ଶ୍ରୀଜଗନ୍ନାଥ ମନ୍ଦିର ସଂପର୍କିତ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ମୋର ମତାମତ ଗ୍ରହଣ କରିବା ଦରକାର : ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଚୌହଦୀରୁ ଜବରଦଖଲ ହଟାଇବା ଏବଂ ୭୫ ମିଟର ପର୍ଯ୍ୟନ୍ତ ସ୍ଥାନକୁ ନିର୍ମାଣ ମୁକ୍ତ କରି ଖାଲି କରିବା ପ୍ରକ୍ରିୟା ଜାରି ରହିଛି । ଆଜି ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ। ପ୍ରଚୀନ ଏମାର ମଠର ଉଚ୍ଛେଦ କାର୍ଯ୍ୟ ଚାଲିଥିବା ବେଳେ ମହନ୍ତ ମଠ ଛାଡ଼ିବାକୁ ଅରାଜି ହେବା ପରିପ୍ରେକ୍ଷୀରେ ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଛନ୍ତି ଶଙ୍କରାଚାର୍ଯ୍ୟ।

ସେ ପୁରୀରେ ସାମ୍ବାଦିକମାନଙ୍କୁ କହିଛନ୍ତି, ଶ୍ରୀମନ୍ଦିର ସଂସ୍କାରକୁ ନେଇ ନିଷ୍ପତ୍ତି ଚୂଡ଼ାନ୍ତ କରିବା ପୂର୍ବରୁ ତାଙ୍କର ପରାମର୍ଶ ନେବା ଆବଶ୍ୟକ ଥିଲା। ଶ୍ରୀଜଗନ୍ନାଥ ମନ୍ଦିର ସଂପର୍କିତ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କ ମତାମତ ଗ୍ରହଣ କରିବା ଦରକାର। କିନ୍ତୁ ଏ କ୍ଷେତ୍ରରେ ଏପରି କରାଯାଇ ନାହିଁ। ଏହାକୁ ନେଇ ଶଙ୍କରାଚାର୍ଯ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଅନ୍ୟପକ୍ଷରେ ଏମାର ମଠର ଉଚ୍ଛେଦ ପ୍ରକ୍ରିୟା ୪ର୍ଥ ଦିନରେ ପହଞ୍ଚିଥିବା ବେଳେ ମଠ ଛାଡ଼ିବାକୁ ରାଜି ହୋଇନାହାନ୍ତି ଏହାର ମହନ୍ତ। ସେ ପୂର୍ବବତ ନିଜ କୋଠରୀରେ ବସି ରହିଛନ୍ତି।  ଆଜି ମଧ୍ୟ ପୁରୀରେ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା। ପ୍ରଶାସନ ପକ୍ଷରୁ ପୁରୀର ବଣିଆପଟିରେ ଦୋକାନ ଭଙ୍ଗା କାର୍ଯ୍ୟ ଚାଲିଛି।

ସମ୍ବନ୍ଧିତ ଖବର