କୂଳ ଖାଉଛି ସୁବର୍ଣ୍ଣରେଖା, ବିପଦରେ ସାନରାଉତପଡ଼ା, ବୀରେଶପୁର ଗାଁ

ଜଳେଶ୍ବର: ସୁବର୍ଣ୍ଣରେଖା ନଦୀତଟରେ ଥିବା ଜଳେଶ୍ଵର ବ୍ଲକର ସାନରାଉତପଡା ଓ ବିରେଶପୁର ଗାଁ ନିକଟରେ ନଦୀ କୂଳ ଖାଉଥିବାରୁ ଅଞ୍ଚଳବାସୀ ଭୟ ଓ ଆତଙ୍କରେ ଦିନ ବିତାଉଛନ୍ତି। ଏହି ଦୁଇ ଗାଁ ନିକଟରେ ତଟ ସୁରକ୍ଷା ପାଇଁ ସରକାର ଅବିଳମ୍ବେ ପଦକ୍ଷେପ ନ ନେଲେ ଚଳିତ ବର୍ଷାଋତୁରେ ବହୁ ସ୍ଥଳଭାଗ ନଦୀଗର୍ଭରେ ମିଶିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଜଳସେଚନ ବିଭାଗର ରିପୋର୍ଟ ଅନୁଯାୟୀ, ସୁବର୍ଣ୍ଣରେଖା ନଦୀତଟ ସଂଲଗ୍ନ ଜମାଳପୁର-କୋଟସାହି ଏକ ସମ୍ବେଦନଶୀଳ ସ୍ଥାନ। ଏହି ସ୍ଥାନରେ ନଦୀର ଅପରପାର୍ଶ୍ବରେ ଏକ ବିଶାଳକାୟ ବାଲି ଚଡ଼ ସୃଷ୍ଟି ହୋଇଛି। ଫଳରେ ନଦୀର ପ୍ରଖରସ୍ରୋତ ଜମାଳପୁର-କୋଟସାହି ନଦୀତଟରେ ମାଡ଼ ହେବା ସହ ନଦୀଶଯ୍ୟା ତଳେ ଥିବା ମାଟି ଧସିଯାଉଛି। ବିଶେଷ କରି ସାନରାଉତପଡା ଗାଁ ନିକଟରେ ନଦୀ କୂଳ ଖାଇବା ଯୋଗୁଁ ସାନରାଉତପଡା ସ୍କୁଲ ଓ ଶିବ ମନ୍ଦିର ନିକଟ ସ୍ଥଳଭାଗ ଧୀରେ ଧୀରେ ନଦୀଗର୍ଭକୁ ଚାଲି ଯାଉଛି। ସାନରାଉତପଡା ଗାଁ ନିକଟ ନଦୀବନ୍ଧ ମଧ୍ୟ ବର୍ତ୍ତମାନ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ତଟ ସୁରକ୍ଷା ପାଇଁ ଜମାଳପୁରରୁ କୋଟସାହି ଯାଏ ୬୦୦ ମିଟର ଲଚିଂପେକିଂ ଓ ୪ଟି ସ୍ପର୍‌ ନିର୍ମାଣ କରାଯିବାକୁ ଜଳସମ୍ପଦ ବିଭାଗ ତରଫରୁ ୨୦୧୬ ମସିହାରେ ୬ କୋଟି ଟଙ୍କାର ଏକ ଯୋଜନା ପ୍ରସ୍ତୁତ ହୋଇଥିଲା। ଏହି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟି ଅନୁମୋଦନ ମଧ୍ୟ ଦେଇଥିଲେ। ତେବେ ଏହା ଭିତରେ ୬ ବର୍ଷ ବିତି ଯାଇଥିଲେ ମଧ୍ୟ ଅର୍ଥ ମଞ୍ଜୁର ହୋଇନଥିବାରୁ କାମ ଆରମ୍ଭ ହୋଇ ପାରୁନାହିଁ।

ସେହିପରି ଲକ୍ଷ୍ମଣନାଥରୁ ବିରେଶପୁର ଯାଏ ନଦୀବନ୍ଧରୁ ଅତଡ଼ା ଖସି ବହୁ ସ୍ଥଳଭାଗ ନଦୀଗର୍ଭରେ ବିଲୀନ ହେବାକୁ ବସିଛି। ସବୁଠାରୁ ବଡ଼କଥା ହେଉଛି, ସୁବର୍ଣ୍ଣରେଖା କୂଳ ପାଖ ବିରେଶପୁର ଗାଁରେ ଏକର ଏକର ପାଳ ଜମି ପରିବା ଚାଷ ପାଇଁ ଖ୍ୟାତ ଥିବା ବେଳେ ବର୍ତ୍ତମାନ ଏହା ସୁବର୍ଣ୍ଣରେଖା ଆଁରେ ରହିଛି। ପ୍ରତିଦିନ ନଦୀପାଣି ଜମି ଭିତରକୁ ମାଡ଼ି ଆସୁଛି। ଗତ କିଛି ମାସ ମଧ୍ୟରେ ଏଠାରେ ୧୦ ମିଟର ଓସାର ସ୍ଥଳଭାଗକୁ ନଦୀ ମାଡ଼ିଆସିଛି। ଗ୍ରାମବାସୀ ସେମାନଙ୍କ ଉର୍ବର ଜମି ହରାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ତଟ କ୍ଷୟ ରୋକିବା ପାଇଁ ଲକ୍ଷ୍ମଣନାଥରୁ ବିରେଶପୁର ଯାଏ ଜିଓ ବ୍ୟାଗ୍‌ ପେକିଂ କାମ ପାଇଁ କୋଟିଏ ଟଙ୍କାର ଯୋଜନା କିଛି ମାସ ତଳେ ପ୍ରସ୍ତୁତ ହୋଇଥିଲା। ଯୋଜନାଟି ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟକୁ ପଠାଯାଇଥିବା ବେଳେ ରାଜ୍ୟପାଣ୍ଠିରୁ ଅର୍ଥ ମଞ୍ଜୁର ହେବ ବୋଲି ବିଭାଗ ଆଶା ରଖିଛି। ତେବେ ଗ୍ରାମବାସୀଙ୍କ ଧନଜୀବନ ସୁରକ୍ଷା ପାଇଁ ଏହି ଦୁଇ ଯୋଜନାରେ ସରକାର ତୁରନ୍ତ ଅର୍ଥ ମଞ୍ଜୁର କରି କାମ ଆରମ୍ଭ କରନ୍ତୁ ବୋଲି ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର