ସଙ୍କଟରେ ସଂସ୍କୃତ ଟୋଲ୍‌

ବୁଡ଼ିବାକୁ ବସିଲାଣି ଶହ ଶହ ବର୍ଷର ଶିକ୍ଷାନୁଷ୍ଠାନ, ଶିକ୍ଷକ ନିଯୁକ୍ତି ହେଉନି, ପିଲା କମୁଛନ୍ତି, ନାଲିଫିତା ତଳେ ଫାଇଲ୍‌

ଭୁବନେଶ୍ବର : ସଙ୍କଟରେ ସଂସ୍କୃତ ଶିକ୍ଷାନୁଷ୍ଠାନ(ଟୋଲ୍‌)। ରାଜ୍ୟ ସରକାରଙ୍କ ଚରମ ଅବହେଳା ଯୋଗୁଁ ଏହି ପାରମ୍ପରିକ ଶିକ୍ଷାନୁଷ୍ଠାନଗୁଡ଼ିକ ଧୀରେ ଧୀରେ ବନ୍ଦ ହେବାକୁ ବସିଲାଣି। ୧୯୯୪ ସୁଦ୍ଧା ରାଜ୍ୟରେ ୨୧୪ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ସଂସ୍କୃତ ଟୋଲ୍‌ ରହିଥିବା ବେଳେ ଏବେ ସେଥିରୁ ୫୪ଟିରେ ତାଲା ପଡ଼ିଲାଣି। ବାକି ଟୋଲ୍‌ଗୁଡ଼ିକର ପୁନରୁଦ୍ଧାର ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଉ ନଥିବାରୁ ଶହ ଶହ ବର୍ଷର ଶିକ୍ଷାନୁଷ୍ଠାନ ଏବେ ବୁଡ଼ିବାକୁ ବସିଲାଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ହସ୍ତକ୍ଷେପ କରି ଟୋଲ୍‌ଗୁଡ଼ିକର ପୁନରୁଦ୍ଧାର ଦିଗରେ ପଦ‌କ୍ଷେପ ନେବାକୁ ଦାବି ହୋଇଛି।

୧୯୯୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଜ୍ୟରେ ଥିବା ପୂର୍ଣ୍ଣ ଅନୁଦାନପ୍ରାପ୍ତ ୩ ହଜାର ହାଇସ୍କୁଲ ସମେତ ୨୧୪ଟି ସଂସ୍କୃତ ଟୋଲ୍‌କୁ ସରକାରୀ କରିବାକୁ ପାଇଁ ‌ନିଷ୍ପତ୍ତି ନେଇଥିଲେ। ସେହି ଅନୁଯାୟୀ ୩ ହଜାର ହାଇସ୍କୁଲକୁ ସରକାର ହାତକୁ ନେଇଥିଲେ। ମାତ୍ର ୨୧୪ଟି ଟୋଲ୍‌ର ଭାଗ୍ୟ ସେମିତି ନାଲିଫିତା ତଳେ ରହିଗଲା। ସେବେଠାରୁ ଟୋଲ୍‌ଗୁଡ଼ିକ ଅବସ୍ଥା ଖରାପ ହୋଇ ଚାଲିଛି। ଇତି ମଧ୍ୟରେ ୨୫ ବର୍ଷ ବିତିଗଲାଣି। ଟୋଲ୍‌ଗୁଡ଼ିକରୁ ପଣ୍ଡିତ ଓ ଶିକ୍ଷକମାନେ ଅବସର ନେଉଛନ୍ତି। ହେଲେ ସେମାନଙ୍କ ସ୍ଥାନରେ ନୂତନ ନିଯୁକ୍ତି ଦିଆଯାଉ ନାହିଁ। ଅନ୍ୟ ବିଦ୍ୟାଳୟଗୁଡ଼ିକୁ ଦିଆଯାଉଥିବା ସୁବିଧା ସୁଯୋଗ ଯଥା-ଛାତ୍ରଛାତ୍ରୀଙ୍କୁ ପୋଷାକ, ଶିକ୍ଷଣୀୟ ଉପକରଣ ଦିଆଯାଉ ନାହିଁ। ଯେଉଁଥିପାଇଁ ଟୋଲଗୁଡ଼ିକରେ ଦିନକୁ ଦିନ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଉଛି।

ସବୁଠାରୁ ବଡ଼ କଥା ହେଉଛି ଯେ ବହୁ ବାଧାବିଘ୍ନ ମଧ୍ୟରେ ତିଷ୍ଠି ରହିଥିବା ଟୋଲ୍‌ଗୁଡ଼ିକ ମଧ୍ୟରୁ ଅର୍ଧାଧିକରେ ଜଣେ କିମ୍ବା ଦୁଇ ଜଣ ଶିକ୍ଷକ ରହିଛନ୍ତି। କିଛି ଟୋଲ୍‌ ପିଅନ ଓ କର୍ମଚାରୀଙ୍କ ଦ୍ବରା ଚାଲୁଛି। ନୂତନ ନିଯୁକ୍ତି ହେଉ ନଥିବାରୁ ପାଠପଢ଼ା ଠିକ୍‌ ଭାବେ ହୋଇପାରୁନି। ଯଦି ଏଭଳି ଚାଲିବ ତେବେ ଆସନ୍ତା ଗୋଟିଏରୁ ଦୁଇ ବର୍ଷ ମଧ୍ୟରେ ଆଉ କିଛି ଟୋଲ୍‌ ବନ୍ଦ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ଥିବା ଦୁଇଟି ଶହେ ବର୍ଷର ପୁରୁଣା ଟୋଲ୍‌ ଶିକ୍ଷକ ଅଭାବରୁ ବନ୍ଦ ହେବାକୁ ବସିଛି ବୋଲି ନିଖିଳ ଉତ୍କଳ ସଂସ୍କୃତ ମହାମଣ୍ଡଳ ପକ୍ଷରୁ ଅଭିଯୋଗ ହୋଇଛି।

ଟୋଲ୍‌ଗୁଡ଼ିକୁ ସରକାରୀ କରିବା ସହ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରିବାକୁ ରାଜ୍ୟର ମନ୍ତ୍ରୀ, ବିଧାୟକ, ସାଂସଦମାନେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ଏଥିସହ ନିଖିଳ ଉତ୍କଳ ସଂସ୍କୃତ ମହାମଣ୍ଡଳ ପକ୍ଷରୁ ମଧ୍ୟ ଗଣଶିକ୍ଷା ବିଭାଗର ହସ୍ତକ୍ଷେପ ‌ଲୋଡ଼ାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଟୋଲଗୁଡ଼ିକୁ ସରକାରୀ କରିବା ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ୨୦୧୭ ଡିସେମ୍ବର ମାସରେ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ଚିଠି ଲେଖାଯାଇଥିଲା। ମାଧ୍ୟମିକ ଶିକ୍ଷା ନିର୍ଦେଶକ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କଠାରୁ ଟୋଲଗୁଡ଼ିକର କାଗଜପତ୍ର ମଗାଇଥିଲେ। ବିଭାଗୀୟ ତର୍ଜମା କରି ପଠାଇବା ପ‌ରିବର୍ତ୍ତେ ଶିକ୍ଷାନୁଷ୍ଠାନର ଦୁରାବସ୍ଥା ତଥା ଶିକ୍ଷକ ଅଭାବ ଜନିତ ସମସ୍ୟାକୁ ତର୍ଜମା ନ କରି ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍‌ ଦର୍ଶାଇ କିଛି ଟୋଲଥକୁ ସ୍ବୀକୃତି ପ୍ରତ୍ୟାହାର ପାଇଁ କାରଣ ଦର୍ଶାଅ ନୋଟିସ୍‌ ପଠାଯାଇଥିବାରୁ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଇତି ମଧ୍ୟରେ ୧୨୭୭ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ରାଜ୍ୟ ସରକାର ହାତକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଟୋଲ୍‌ଗୁଡ଼ିକୁ ହାତକୁ ନେବା କ୍ଷେତ୍ରରେ କୌଣସି ପଦକ୍ଷେପ ନେଉନାହାନ୍ତି। ଯେଉଁଥିପାଇଁ ପୁରାତନ ଭାଷା ଭିତ୍ତିକ ଶିକ୍ଷାନୁଷ୍ଠାନ ଧ୍ବଂସ ଆଡ଼କୁ ଅଗ୍ରସର ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ହସ୍ତକ୍ଷେପ କରିବା ସହ ବୁଡ଼ି ଯାଉଥିବା ଶିକ୍ଷାନୁଷ୍ଠାନଗୁଡ଼ିକର ପୁନରୁଦ୍ଧାର କରିବା ଦିଗରେ ପଦକ୍ଷେପ ନେବାକୁ ମହାମଣ୍ଡଳ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର