ରେଢ଼ାଖୋଲ, (ରଂଜିତ ଦେହୁରୀ): ସମ୍ବଲପୁର ଜିଲ୍ଲା‌ ରେଢ଼ାଖୋଲ ବ୍ଲକ୍‌ର କନ୍ଧରାଠାରେ ସନ୍ଥକବି ଭୀମ ଭୋଇଙ୍କ ସ୍ମୃତି ପୀଠ ଏବେ ବି ଅବହେଳିତ ଅବସ୍ଥାରେ ରହିଛି। ସ୍ମୃତୀପୀଠକୁ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦିଆଯାଇଥିଲେ ବି ଏହାର ଉନ୍ନତି ଦିଗରେ ବିଶେଷ ପଦ‌କ୍ଷେପ ନିଆଯାଇନାହିଁ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି ଏଠାରେ କିଛି କରାଯାଉ ନାହିଁ। ଗୋଟିଏ ପଟେ ରେଢ଼ାଖୋଲବାସୀ ଶାସକ ଦଳକୁ କ୍ରମା‌ଗତ ଭାବେ ନିର୍ବାଚନରେ ଜିତାଇ ଉପହାର ଦେଉଥିବା ବେଳେ ଏଠାକାର ବିକାଶ କିନ୍ତୁ ଘୋଷଣାରେ ସୀମିତ ରହିଯାଇଥିବା ଲୋକେ ଅଭିଯୋଗ କରୁଛନ୍ତି।

Advertisment

ରେଢ଼ାଖୋଲ ସହରରୁ ବୌଦ୍ଧ ରାସ୍ତାରେ ୧୬ କିମି ଗଲେ କନ୍ଧରା ପଡ଼େ। ଏଠାରେ ସନ୍ଥକବି ଭୀମ ଭୋଇଙ୍କ ସ୍ମୃତିପୀଠ ରହିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପତ୍ର ନଂ ୧୦୨୩୧ ତାରିଖ ୨୭/୧୦ /୦୩ ରେ ଏହି ସ୍ମୃତିପୀଠକୁ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦିଆଯାଇଥିଲା। ତେବେ, ଏହାର ୨୦ ବର୍ଷ ପରେ ବି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ଯାହାକିଛି ହୋଇଥିଲା ତାହା ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗରୁଜି ଗଲାଣି। ଯେଉଁ କୂଅରେ ପଡ଼ି ଭୀମ ଭୋଇ ଦିବ୍ୟଜ୍ଞାନ ପ୍ରାପ୍ତି ହେଲା ବୋଲି କହାଯାଏ, ସେହି କୂଅକୁ ସ୍ମୃତିପୀଠର ମାନ୍ୟତା ଦିଆଯାଇଛି। ଏହି କୂଅକୁ ପ୍ରତ୍ନତତ୍ତ୍ବ ବିଭାଗ ବିଭାଗ ପକ୍ଷରୁ ଆର୍କଷଣୀୟ ମଧ୍ୟ କରାଯାଇଛି। ତେବେ, ଏହାର ସମ୍ମୁଖରେ ଲକ୍ଷାଧିକ ଟଙ୍କା ବ୍ୟୟରେ ହୋଇଥିବା ପାର୍କର ଅବସ୍ଥା ଶୋଚନୀୟ। ଯାହା କିଛି ଆକର୍ଷଣୀୟ କାରୁକାର୍ଯ୍ୟ ହୋଇଥିଲା, ରକ୍ଷଣାବେକ୍ଷଣ ଅଭାବରୁ ତାହା ବି ଭାଙ୍ଗିରୁଜି ଗଲାଣି। ଦାମୀ ଫୁଲଗଛ ସବୁ ମରିଗଲାଣି। ପାର୍କରେ ସବୁବେଳେ ଗୋରୁଗାଈ ଚରୁଛନ୍ତି। ଆଗଭଳି ନାଲି, ନେଳି ଆଲୁଅ ମଧ୍ୟ ଆଉ ଜଳୁନାହିଁ।

publive-image

କିଛି ବର୍ଷ ତଳେ ପୂର୍ତ୍ତ ବିଭାଗ ପକ୍ଷରୁ ୪୭ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ହୋଇଥିବା ଅତିଥି ଭବନରେ ଏବେ ତାଲା ଝୁଲୁଛି। ରକ୍ଷଣାବେକ୍ଷଣ ଅଭାବରୁ ତାହା ପରିତ୍ୟକ୍ତ ହୋଇ ପଡ଼ିରହିଛି। ୧୦ ବର୍ଷ ତଳେ ବ୍ଲକ‌୍ ପ୍ରଶାସନ ପକ୍ଷରୁ ଏକ ଧ୍ବନି ମନ୍ଦିରର ନିର୍ମାଣ ଆରମ୍ଭ ହୋଇଥିଲା। ତାହା ଏବେ ଅଧପନ୍ତରିଆ ହୋଇ ପଡ଼ିରହିଛି। ୨୦୦୦ ମସିହାରେ ନିର୍ମାଣ ହୋଇଥିବା ଭଜନ ମଣ୍ତପ ଭାଙ୍ଗିରୁଜି ଗଲାଣି। ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ଭୀମ ଭୋଇ କିମ୍ବା ସ୍ମୃତିକୂଅ ବାବଦରେ ଅବଗତ କରିବାକୁ କେହି ନାହାନ୍ତି। ସେ ଯାହା ବିହେଉ ଦିବ୍ୟାଙ୍ଗ ସାଧୁ ଭୀମ ଭୋଇଙ୍କ ଭକ୍ତ ମହେନ୍ଦ୍ର ତ୍ୟାଗୀ ସ୍ମୃତିପୀଠରେ ସକାଳେ ସଂଧ୍ୟାରେ ଦୁଇବେଳ ଧୂପଦୀପ ଦେଇ ପୂଜା ପାଠ କରିଥାନ୍ତି। କନ୍ଧରା ଗ୍ରାମବାସୀଙ୍କ ସହାୟତାରେ ପୂଜାପାଠ ହୁଏ। ସାଧୁଙ୍କ ଖାଇବା ପିଇବା ମଧ୍ୟ ଗ୍ରାମବାସୀମାନେ ବୁଝିଥାନ୍ତି। ଏଥିପାଇଁ କୌଣସି ସରକାରୀ ସହାୟତା ମିଳୁନାହିଁ।

ଦୁଇ ହାତରେ ଆଶାବାଡ଼ି ଧରି ଚାଲୁଥିବା ସନ୍ଥ ମହେନ୍ଦ୍ର ବାବା କହନ୍ତି, ଏହି ସ୍ଥାନର ରକ୍ଷଣ‌ାବେକ୍ଷଣ ପାଇଁ କେହି ନାହାନ୍ତି। ଗ୍ରାମବାସୀଙ୍କ ସହାୟତାରେ ମୁଁ କିଛି କରୁଛି। ସରକାରୀବାବୁମାନେ ଆସନ୍ତି ଆଉ ବୁଲାବୁଲି କରି ଚାଲିଯାଆନ୍ତି। ବିଭିନ୍ନ ସଭା ସମିତିରେ ଭୀମ ଭୋଇଙ୍କୁ ନେଇ ଗର୍ବ କରୁଥିଲେ ବି ତାଙ୍କ ସ୍ମୃତିପୀଠର ଉନ୍ନତି ପାଇଁ କେହି ତତ୍ପରତା ପ୍ରକାଶ କରନ୍ତି ନାହିଁ। ଦୁଇ ବର୍ଷ ତଳେ ସ୍ମୃତିପୀଠର ବିକାଶ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୧୮ କୋଟି ଟଙ୍କାର ଏଷ୍ଟିମେଟ୍‌ ସରକାରଙ୍କ ପାଖକୁ ପଠାଯାଇଥିବା ତତ୍କାଳୀନ ବିଭାଗୀୟ ସହକାରୀ ଯନ୍ତ୍ରୀ ବୀରବର ବେହେରା ସୂଚନା ଦେଇଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ କିଛି ହେଲା ନାହିଁ। ଏହି ସ୍ମୃତିପୀଠର ବିକାଶ ସମ୍ପର୍କରେ ସମ୍ବଲପୁର ପର୍ଯ୍ୟଟନ ବିଭାଗର ଅଧିକାରୀ ହେମନ୍ତ ପ୍ରଧାନଙ୍କୁ ପଚାରିବାରୁ, ଖୁବ୍‌ ଶୀଘ୍ର ଏଦିଗରେ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଥିଲେ।