ନିରବି ଗଲେ ଚିରସବୁଜ ସଙ୍ଗୀତଜ୍ଞ ଶାନ୍ତନୁ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ, ତାଙ୍କ ନିର୍ଦ୍ଦେଶନାରେ ରଫି ଓ ଲତା ଗାଇଥିଲେ ଓଡ଼ିଆ ଗୀତ

ଭୁବନେଶ୍ବର : ଏଇ ଜୀବନଟା ଏକ ନାଟକ, ତା’ର କଳଙ୍କିତ ମୁଁ ନାୟକ… ଚିରସବୁଜ ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ର ଅଭିନୟ ସାରି ଫେରିଯାଇଛନ୍ତି। ଗତକାଲି ରାତି ସାଢ଼େ ୧ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି। ଗତ ୨ ବର୍ଷ ହେଲା ହେଲା ଅସୁସ୍ଥ ରହୁଥିବା ଶ୍ରୀ ମହାପାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଗତ କିଛି ଦିନ ତଳେ ହଠାତ୍‌ ବିଗିଡ଼ି ଯାଇଥିଲା। ରବିବାର ରାତିରେ ତାଙ୍କୁ ଭୁବନେଶ୍ବରସ୍ଥିତ କେୟାର ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେ ଆକ୍ୟୁଟ୍‌ ନିମୋନିଆରେ ପୀଡ଼ିତ ଥିବା ବେଳେ ତାଙ୍କର କିଡ୍‌ନି ପ୍ରାୟ ଅଚଳ ହୋଇଯାଇଥିଲା। ଗତକାଲି ରାତିରେ ମଲ୍ଟିପୁଲ୍‌ ଅର୍ଗାନ୍‌ ଫେଲ୍‌ୱର ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ସୂତ୍ରରୁ ସୂଚନା ମିଳିଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଶିଖା ମହାପାତ୍ର, ଜ୍ୟେଷ୍ଠ ପୁତ୍ର କୌଶିକ ମହାପାତ୍ର, କନିଷ୍ଠ ପୁତ୍ର ସମ୍ବିତ ମହାପାତ୍ର ଓ ଭାଇ ତଥା ଜଣାଶୁଣା କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଆଜି ସକାଳ ୧୦ଟାରେ ତାଙ୍କ ପାର୍ଥିବ ଶରୀର ହସ୍ପିଟାଲରୁ ଭୁବନେଶ୍ୱର ପଳାସପଲ୍ଲୀସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା। ସେଠାରେ ବନ୍ଧୁ ପରିଜନ ଓ ଶୁଭେଚ୍ଛୁମାନେ ଶାନ୍ତନୁଙ୍କର ଶେଷ ଦର୍ଶନ କରିଥିଲେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସଂସ୍କୃତି ମନ୍ତ୍ରୀ‌ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସମେତ ଚଳଚ୍ଚିତ୍ର ଓ ସଂଗୀତ ଦୁନିଆର ବହୁ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ। ଏହାପରେ ମରଶରୀରକୁ ସଙ୍ଗୀତ ନାଟକ ଏକାଡେମି ଓ ପରେ ଭୁବନେଶ୍ବର କଳାକେନ୍ଦ୍ରକୁ ନିଆଯାଇଥିଲା। ଅପରାହ୍ନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ‌ହୋଇଥିଲା।

୧୯୩୬ ମସିହାରେ ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ ଜନ୍ମଗ୍ରହଣ କରିଥିଲେ ଶାନ୍ତନୁ। ପିତା ଥିଲେ ରମେଶ ଚନ୍ଦ୍ର ମହାପାତ୍ର ଓ ମା’ଙ୍କ ନାମ ଥିଲା ସୌଦାମିନି ମହାପାତ୍ର। ଉଭୟ ସଙ୍ଗୀତରେ ରୁଚି ରଖୁଥିବା ବେଳେ ଭଲ ଗୀତ ଗାଉଥିଲେ। ଶାନ୍ତନୁ ବିଜ୍ଞାନରେ ଯୁକ୍ତ ୨ ଉତ୍ତୀର୍ଣ୍ଣ ହେବା ପରେ ଆଇଆଇଟି ଖଡ଼ଗପୁରରୁ ଆପ୍ଲାଏଡ୍ ଜିଓଲଜି ଆଣ୍ଡ ଜିଓଫିଜିକ୍ସରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ରାଜ୍ୟ ସରକାରଙ୍କ ମାଇନିଂ ଏବଂ ଜିଓଲୋଜି ବିଭାଗରେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଛନ୍ତି ସ୍ବର୍ଗତ ମହାପାତ୍ର। ଜଣେ ଦକ୍ଷ ଭୂତତ୍ବବିତ୍‌ ହୋଇଥିଲେ ମଧ୍ୟ ସେ କେବେ ସଙ୍ଗୀତରୁ ଦୂରେଇ ନାହାନ୍ତି। ମାତ୍ର ୫ ବର୍ଷ ବୟସରେ ସଙ୍ଗୀତ ଗୁରୁ ବାଞ୍ଛାନିଧି ପଣ୍ଡାଙ୍କ ନିକଟରୁ ସଂଗୀତ ଶିକ୍ଷା କରିଥିଲେ ଶାନ୍ତନୁ। ପିଲା ଦିନୁ ସଙ୍ଗୀତ ପ୍ରତି ଅହେତୁକ ଦୁର୍ବଳତା ରହିଥିବା ଶାନ୍ତନୁ ଅତି ଛୋଟ ବେଳୁ ହିଁ ନିଜ ପ୍ରତିଭା ପ୍ରତିପାଦିତ କରିପାରିଥିଲେ।

ଓଡ଼ିଶାରେ ସଙ୍ଗୀତର ଏକ ନୂଆ ଧାରା ସୃଷ୍ଟି କରିଥିଲେ ଶାନ୍ତନୁ। କେବଳ ଓଡ଼ିଆ ନୁହେଁ ହିନ୍ଦୀ, ବଙ୍ଗଳା, ଆସାମୀ ଓ ତେଲୁଗୁ ଭାଷାରେ ବି ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସଙ୍ଗୀତ ସାଧନା ପାଇଁ ତାଙ୍କୁ ଜାତୀୟ ଓ ରାଜ୍ୟସ୍ତରରେ ଅନେକ ପୁରସ୍କାର ମିଳିଛି। ‘ଚିଲିକା ତୀରେ’, ‘ପ୍ରିୟତମା’, ‘ଅଗ୍ନି ପରୀକ୍ଷା’, ‘ମେଘମୁକ୍ତି’, ‘ଶୀତ ରାତି’ ଓ ‘ଜୀବନ ସଂଗ୍ରାମ’ ଆଦି ଚଳଚ୍ଚିତ୍ର ପାଇଁ ତାଙ୍କୁ ଜାତୀୟ ପୁରସ୍କାର ମିଳିଛି। ବଙ୍ଗଳା ଚଳଚ୍ଚିତ୍ର ‘ମହାପୃଥିବୀ’ ଓ ହିନ୍ଦୀ ଚଳଚ୍ଚିତ୍ର ‘ଶୋଧ’ ପାଇଁ ମଧ୍ୟ ସେ ଜାତୀୟ ପୁରସ୍କାରର ଅଧିକାରୀ ହୋଇପାରିଛନ୍ତି। ବିଭିନ୍ନ ଭାଷାରେ ସଙ୍ଗୀତ ଦେବାରେ ଶାନ୍ତନୁ ହେଉଛନ୍ତି ପ୍ରଥମ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ।

ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା କିଛି ଚର୍ଚ୍ଚିତ ଚଳଚ୍ଚିତ୍ର ଭିତରେ ରହିଛି- ସୂର୍ଯ୍ୟମୁଖୀ, ଅରୁନ୍ଧତୀ, ଚିଲିକା ତୀରେ ଓ ଡୋରା ଭଳି ସୁପରହିଟ ଓଡ଼ିଆ ଚଳଚ୍ଚିତ୍ର। ପାଖାପାଖି ୧୯୦୦ ଗୀତର ସଂଯୋଜନା କରିଛନ୍ତି ଶାନ୍ତନୁ। ସେଥିମଧ୍ୟରେ ୫୩ଟି ଫିଚର୍‌ ଓ ଟେଲି ଫିଲ୍ମ, ୧୦ଟି ଯାତ୍ରା, ୬୦ଟି ଆକାଶବାଣୀ ନାଟକ, ୧୦ଟି ନୃତ୍ୟନାଟିକା ରହିଛି। ତାଙ୍କ ନିର୍ଦ୍ଦେଶିତ ଲୋକପ୍ରିୟ ଗୀତ ମଧ୍ୟରେ ‘ସେଇ ଚୁନା ଚୁନା…’, ‘ମୟୂରୀ ଗୋ…’, ‘ମୁଁ ତ ଥିଲି ଏକୁଟିଆ…’, ‘ଏଇ ଜୀବନଟା ଏକ ନାଟକ…’, ‘ଆଗୋ ଚନ୍ଦ୍ରିକା…’ ଓ ‘ନୂପୂର ବଜାଏ କିଏ…’ ଆଦି ଅନ୍ୟତମ।

ଶ୍ରୀ ମହାପାତ୍ର ଓଡ଼ିଆ ସିନେମା ସଙ୍ଗୀତ ଜଗତ ଜଣେ ଉଜ୍ଜ୍ବଳତମ ତାରକା ଥିଲେ। ସେ ସର୍ବଦା ସଙ୍ଗୀତ ସାଧନାରେ ଲିପ୍ତ ରହୁଥିଲେ। ଯେତେବେଳେ ସମୟ ପାଉଥିଲେ ନିଜର ହାର୍‌ମୋନିୟମ୍‌ ଧରି ସ୍ୱର ସଂଯୋଜନା କରୁଥିଲେ। ସେ ବଲିଉଡ୍‌ର ମହମ୍ମଦ ରଫିଙ୍କଠାରୁ ଆରମ୍ଭ କରି ଲତା ମଙ୍ଗେସକର, ଉଷା ମଙ୍ଗେସକର, ମାନ୍ନା ଦେ, ସୁରେଶ ୱାଦେକର, ଅନୁରାଧା ପୌଡ଼ୱାଲ, ଉଷା ଉଥ୍ଥପ ଓ କବିତା କ୍ରିଷ୍ଣାମୂର୍ତ୍ତି ଆଦି ବଡ଼ ବଡ଼ କଣ୍ଠଶିଳ୍ପୀଙ୍କ ସହ ଓଡ଼ିଆ ଗୀତ ସଂଯୋଜନା କରିଛନ୍ତି। ତାଙ୍କ ପରଲୋକରେ ଓଲିଉଡ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର