ଭୁବନେଶ୍ବର: ଜନଜାତି ଭାଷା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ‘ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷ’ ଆଜି ଲୋକାର୍ପିତ ହୋଇଛି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଥିଲେ। ଏଥି ସହିତ ସୌରା, କୁଇ, କୁଭି, ଗୋଣ୍ଡି ଓ ମୁଣ୍ଡା ଭାଷାର ପ୍ରାଥମିକ ଶ୍ରେଣୀ ନିମନ୍ତେ ୨୧ଟି ଅତିରିକ୍ତ ପାଠ୍ୟପୁସ୍ତକ ମଧ୍ୟ ଲୋକାର୍ପଣ କରିଥିଲେ।

Advertisment

ଏହି ଅବସରରେ ଉପସ୍ଥିତ ଜନଜାତି ସମ୍ପ୍ରଦାୟର ପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଅଭିଧାନ ସାନ୍ତାଳୀ ଭାଷାକୁ ଆହୁରି ସମୃଦ୍ଧ କରିବ। ପ୍ରାଥମିକ ଶିକ୍ଷା ପାଇଁ ଅତିରିକ୍ତ ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଶେଷ ଉପଯୋଗୀ ହେବ। ପ୍ରତି ଜିଲ୍ଲାରେ ଭାଷା ଗବେଷଣାଗାର (ଲାଙ୍ଗୁଏଜ୍‌ ଲାବ୍‌) କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଏହାଦ୍ବାରା ଜନଜାତି ଭାଷା ସାହିତ୍ୟ ଓ ସଂସ୍କୃତି ଉପରେ ଅଧିକ ଗବେଷଣା କରିବା ପାଇଁ ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିଶିଷ୍ଟ ସାନ୍ତାଳୀ ଭାଷାବିତ୍‌ ଚୈତନ୍ୟ ପ୍ରସାଦ ମାଝୀ ଏହି ଶଦ୍ଦକୋଷକୁ ପ୍ରସ୍ତୁତ କରିଛନ୍ତି। ତାଙ୍କୁ ସାନ୍ତାଳୀ ଭାଷାର ଭାଷାବିତ୍‌ମାନେ ସହଯୋଗ କରିଥିଲେ। ସାନ୍ତାଳୀ ଭାଷା ଆମ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନିତ ହୋଇଛି। ସାନ୍ତାଳୀ ସହିତ ଅନ୍ୟ ଜନଜାତି ଭାଷାରେ ଶଦ୍ଦକୋଷ ପ୍ରକାଶନ ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି। ବିଭାଗ ପକ୍ଷରୁ ଆଉ ୧୧ଟି ଜନଜାତି ଭାଷାରେ ପ୍ରାଥମିକ ଅତିରିକ୍ତ ପାଠ୍ୟପୁସ୍ତକ ପ୍ରସ୍ତୁତି ପାଇଁ କାର୍ଯ୍ୟ ଜାରି ରହିଛି।

ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି, ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିଲେ। ୫-ଟି ସଚିବ ଭି. କେ. ପାଣ୍ଡିଆନ, ବିଭାଗୀୟ ଶାସନ ସଚିବ ରୂପାରୋଶନ ସାହୁ ଓ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସାନ୍ତାଳୀ ଭାଷାବିତ୍ ଚୈତନ୍ୟ ପ୍ରସାଦ ମାଝୀଙ୍କ ସହ କୁଇ, କୂଭି, ଗୋଣ୍ଡି ଓ ମୁଣ୍ଡା ଜନଜାତି ପ୍ରତିନିଧିମାନେ ଉପସ୍ଥିତ ଥିଲେ।