ଶୁଖିଗଲା ଶଙ୍ଖ ନଦୀ : ୩୦ ବର୍ଷର ରେକର୍ଡ, କୂଅ ଓ ନଳକୂଅରୁ ପାଣି ବାହାରୁନି, ପାଣି ପାଇଁ କୂଳବର୍ତ୍ତୀ ଇଲାକାରେ ହାହାକାର

କୁତ୍ରା : ସମଗ୍ର ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ତା’ର ପ୍ରଭାବ ସୁନ୍ଦରଗଡ଼ ଜିଲ୍ଲାର ନଦୀ ନାଳ ଉପରେ ପଡ଼ିଛି। ଜିଲ୍ଲାର ପ୍ରମୁଖ ନଦୀ ମଧ୍ୟରୁ ଶଙ୍ଖ ନଦୀରେ ପାଣି ଶୁଖିଗଲାଣି। ଫଳରେ ଏହି ନଦୀର ଦୁଇ କଡ଼ରେ ବସବାସ କରୁଥିବା କୁତ୍ରା ଓ କୁଆରମୁଣ୍ଡା ବ୍ଳକ୍‌ର ବହୁ ଗ୍ରାମବାସୀ ପାଣି ପାଇଁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଗତ ୩୦ ବର୍ଷ ମଧ୍ୟରେ ପରିସ୍ଥିତି କେବେ ଏତେ ଭୟଙ୍କର ହୋଇ ନ ଥିଲା ବୋଲି ସ୍ଥାନୀୟ ଅଞ୍ଚଳର ପୁରୁଖା ଲୋକେ କହୁଛନ୍ତି।

ଶଙ୍ଖ ନଦୀ ହେଉଛି ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା, କୁଆରମୁଣ୍ଡା, ଲାଠିକଟା ବ୍ଲକ୍‌ ତଥା ରାଉରକେଲାବାସୀଙ୍କ ଜୀବନ ରେଖା। ଏହି ନଦୀ ଉପରେ ମନ୍ଦିରା ଠାରେ ଡ୍ୟାମ କରାଯାଇ ରାଉରକେଲା ଇସ୍ପାତ କାରଖାନା ଓ ରାଉରକେଲା ସହରବାସୀଙ୍କୁ ପାଣି ଯୋଗାଇ ଦିଆଯାଉଛି। ଏହିନଦୀ ଜଳ ଉପରେ ତରକେରା, ଉଡରୁମା, ସାଧାମୁଣ୍ଡା, ଲକ୍ଷ୍ମୀପୋଷ ଓ ଦଲିକ ଆଦି ସଂପୂର୍ଣ୍ଣ ଭାବେ ନିର୍ଭରଶୀଳ। ଶଙ୍ଖନଦୀ ଲୋକଙ୍କୁ ବର୍ଷ ତମାମ ଚାଷ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବ୍ୟବହାର ପାଇଁ ଜଳ ଯୋଗାଇ ଥାଏ। କିନ୍ତୁ ଏବେ ନଦୀଟି ସମ୍ପୂର୍ଣ୍ଣ ଶୁଖି ଯାଇଛି। ଉପର ମୁଣ୍ଡ ଝାଡ଼ଖଣ୍ଡରୁ ଆଉ ଜଳସ୍ରୋତ ଆସୁନାହିଁ। ବର୍ତ୍ତମାନ ଏହି ନଦୀଟି ଶୁଖି ଯିବାଦ୍ବାରା ଲୋକେ ଗାଧୋଇବା ପାଇଁ ମଧ୍ୟ ପାଣି ପାଉନାହାନ୍ତି। ନଦୀର ଭିନ୍ନ ସ୍ଥାନରେ ଚୁଆ ଖୋଳି ତାର ପାଣି ବ୍ୟବହାର କରି କଷ୍ଟେମଷ୍ଟେ ଚଳୁଛନ୍ତି। ଏପଟେ ନଦୀ ଶୁଖିଯିବାରୁ କୂଳରେ ଥିବା ଗ୍ରାମଗୁଡିକର କୂଅ, ନଳକୂପର ଜଳ ମଧ୍ୟ ନିମ୍ନଗାମୀ ହୋଇ ପାଣିର ନାହିଁ ନଥିବା ସମସ୍ୟା ଦେଖା ଦେଇଛି। ତେବେ ମନ୍ଦିରା ଡ୍ୟାମରେ ପାଣି ଥିବାରୁ ରାଉରକେଲାକୁ ଜଳ ଯୋଗାଣ ପ୍ରଭାବିତ ହୋଇନାହିଁ। କିନ୍ତୁ ଏଥର ଠିକ୍‌ ସମୟରେ ଏବଂ ଠିକ୍ ପରିମାଣରେ ମୌସୁମୀ ବର୍ଷା ନହେଲେ ମନ୍ଦିରା ଡ୍ୟାମ ଜଳସ୍ତର ଉଦ୍‌ବେଗଜନକ ଅବସ୍ଥାକୁ ଆସିଯିବ ବୋଲି କୁହାଯାଉଛି। ଫଳରେ ରାଉରକେଲା ନଗରରେ ସ୍ଥିତି ଭୟଙ୍କର ହେବାର ଆଶଙ୍କା ରହିଛି।

ଉଲ୍ଲେଖନୀୟ ଯେ ଶଙ୍ଖ ଝାଡ଼ଖଣ୍ଡର ଗୁମ୍‌ଲା ଜିଲ୍ଲାସ୍ଥ ଲୁପୁଙ୍ଗପାଟରୁ ବାହାରିଛି। ସେଠାରୁ ପ୍ରାୟ ୬୫ କିଲୋମିଟର୍ ଯିବାପରେ ଛତିଶଗଡ଼ରେ ପ୍ରବେଶ କରି ୫୦ କିଲୋମିଟର୍ ପ୍ରବାହିତ ହେବାପରେ ପୁଣି ଝାଡ଼ଖଣ୍ଡରେ ପ୍ରବେଶ କରିଛି। ତା’ପରେ ୭୮ କିଲୋମିଟର୍ ଆଗେଇ ଓଡ଼ିଶା ସୀମାରେ ପହଞ୍ଚି ଆଉ ୫୪ କିଲୋମିଟର୍ ପ୍ରବାହିତ ହୋଇ ରାଉରକେଲାର ବେଦବ୍ୟାସଠାରେ କୋଏଲ ନଦୀ ସହିତ ମିଶିଛି। ଉଭୟ ନଦୀଙ୍କ ମିଳନରୁ ସେହିଠାରେ ଜନ୍ମ ହୋଇଛି ବ୍ରାହ୍ମଣୀ ନଦୀ।

ସମ୍ବନ୍ଧିତ ଖବର