ ଟଙ୍କା ନିଜ ପତ୍ନୀ ଓ ପୁତ୍ରଙ୍କ ବ୍ୟାଙ୍କ୍ ଖାତାକୁ ସ୍ଥାନାନ୍ତର କରିବା ଭଳି ଗର୍ହିତ କାର୍ଯ୍ୟ କରି ସେ ବିବାଦରେ ରହିଥିଲେ। ତାଙ୍କ କାର୍ଯ୍ୟ ଯୋଗୁଁ ସେ ସରକାରଙ୍କ ଗଳାର କଣ୍ଟା ପାଲଟି ଯାଇଥିଲେ। ଶେଷରେ ସରକାରଙ୍କ ପକ୍ଷରୁ ତାଙ୍କୁ ଇସ୍ତଫା ଦେବାକୁ ପରୋକ୍ଷରେ କହା ଯାଇଥିଲା। କିନ୍ତୁ ଶ୍ରୀ ମିତ୍ତଲ ଛୁଟି ନେଇ ଚାଲି ଯାଇଥିଲେ। ହେଲେ ନିଜ ଛୁଟି ୨ ଥର ସଂପ୍ରସାରଣ ପରେ ଶେଷରେ ସେ ଇସ୍ତଫା ପତ୍ର ପଠାଇଥିବା କହାଯାଉଛି।