ସୋର: ଆଶ୍ରମ ନାମରେ କୁନିକୁନି ଅନ୍ତେବାସୀଙ୍କୁ ଶୋଷଣ କରାଯାଉଛି। ଏପରି ଏକ ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲା ସୋର ପୌରାଞ୍ଚଳରେ ଥିବା ବାଙ୍କବିହାରୀ ଆଶ୍ରମର ମୁଖ୍ୟ ପରିଚାଳକଙ୍କ ବିରୋଧରେ।
ସୋର ପୌରାଞ୍ଚଳ ଅଧୀନ ରାଇପୁର ଅନ୍ନପୂର୍ଣ୍ଣା ରାଇସ୍‌ ମିଲ୍‌ କଲୋନିରେ ରହିଛି ବାଙ୍କବିହାରୀ ଆଶ୍ରମ। ଯାହାର ମୁଖ୍ୟ ପରିଚାଳକ (ମାଲିକ) ହେଉଛନ୍ତି ତ୍ରୈଲୋକ୍ୟ ଦାଶ। ଏଠାରେ ବିଭିନ୍ନ ଅଞ୍ଚଳର ୮ ବର୍ଷ ୧୫ ବର୍ଷ ବୟସର ୨୫ରୁ ଅଧିକ ବାଳକ ଓ ବାଳିକା ରହୁଛନ୍ତି। ଯେଉଁମାନେ ଗାନ୍ଧୀ ପୁରୁବାଈ ସ୍କୁଲ୍‌ ଏବଂ କମରପୁର ସ୍କୁଲ୍‌ରେ ପାଠ ପଢ଼ନ୍ତି। ତେବେ ଅନ୍ତେବାସୀଙ୍କ ପାଠପଢ଼ାକୁ ଗୁରୁତ୍ବ ଦେଉନାହାନ୍ତି ଆଶ୍ରମର ମୁଖ୍ୟ ପରିଚାଳକ ଶ୍ରୀ ଦାଶ। ସେ ସେମାନଙ୍କୁ ନେଇ ଏକ ସଂକୀର୍ତ୍ତନ ଦଳ ଗଡ଼ିଛନ୍ତି। ଯେଉଁ ଦଳ ବିଭିନ୍ନ କାର୍ଯ୍ୟକ୍ରମ କରୁଛି। ପ୍ରତି କାର୍ଯ୍ୟକ୍ରମ ବାବଦରେ ୧୦ରୁ ୧୫ ହଜାର ଟଙ୍କା ମିଳେ। ଏମିତି ଶ୍ରୀ ଦାସ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କେବଳ ସେତିକି ନୁହେଁ, ଛୋଟ ଛୋଟ ଅନ୍ତେବାସୀଙ୍କ ଦ୍ବାରା ଆଶ୍ରମ ପାଇଖାନା ସଫା କରାଇବା ସହ ଅନ୍ୟ କାମ‌ରେ ଲଗାଉଛନ୍ତି।

Advertisment

ବିଭାଗୀୟ ଅଧିକାରୀ ଜାଣି ଅଜଣା
ପାଇଖାନା ଟାଙ୍କି ବି ସଫା କରୁଛନ୍ତି

ଏନେଇ ସ୍ଥାନୀୟ ଲୋକମାନେ ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବା କହିଛନ୍ତି। ଖଇରା ଚାଇଲ୍‌ଡ ଲାଇନ୍‌ର ସଦସ୍ୟ ପଞ୍ଚାନନ ତ୍ରିପାଠୀ ଓ ତପସ୍ୱିନୀ ରାଉତଙ୍କ ସହ ବାଲେଶ୍ୱର ଶିଶୁ ସୁରକ୍ଷା ୟୁନିଟ୍‌ର ସଦସ୍ୟମାନେ ଘଟଣା ବାବଦରେ ଅବଗତ ଅଛନ୍ତି। ହେଲେ ଅନ୍ତେବାସୀଙ୍କୁ ଉଦ୍ଧାର କରାଯିବା ନେଇ କିଛି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।
ଅଭିଯୋଗ ବାବଦରେ ଆଶ୍ରମର ମୁଖ୍ୟ ପରିଚାଳକ ଶ୍ରୀ ଦାଶଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ ଅନ୍ତେବାସୀଙ୍କୁ ପାଠପଢ଼ା ସହ ବାଦ୍ୟଯନ୍ତ୍ର ଶିକ୍ଷା ଦିଆଯାଉଛି। ହଜିଯାଉଥିବା ସଂକୀର୍ତ୍ତନ କଳାର ପ୍ରଚାରପ୍ରସାର ପାଇଁ ଉତ୍ସାହିତ କରାଯାଉଛି। ଯାହା ଅଭିଯୋଗ ହେଉଛି, ତାହା ମିଛ ବୋଲି କହିଛନ୍ତି।