ବିଶୋଇ: ପ୍ରଚଣ୍ଡ ରୌଦ୍ର ତାପରେ ଆଜି ଜଣେ ଯୁବକର ମୃତ୍ୟୁର କାରଣ ପାଲଟିଛି। ଅଟୋ ସଜାଡିବାକୁ ଆସି ଜଣେ ଅଟୋ ଚାଳକଙ୍କ ଅଂଶୁଘାତ କାରଣ ଜନିତ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଅଟୋ ଚାଳକ ହେଲେ ଜଏଲ ମୁଣ୍ଡା(୪୪)।
ସୂଚନା ଅନୁସାରେ ସାରସକଣା ବ୍ଲକ ଶଙ୍ଖାଭଙ୍ଗା ପଞ୍ଚାୟତର କୁକୁଡ଼ାଅଣ୍ଡା ଗ୍ରାମର ଜୁଏଲ ଆଜି ମଧ୍ୟାହ୍ନ ସମୟରେ ବିଶୋଇ ବ୍ଲକ ଛକସ୍ଥିତ ଏକ ଗ୍ୟାରେଜକୁ ନିଜର ଅଟୋ ସଜାଡିବାକୁ ଆସିଥିଲେ। ଗ୍ୟାରେଜ ମିସ୍ତ୍ରୀ ତାଙ୍କର ଅଟୋ ସଜାଡୁଥିବାବେଳେ ଜୁଏଲ ଗ୍ୟାରେଜ ନିକଟରେ ବସିଥିବା ସମୟରେ ହଠାତ ଅଚେତ ହୋଇ ଟଳି ପଡ଼ିଥିଲେ।ଏହାଦେଖି ସ୍ଥାନୀୟ ଲୋକେ ୧୦୮କୁ ଖବର ଦେବା ସହିତ ଆମ୍ବୁଲାନ୍ସ ସହାୟତାରେ ଜଏଲଙ୍କୁ ପ୍ରଥମେ ବିଶୋଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ବିଶୋଇ ଡାକ୍ତର ତାଙ୍କୁ ବିଜାତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଡାକ୍ତର ସେଠାରେ ଜଏଲଙ୍କୁ ମୃତ୍ୟୁ ଘଷଣା କରିଥିଲେ।
ଘଟଣା ବିଷୟରେ ଖବର ପାଇ ସ୍ଥାନୀୟ ପୁଲିସ ମେଡ଼ିକାଲକୁ ପହଞ୍ଚି ଜଏଲଙ୍କ ମୃତ ଶରୀରକୁ ଜବତ କରି ଗୁରୁବାର ବ୍ୟବଚ୍ଛେଦ ପାଇଁ ପଠାଇବାର ସୂଚନା ମିଳିଛି।ଖବରପାଇ ଜଏଲଙ୍କ ପରିବାର ଲୋକେ ମଧ୍ୟ ତାଙ୍କ ନିକଟକୁ ପହଞ୍ଚିଥିଲେ। ଜଏଲଙ୍କର ପରିବାରରେ ନିଜର ଧର୍ମପତ୍ନୀ ଏବଂ ୧୫ ଓ ୧୨ ବର୍ଷର ଦୁଇ ପୁତ୍ର ଥିବାବେଳେ ସେ ଅଟୋ ଚଳାଇ ନିଜ ପରିବାରର ପ୍ରତିପୋଷଣ କରିଥାନ୍ତି। ନିଜର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିକୁ ହରାଇ ଜଏଲଙ୍କ ପରିବାର ଏବେ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିଛନ୍ତି। ଏଣୁ ଯଥାଶୀଘ୍ର ଅସହାୟ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଜଏଲଙ୍କ ପରିବାର ଲୋକେ ସରକାର ନିକଟରେ ଗୁହାରି କରିଛନ୍ତି।