ସମ୍ବଲପୁର: ସମ୍ବଲପୁର ଚେରୁଆପଡ଼ାସ୍ଥିତ ସଞ୍ଜିବନୀ ହସ୍ପିଟାଲରେ ଚିକିତ୍ସିତ ହୋଇ ୪ ଦିନ ତଳେ ଘରକୁ ଫେରିଥିବା ଜଣେ ରୋଗୀ ଗୁରୁବାର କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୀର୍ଘ ୩ ଦିନ ଧରି ଉକ୍ତ ରୋଗୀ ସଞ୍ଜିବନୀ ହସ୍ପିଟାଲରେ ଚିକିତ୍ସାଧୀନ ଥିବାରୁ ସମଗ୍ର ହସ୍ପିଟାଲକୁ ୫ ଦିନ ପାଇଁ ସିଲ୍‌ କରାଯାଇଛି। ବୁଧବାର ସନ୍ଧ୍ୟାରେ ସମ୍ବଲପୁର ମହାନଗର ନିଗମ କର୍ମଚାରୀ ଓ ପୁଲିସ୍‌ ସେଠାରେ ପହଞ୍ଚି ହସ୍ପିଟାଲ ସିଲ୍‌ କରିଥିଲେ। ଏହା ସହିତ ଡାକ୍ତରଖାନା ମାଲିକ ଡା.ପୁରୁଷୋତ୍ତମ ଅଗ୍ରଓ୍ବାଲ ଓ ସମ୍ବଲପୁରର ବରିଷ୍ଠ ଡାକ୍ତର କବିର ପୁରୋହିତଙ୍କ ସମେତ ମୋଟ ୩୨ ଜଣଙ୍କୁ ସଙ୍ଗରୋଧରେ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ଘଟଣା ଜଣାପଡ଼ିବା ପରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅର୍ଦ୍ଧାଧିକ ରୋଗୀଙ୍କୁ ଡିସଚାର୍ଜ କରି ଘରକୁ ପଠାଇ ଦିଆଯାଇଥିବା ସମୟରେ ଦୂର ଗ୍ରାମର କିଛି ରୋଗୀ ଗୁରୁବାର ସକାଳୁ ଘରକୁ ଫେରିବେ ବୋଲି ଡା.ଅଗ୍ରୱାଲ ସୂଚନା ଦେଇଛନ୍ତି। ଏହାସହିତ ଗୁରୁତର ଥିବା ରୋଗୀଙ୍କୁ ଜିଲ୍ଲା ପ୍ରଶାସନ ସହାୟତାରେ ଗୁରୁବାର ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ ବୋଲି ଡା.ଅଗ୍ରୱାଲ କହିଛନ୍ତି।

Advertisment

publive-image Photo: Justdail

ମିଳିଥିବା ସୂଚନା ଅନୁସାରେ, ଧନୁପାଲି ଥାନା ସୁନାପାଲି ଅଞ୍ଚଳର ଜଣେ ମହିଳା(୪୦) କ୍ୟାନ୍‌ସର ରୋଗରେ ପୀଡ଼ିତ ଥିବା ସମୟରେ ସେ ଭୁବନେଶ୍ବରସ୍ଥିତ ପଣ୍ଡା କ୍ୟାନ୍‌ସର ହସ୍ପିଟାଲ ଯାଇ ଚିକିତ୍ସିତ ହୋଇଥିଲେ। ସେହି ସମୟରେ ତାଙ୍କର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ରହିଥିଲା। ଏହାପରେ ଗତ ୧୬ ତାରିଖରେ ତାଙ୍କୁ ପୁଣି ଥରେ ସଞ୍ଜିବନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୮ ତାରିଖରେ ସେ ଡିସଚାର୍ଜ ହୋଇ ଘରକୁ ଫେରିଥିଲେ। ତେବେ ବୁଧବାର ସୁନାପାଲି ଅଞ୍ଚଳରୁ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ନିଜେ ଜିଲ୍ଲା ପ୍ରଶାସନକୁ ଯୋଗାଯୋଗ କରି ଏସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।