ବାଲି ଉଠୁଛି, ପାଉଁଶ ସହ କୋଇଲା ଗୁଣ୍ଡ ମିଶୁଛି: ବିଷାକ୍ତ ହେଉଛି ଶଙ୍ଖ ନଦୀ ଜଳ

ବାଉଁଶ ଓ କୋଇଲା ଗୁଣ୍ଡରେ ବନ୍ଧାଯାଇଛି ବନ୍ଧ, ପ୍ରଦୂଷଣ ବିଭାଗ, ତହସିଲଦାର ନୀରବଦ୍ରଷ୍ଟା

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ଲାଠିକଟା ବ୍ଲକ ଦେଇ ଯାଇଥିବା ଶଙ୍ଖ ନଦୀ ପ୍ରତି ବିପଦ ଘନଉଛି। ବେଆଇନ ବାଲି ଉଠାଣ ନଦୀକୁ ଗଭୀର କରିବା ସହିତ ନଦୀର ଗତିପଥ ବଦଳିବା ଆଶଙ୍କା ଦେଖାଦେଇଛି। ନିକଟରେ ଥିବା କଳକାରଖାନାର ନିର୍ଗତ ପାଉଁଶ ଓ କୋଇଲା ଗୁଣ୍ଡର ଆସ୍ତରଣ ନଦୀଜଳକୁ ବିଷାକ୍ତ କରୁଛି। ବିନା ଲିଜ୍‌ରେ ଚାଲିଥିବା ବାଲିଘାଟରେ ରାଜୁତି କରୁଛନ୍ତି ବାଲି ମାଫିଆ। ନଦୀ ପ୍ରତି ଏତେ ବିପଦ ମାଡି ଆସୁଥିଲେ ବି ପ୍ରଦୂଷଣ ବିଭାଗ ଓ ସ୍ଥାନୀୟ ତହସିଲ ପକ୍ଷରୁ ଆଖିବୁଜିଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସୁନ୍ଦରଗଡ ଜିଲ୍ଲା ଦେଇ ଯାଇଥିବା ଶଙ୍ଖନଦୀ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନରେଖା ପାଲଟିଛି। ଏହି ନଦୀ ଜଳକୁ ସ୍ଥାନୀୟ ଲୋକେ ପାନୀୟ ରୂପେ ବ୍ୟବହାର କରୁଛନ୍ତି। ହେଲେ ବାଲି ମାଫିଆମାନେ ଅନବରତ ଏହି ନଦୀଗର୍ଭକୁ ବିଦାରିବାରେ ଲାଗିଛନ୍ତି। ଅନବରତ ବାଲି ଉଠୁଛି। ସ୍ଥାନୀୟ ପ୍ରଶାସନ ଓ ପ୍ରଦୂଷଣ ବିଭାଗର ସମସ୍ତ ନୀତିନୀୟମକୁ ଜଳାଞ୍ଜଳି ଦେଇ ଲୁଟ୍‌ କରି ଚାଲିଛନ୍ତି ଲକ୍ଷ ଲକ୍ଷ ଟଙ୍କାର ବାଲି। ସବୁଠୁ ଆଶ୍ଚର୍ଯ୍ୟ କଥା, ବାଲି ଉଠାଇବାକୁ ନଦୀରେ ବନ୍ଧ ବାନ୍ଧିବାକୁ ପଛାଉ ନାହାନ୍ତି। ତାହା ପୁଣି କଳକାରଖାନାରୁ ନିର୍ଗତ ବିଷାକ୍ତ ପାଉଁଶ ଓ କୋଇଲା ଗୁଣ୍ଡରେ। ଏଭଳି ସାଂଘାତିକି ସ୍ଥିତି ଉପୁଜିଛି ଲାଠିକଟା ବ୍ଲକ ଅନ୍ତର୍ଗତ ବେଲ୍‌ଡିହିସ୍ଥ ଶଙ୍ଖ ନଦୀରେ। ବାଲି ମାଫିଆ ଓ କାରଖାନା ମାଲିକଙ୍କ ମନମୁଖୀ କାରବାର ଯୋଗୁ ଶଙ୍ଖ ନଦୀର ଜଳ ପ୍ରଦୂଷିତ ହେଉଛି। ଜଳ ସଙ୍କଟ ଦେଖାଦେଇଛି।

ରାସାୟନିକଯୁକ୍ତ ପାଉଁଶ, ଚାରକୋଲ, ଟାୟାର ଭଳି ବିଭିନ୍ନ ବିଷାକ୍ତ ପଦାର୍ଥ ଗଦା କରି ବନ୍ଧ ବାନ୍ଧି ନଦୀଜଳକୁ ଅଟକାଯାଉଛି। ଫୁଟେ କି ଦୁଇ ଫୁଟ୍‌ ନୁହେଁ ପ୍ରାୟ ୧୦ ଫୁଟ୍‌ରୁ ଅଧିକ ଚଉଡାରେ ତିଆରି ହୋଇଛି ରାସ୍ତା। ଉଦ୍ଦେଶ୍ୟ ନଦୀକୁ ଶୁଖାଇ ଜେସିବି ସହାୟତାରେ ବାଲି ଉଠାଇ ଟ୍ରକ, ଟିପ୍ପରରେ ବାଲି ଚାଲାଣ କରିବା। ସେପଟେ ନଦୀ ଜଳ ପ୍ରଦୂଷିତ ହେବା ଓ ଜଳସ୍ତର ହ୍ରାସ ପାଉଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ଚିନ୍ତା ବଢ଼ିଛି। କାରଣ ନଦୀ ଉପରେ ପ୍ରାୟ ୫୦ରୁ ଅଧିକ ଗ୍ରାମର ହଜାର ହଜାର ଲୋକ ନିର୍ଭରଶୀଳ। ଗାଧୋଇବା ସହ ଖରାଦିନେ କିଛି ବସ୍ତିର ଲୋକ ନଦୀ ଜଳକୁ ପାନୀୟ ଭାବେ ମଧ୍ୟ ବ୍ୟବହାର କରୁଥିବା ସମସ୍ୟା ଆହୁରି ଜଟିଳ ହୋଇଛି। କିଛି ଲୋକ ବାଲି ମାଫିଆଙ୍କ ଏଭଳି ବେଆଇନ କାର୍ଯ୍ୟକୁ ବନ୍ଦ କରିବାକୁ ଅନେକ ଥର ପ୍ରତିବାଦ କରିଛନ୍ତି।

ହେଲେ ପ୍ରଶାସନିକ ଅଧିକାରୀଙ୍କ ବଳରେ ବଳିୟାନ ହୋଇଥିବା ମାଫିଆମାନେ ସ୍ଥାନୀୟ ଲୋକଙ୍କ ବିରୋଧକୁ ଫୁଃ କରି ଉଡାଇ ଦେଉଛନ୍ତି। ନଦୀ ଜଳ ପ୍ରଦୂଷିତ ହେଉଥିଲେ  ମଧ୍ୟ ସ୍ଥାନୀୟ ପ୍ରଦୂଷଣ ବିଭାଗର ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଫଳରେ ଶଙ୍ଖନଦୀର ଜଳସ୍ତର ହ୍ରାସ ପାଇବା ସହ ସ୍ଥାନୀୟ ଅଞ୍ଚଳରେ ଜଳାଭାବ ଦେଖାଦେଇଛି। ଉଲ୍ଲେଖଯୋଗ୍ୟ,‌ ଶଙ୍ଖ, କୋଏଲ ଓ ସରସ୍ବତୀ ନଦୀରେ ମିଶ୍ରଣ ସୃଷ୍ଟି ହୋଇଛି ବ୍ରାହ୍ମଣୀ ନଦୀ। ଶଙ୍ଖ ନଦୀର ଜଳ ସ୍ତର ହ୍ରାସ ପାଉଥିବାରୁ ଏହାର ସିଧାସଳଖ ପ୍ରଭାବ ପଡିଛି ବ୍ରାହ୍ମଣୀ ଉପରେ। ବ୍ରାହ୍ମଣୀ ନଦୀ ଉପରେ କେବଳ ରାଉରକେଲା ସହର ନୁହେଁ ବରଂ ଏହାର ଆଖପାଖର ଶହ ଶହ ଗ୍ରାମ ଓ ବସ୍ତିର ଲୋକମାନେ ନିର୍ଭରଶୀଳ ଥିବାବେଳେ ଏହା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବା ଯଥେଷ୍ଟ ସମ୍ଭାବନା ରହିଛି।

ଶଙ୍ଖନଦୀର ଜଳ ସ୍ତର ହ୍ରାସ ପାଉଥିବାରୁ ନଦୀପାର୍ଶ୍ବ ଚାଷ ଜମି ଗୁଡ଼ିକ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛି। ନଦୀ ଜଳ ଠିକ୍‌ ଭାବେ ନ ମିଳିବା ଓ ଯେଉଁଠି ଜଳ ମିଳୁଛି ତାହା ବିଷାକ୍ତ ଥିବାରୁ ଚାଷ ଜମିର ଫସଲଗୁଡ଼ିକ ନଷ୍ଟ ହୋଇ ଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଚାଷୀ।  ବାଲି ଉଠାଣ ନାଁରେ ସ୍ଥାନୀୟ ଲୋକ ଓ ଚାଷ ଜମିକୁ କ୍ଷତି ପହଞ୍ଚାଉଥିବା  ବାଲି ମାଫିଆଙ୍କ ବିରୋଧରେ ଦୃ‌ଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ  ଦାବି ହେଉଛି। ଏ ସଂକ୍ରାନ୍ତରେ ଲାଠିକଟା ତହସିଲଦାର ମନସ୍ବିନୀ ଦାସଙ୍କୁ ବାରମ୍ବାର ଯୋଗାଯ‌ୋଗ କରାଯାଇଥିଲେ ହେଁ ସେ ଫୋନ୍‌ ଉଠାଇ ନଥିଲେ। ଏଥିରୁ ଶଙ୍ଖ ନଦୀର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ କେତେ ତତ୍ପର ସ୍ପଷ୍ଟ ବାରି ହୋଇ ପଡୁଛି।

ସମ୍ବନ୍ଧିତ ଖବର