ପାଟପୁର: ‌ଗଞ୍ଜାମ ଜିଲ୍ଲାର ଧରାକୋଟ, ବେଲଗୁଣ୍ଠା, ବୁଗୁଡ଼ା ଓ ଶେରଗଡ଼ ବ୍ଲକ୍ ପରେ ଏବେ ସାନଖେମୁଣ୍ଡି ବ୍ଲକ୍‌ରେ ଝାଡ଼ାବାନ୍ତି ବ୍ୟାପିଛି। ୨ ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତକମାନେ ହେଲେ, ଆଡ଼ପଡ଼ା ଗ୍ରାମର କେଞ୍ଚୁ ନାୟକ (୬୦) ଓ ବାଉରି ନାୟକଙ୍କ ସ୍ତ୍ରୀ କାଞ୍ଚନ ନାୟକ (୬୨)। କେଞ୍ଚୁ ତିନିଦିନ ତ‌ଳେ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ‌ହୋଇ ଘରକୁ ଫେରିଥିଲେ। କିନ୍ତୁ ଆଜି ତାଙ୍କ ଅବସ୍ଥା ପୁଣି ଗୁରୁତର ହେବା ପରେ ଘରେ ସେ ପ୍ରାଣ ହରାଇଛନ୍ତି। ସେହିପରି କାଞ୍ଚନ ଭୟରେ ଡାକ୍ତରଖାନାକୁ ନଯାଇ ଦେଶୀ ଚିକିତ୍ସା କାରଣରୁ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। କଙ୍କୋରଡ଼ା, ଖଲିଙ୍ଗୀ, ଏରେଣ୍ଡ୍ରା, ଆଡପଡା, ଜଗନ୍ନାଥପୁର ଓ ଏସ.ଗୋପାଳପୁର ସମେତ ବିଭିନ୍ନ ଗ୍ରାମକୁ ଝାଡ଼ାବାନ୍ତି ବ୍ୟାପିଛି। ତେବେ ଆଡ଼ପଡ଼ାରୁ ସର୍ବାଧିକ ଆକ୍ରାନ୍ତ ହୋଇଥିବା ବେଳେ ସେଠାରେ ସ୍ଥିତି ଚିନ୍ତାଜନକ ରହିଛି।

Advertisment

ବର୍ଷା ପରେ ଦୂଷିତ ପାଣି ପିଇବା ଯୋଗୁଁ ଝାଡ଼ାବାନ୍ତି ବ୍ୟାପିଥିବା ଅନୁମାନ କରାଯାଉଛି। ଏହାସହ ପଡ଼ୋଶୀ ଶେରଗଡ଼ ବ୍ଲକ୍‌ର ବି.ବ୍ରହ୍ମପୁର ଓ ବାକିଲିକଣାରୁ ବହୁ ରୋଗୀ ଆସି ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସତ ହୋଇଥିଲେ। ଫଳରେ ଏଭଳି ସ୍ଥିତି ଉପୁଜିଥିବା ଆଶଙ୍କା କରାଯାଇଛି। ଅନ୍ୟପକ୍ଷରେ ଏଭଳି ପରିସ୍ଥିତି‌ରେ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ନିକଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଡାକ୍ତର ଅନୁପସ୍ଥିତ ରହୁଥିବା ଅଭିଯୋଗ ହୋଇଛି।