ମାଟ୍ରିକରେ ସଂସ୍କୃତ ବିକଳ୍ପ ହେବ ଧନ୍ଦାମୂଳକ ପାଠ୍ୟକ୍ରମ : ସଂସ୍କୃତ ଛାତ୍ରଛାତ୍ରୀଙ୍କ ବିରୋଧ, ଧାରଣା

କଟକ : ହାଇସ୍କୁଲ ପାଠ୍ୟକ୍ରମରେ ୨୦୧୯-୨୦୨୦ ଶିକ୍ଷା ବର୍ଷରୁ ତୃତୀୟ ଭାଷା ସଂସ୍କୃତର ବିକଳ୍ପ ବିଷୟ ଭାବେ ଧନ୍ଦାମୂଳକ ପାଠ୍ୟକ୍ରମ ପ୍ରଚଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରେଭେନ୍ସା ସଂସ୍କୃତ ବିଭାଗ ଛାତ୍ରଛାତ୍ରୀ ଏହାକୁ ବିରୋଧ କରି ଆଜି ଧାରଣା ଦେଇଛନ୍ତି। ପୂର୍ବରୁ ହାଇସ୍କୁଲରେ ସଂସ୍କୃତକୁ ତୃତୀୟ ଭାଷା ରୂପେ ବି‌ବେଚନା କରାଯାଉଥିବା ବେଳେ ଏହାର ବିକଳ୍ପ ଭାବେ ହିନ୍ଦୀ ଭାଷା ଥିଲା। ମାତ୍ର ୨୦୧୯-୨୦ ବର୍ଷରେ ରାଜ୍ୟ ସରକାର ସଂସ୍କୃତ ତଥା ତୃତୀୟ ଭାଷାର ବିକଳ୍ପ ଭାବେ ଧନ୍ଦାମୂଳକ ପାଠ୍ୟକ୍ରମ ଯଥା ଏଗ୍ରିକଲ୍ଚର, ମେଡ୍‌ ଅଫ୍ସ ଆଣ୍ଡ ହୋମ୍‌ ଫର୍ନିସିଙ୍ଗ୍‌, ପ୍ଲମ୍ବର, ଅଟୋମୋଟିଭ୍‌, ଇଲୋକ୍‌ଟ୍ରୋନିକ୍ସ, ହାର୍ଡଓୟାର, ଟୁରିଜିମ୍‌ ଆଣ୍ଡ ହସ୍ପିଟାଲିଟି ଆଦିକୁ ଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ‌େନଇ ଗତବର୍ଷ ସେପ୍ଟେମ୍ବର ୧୨ ତାରିଖରେ ରାଜ୍ୟ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ‌ଅନ୍ୟପଟେ ଯେଉଁ ଛାତ୍ରଛାତ୍ରୀ ଓଡ଼ିଶା ଓ ରାଜ୍ୟ ବାହାରର ଶିକ୍ଷା ଅନୁ‌ଷ୍ଠାନରୁ ଶିକ୍ଷାଶାସ୍ତ୍ରୀ ମାନ୍ୟତା ହାସଲ କରିଥିବେ ସେମାନଙ୍କୁ ଓଡ଼ିଶା ସରକାର ବିଇଏଡ୍ ଡିଗ୍ରି ଧାରୀଙ୍କ ସହିତ ଗ୍ରହଣ କରିବେ ନାହିଁ ବୋଲି ଚଳିତ ମାସ ୧୮ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏପରି କରିବା ଦ୍ବାରା ହଜାର ହଜାର ସଂସ୍କୃତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହେବାକୁ ଯାଉଛି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ଏହି ଦୁଇଟି ନୂଆ ନିୟମକୁ ତୁରନ୍ତ ଉଠାଇବା ଦାବିରେ ଛାତ୍ରଛାତ୍ରୀ ଆଜି କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସଂସ୍କୃତ ଭାଷାର ସୁରକ୍ଷା ପାଇଁ ଏହି ଆନ୍ଦୋଳନକୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ବିଶ୍ବିଦ୍ୟାଳୟରେ ବ୍ୟାପକ କରାଯିବ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର