‘ସଂସ୍କୃତ ହିଁ ବିଶ୍ବଭାଷା ହେବ’

ପୁରୀ : ସ୍ଥାନୀୟ ସଦାଶିବ ପରିସରରେ ଲୋକଭାଷା ପ୍ରଚାର ସମିତି ଓ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ଦ୍ବିଦିବସୀୟ ରାଷ୍ଟ୍ରୀୟ ସଂସ୍କୃତ ମହାଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଜଷ୍ଟିସ ଡ. ବିଦ୍ୟୁତରଞ୍ଜନ ଷଡ଼ଙ୍ଗୀ ଉଦ୍‌ଘାଟନ କରି ସଂସ୍କୃତରେ ଭାଷଣ ଦେଇ ସଂସ୍କୃତ ଭାଷାର ଆଦର ଏବଂ ଉପାଦେୟତା ବିଶ୍ବରେ ବୃଦ୍ଧି ଘଟିଛି ବୋଲି କହିଛନ୍ତି। ଆଗାମୀ ଦିନରେ ସଂସ୍କୃତ ହିଁ ବିଶ୍ବର ସର୍ବଶ୍ରେଷ୍ଠ ଆବଶ୍ୟକ ଭାଷା ଭାବେ ପ୍ରତିଷ୍ଠା ଲାଭ କରିବ ବୋଲି ଜଷ୍ଟିସ ଷଡ଼ଙ୍ଗୀ କହିଛନ୍ତି।

ପୂର୍ବତନ କୁଳପତି ପ୍ରଫେସର ଅଲେଖ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନେପାଳ ସଂସ୍କୃତ ବିଶ୍ବବିଦ୍ୟାଳୟର ପ୍ରଫେସର କାଶୀନାଥ ନୌପାନେ, ରାଜସ୍ଥାନର ପୂର୍ବତନ ଶିକ୍ଷାମନ୍ତ୍ରୀ ବ୍ରଜକିଶୋର ଶର୍ମା, ରାଜସ୍ଥାନ ସଂସ୍କୃତ ସମ୍ମିଳନୀର ମହାସଚିବ ଡ. ରାଜକୁମାର ଯୋଶୀ, କର୍ଣ୍ଣାଟକ ହାଇକୋର୍ଟର ବରିଷ୍ଠ ଅଧିବକ୍ତା ରମେଶ ଯୋଶୀ ପ୍ରମୁଖ ଯୋଗଦେଇ ସଂସ୍କୃତ ଭାଷାର ଉପାଦେୟତା ଓ ସରକାରୀ ପ୍ରୋତ୍ସାହନ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଫେସର ଖଗେଶ୍ବର ମିଶ୍ର ଅତିଥିମାନଙ୍କୁ ସ୍ବାଗତ କରିବା ପରେ ସମିତିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ସଦାନନ୍ଦ ଦୀକ୍ଷିତ ଲୋକଭାଷା ପ୍ରଚାର ସମିତିର ୪୧ତମ ଜନ୍ମ ଦିବସରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ଏହି ଅବସରରେ ରାଷ୍ଟ୍ରସ୍ତରୀୟ ୭ ଜଣ ବିଦ୍ବାନଙ୍କୁ ସମ୍ମାନ ଫଳକ ଓ ଉପାଧି ପ୍ରଦାନ କରାଯାଇଥିଲା। ଅପରାହ୍ନରେ ମାଡ୍ରାସ ବିଶ୍ବବିଦ୍ୟାଳୟର ପ୍ରଫେସର ଶୀତରୁଦ୍ଧ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୌଦ୍ଧିକ ସଂଗୋଷ୍ଠୀରେ ସଂସ୍କୃତର ବିକାଶ ପାଇଁ ଆଗାମୀ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଶେଷରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନୃତ୍ୟ ବିଚିତ୍ରା ଡ. ସୁଶାନ୍ତ ସଜଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା। ସମିତିର ଓଡ଼ିଶା ଶାଖାଧ୍ୟକ୍ଷ ଡ.ବିପିନ ବିହାରୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର