ଦଶରଥପୁର : ଦଶରଥପୁର ବ୍ଲକ ସାନକୁଆଁଲ-ଖାନନଗର ଆର୍ଡି ରାସ୍ତା ପୁଣି ଧସିଯାଇଥିବା ଦେଖିବାକୁ ମିଳିଛି। କାର୍ଯ୍ୟଟି ଅତି ନିମ୍ନମାନର କରାଯାଇଥିବାରୁ ରାସ୍ତାର ବିଭିନ୍ନ ସ୍ଥାନରେ ଧସିଯାଉଥିବା ଅଭିଯୋଗ ହୋଇଛି। ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସଂପୃକ୍ତ ଅଧିକାରୀ ଓ ଠିକାସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।
କିଛି ଦିନ ହେବ ଏହି ରାସ୍ତାରେ ଲାଲବାଗଠାରୁ ୧ କିଲୋମିଟର ଦୂରରେ ରାସ୍ତା ପ୍ରାୟ ୧୦୦ ଫୁଟ ଲମ୍ବାର ୧୦ ଫୁଟ ଚଉଡ଼ାରେ ୪ ଫୁଟ ତଳକୁ ଧସିଯାଇଥିଲା। ପୁଣି ସେହି ରାସ୍ତାର ବିଭିନ୍ନ ସ୍ଥାନରେ ୪ଟି ସ୍ଥାନରେ ମାଟି ଧସିଯାଇଛି। କେଉଁଠି ୫୦ ଫୁଟ, କେଉଁଠି ୭୦ ତ ଆଉ କେଉଁଠି ୧୦୦ ଫୁଟ ଧସିଗଲାଣି। ରାସ୍ତାଟି ଚାଷଜମି ଦେଇ ଯାଉଥିବାବେଳେ ପୂର୍ବରୁ ସ୍ଥାୟୀ ରାସ୍ତା ନଥିଲା। ମାଟି ପକା ଆରମ୍ଭରୁ ରୋଲିଙ୍ଗ କରାଯାଇ ନାହିଁ କି ପାଣି ଦିଆଯାଇ ନାହିଁ। ମାଟି ଉପରେ ବାଲି, ଡଷ୍ଟ ସହିତ ମେଟାଲ ପରିମାଣ ଖୁବ କମ ରହିଥିବା କୁହାଯାଉଛି। ଧସିଥିବା ସ୍ଥାନରେ ମାଟି ଉପରେ ବାଲି ଓ ଡଷ୍ଟ ପରିମାଣ ୮୦ ପ୍ରତିଶତରୁ ଅଧିକ ଏବଂ ମେଟାଲ ୨୦ ପ୍ରତିଶତ ରହିଛି।
ଦଶରଥପୁର ବ୍ଲକ୍ ସାନକୁଆଁଲ ଭାୟା କୋତପୁର ଓ ଖାନନଗର ଆର୍ଡି ସଡ଼କ ଉପରେ ୪ ଟି ପଞ୍ଚାୟତର ପ୍ରାୟ ୩୦ ହଜାର ଲୋକ ନିର୍ଭର କରିଥାନ୍ତି। ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ୫ କୋଟି ୭୧ ଲକ୍ଷ ୭୨ ହଜାର ଟଙ୍କା ବ୍ୟୟ ଅଟକଳରେ ଏହି କାମ ହେଉଛି। ୮ କିଲୋମିଟର ୫୦୦ ମିଟର ଲମ୍ବ ଏହି ରାସ୍ତାରୁ ୮ କିମି ପିଚୁ ଓ ଅବଶିଷ୍ଟ ୫୦୦ ମିଟର କଂକ୍ରିଟ କରାଯିବ। ୨୦୧୮ ମାର୍ଚ୍ଚ ୬ରେ ଏହାର ଶିଳାନ୍ୟାସ ହୋଇଥିଲା। ମା’ ସନ୍ତୋଷୀ କନଷ୍ଟ୍ରକସନ୍ ଏହାର କାର୍ଯ୍ୟାଦେଶ ପାଇଥିବାବେଳେ ଡିସେମ୍ବର ୨୦୧୮ରେ ରାସ୍ତା ନିର୍ମାଣ ସାରିବା କଥା। ୫ ବର୍ଷ ପୂରଣ ହେବାକୁ ଯାଉଥିବାବେଳେ ଅଦ୍ୟାବଧି ଏହି ରାସ୍ତାରେ କିଛି ମାଟି ଓ ଡଷ୍ଟ ମେଟାଲ ପକାଇ ଠିକାସଂସ୍ଥା ଛୁ ମାରିଛି। ରାସ୍ତାଟି ଯାତାୟାତ ଅନୁପଯୋଗୀ ହୋଇଯାଇଛି। ତଥାପି ପ୍ରଶାସନ କି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି।