ଭୁବନେଶ୍ବର/ ପାଲୋ ଅଲ୍ଟୋ : ଆମେରିକାର ସିଲିକନ୍ ଭାଲି ଗସ୍ତରେ ଥିବା ଓଡ଼ିଶାର ପ୍ରତିନିଧି ଦଳ ଆଜି ଇଲେକ୍ଟ୍ରୋନିକ୍ସ ଓ ସାଇବର ନିରାପତ୍ତା କ୍ଷେତ୍ରର କଂପାନିଗୁଡ଼ିକର ବରିଷ୍ଠ ଅଧିକାରୀମାନଙ୍କ ସହ ସାକ୍ଷାତ କରି ସେମାନଙ୍କୁ ରାଜ୍ୟରେ ରହିଥିବା ନିବେଶ ସୁଯୋଗ ଓ ସରକାରୀ ପ୍ରୋତ୍ସାହନ ବିଷୟରେ ଆଲୋଚନା କରିଛନ୍ତି। ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ଉନ୍ନୟନ କମିସନର ଅନୁ ଗର୍ଗ, ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର, ୫-ଟି ସଚିବ ଭି କେ ପାଣ୍ଡିଆନ ପ୍ରମୁଖ ସାନ୍ମିନା କର୍ପୋରେସନ, ପାଲୋ ଅଲ୍ଟୋ ନେଟ୍ୱର୍କସ୍, ବେ’ଇକୋଟାରିଅମ୍ ଓ ରମ୍ବସ୍ ଆଦି ସଂସ୍ଥାର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଓଡ଼ିଶାରେ ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡ (ପିସିବି) ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ସାନ୍ମିନା କର୍ପୋରେସନ ଆଗ୍ରହ ପ୍ରକାଶ କରିଛି।
ଓଡ଼ିଶା ପ୍ରତିନିଧି ଦଳ ସାନ୍ମିନା କର୍ପୋରେସନର କାରଖାନା ପରିଦର୍ଶନ କରି କଂପାନିର ସିଇଓ ଜୁରେ ସୋଲା, ବରିଷ୍ଠ ଉପସଭାପତି ଡି ସୁନ୍ଦର କେ କାମାଥ, ମାଇକେଲ ସାରାସିନୋ ଓ ଉପସଭାପତି ବିଲ୍ ପାନାନିଙ୍କ ସହ ଆଲୋଚନା କରିଛନ୍ତି। ସେମାନେ ପାଲୋ ଅଲ୍ଟୋ ନେଟ୍ୱର୍କସ୍ର ବରିଷ୍ଠ ଉପସଭାପତି ଆନନ୍ଦ ଓସ୍ବାଲ୍ଙ୍କୁ ମଧ୍ୟ ଭେଟି ସାଇବର ନିରାପତ୍ତା କ୍ଷେତ୍ରରେ ରହିଥିବା ସମ୍ଭାବନ୍ୟ ସମ୍ଭାବନା ବିଷୟରେ ଆଲୋଚନା କରିଛନ୍ତି। ବେ’ଇକୋଟୋରିଅମ୍ର ସିଇଓ ଜର୍ଜ ଜ୍ୟାକବ୍ଙ୍କ ସହ ଜଳବିଭାଜିକା ସଂରକ୍ଷଣ ବିଷୟରେ ଆଲୋଚନା ହୋଇଛି। ରାଜ୍ୟରେ ଏକ ଲିଭିଙ୍ଗ ଓସୋନାରିଅମ୍ ଓ ସଷ୍ଟେନେବଲ ଡିଜାଇନ୍ ମ୍ୟୁଜିୟମ୍ ସ୍ଥାପନ କରିବାରେ ସାହାଯ୍ୟ କରିବାକୁ କଂପାନିକୁ ଓଡ଼ିଶା ପ୍ରତିନିଧି ଦଳ କହିଛନ୍ତି। ତାହା ଏହି ସଷ୍ଟେନେବଲ୍ ଡିଜାଇନ୍ ମ୍ୟୁଜିୟମ୍ ଓଡ଼ିଶାକୁ ଡିଜାଇନ୍ ଉତ୍ସବର ଏକ ହବ୍ରେ ପରିଣତ କରିବ। ସେହିପରି, ଷ୍ଟାନ୍ଫୋର୍ଡ ବିଶ୍ବବିଦ୍ୟାଳୟରେ ବିଶିଷ୍ଟ ପ୍ରଫେସର ତଥା ରମ୍ବସ୍ର ପ୍ରତିଷ୍ଠାତା ଡକ୍ଟର ମାର୍କ ହୋରୋୱିଜ୍ଙ୍କ ସହ ଆଲୋଚନା ବେଳେ ତାଙ୍କୁ ଓଡ଼ିଶା ଓ-ଚିପ୍ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଯାଇଛି। ରାଜ୍ୟରେ ଏକ ସେମିକଣ୍ଡକ୍ଟର ବ୍ୟବସ୍ଥା ବିକାଶ ଲାଗି ସହାୟତା ପ୍ରଦାନ କରିବାକୁ ତାଙ୍କୁ କୁହାଯାଇଛି।