ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଛତିଶଗଡ଼ ବିଳାସପୁରସ୍ଥିତ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟଠାରେ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥକବି ଭୀମ ଭୋଇଙ୍କ ଚେୟାର ପ୍ରତିଷ୍ଠା ହେବ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଏହି ଦୁଇ ବିଶ୍ୱବିଦ୍ୟାଳୟରେ ଭୀମ ଭୋଇ ଚେୟାର ପ୍ରତିଷ୍ଠା ଉଚ୍ଚଶିକ୍ଷା ଓ ଏହି ମହାନ କବିଙ୍କ ମାନବ ଦର୍ଶନ ଉପରେ ଗବେଷଣାକୁ ପ୍ରୋତ୍ସାହନ ଦେବ ବୋଲି କହିଛନ୍ତି। ଏହା ହିଁ କବି ଭୀମ ଭୋଇଙ୍କ ପ୍ରତି ସଠିକ୍ ଶ୍ରଦ୍ଧାଞ୍ଜଳି ହେବ। ସନ୍ଥକବି ଭୀମ ଭୋଇ ଓଡ଼ିଆ ସାହିତ୍ୟ ଓ ଧାର୍ମିକ-ସାମାଜିକ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛନ୍ତି। ଦୂରଦୃଷ୍ଟି ସମ୍ପନ୍ନ କବି ଭୀମ ଭୋଇ ନିଜ କାଳଜୟୀ କବିତା ମାଧ୍ୟମରେ ସମାଜର ଲୋକଙ୍କୁ ସଶକ୍ତ କରିପାରିଥିଲେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀ ଅବସରରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଗସ୍ତ ସମୟରେ ସନ୍ଥ କବି ଭୀମ ଭୋଇଙ୍କ ଜୀବନୀ ଓ ତାଙ୍କ ଦର୍ଶନ ଉପରେ ଅଧିକ ଅଧ୍ୟୟନ କରିବା ପାଇଁ ୟୁଜିସିକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ ଆଗାମୀ ଦିନରେ ସନ୍ଥ କବିଙ୍କୁ ଜଣେ ସର୍ବତ୍ତୋମ ବିଚାରକ ଭାବେ ପ୍ରମାଣିତ କରିବା ପାଇଁ ଉଦ୍ୟମ କରାଯିବ। କେନ୍ଦ୍ର ସରକାରଙ୍କ ୟୁଜିସି ଏହି ମହାପୁରୁଷଙ୍କ ‘ମହିମା ଧର୍ମ’ର ବିଚାର ସମ୍ପର୍କରେ ଅଧ୍ୟୟନ କରିବ। ବିଭିନ୍ନ ରାଜ୍ୟର ବିଶ୍ୱବିଦ୍ୟାଳୟରେ ଭୀମ ଭୋଇଙ୍କ ନାଁରେ ଚେୟାର ସ୍ଥାପନ ହେବ। ଜାତୀୟ ଓ ଅନ୍ତରାଷ୍ଟ୍ରୀୟସ୍ତରରେ ଭୀମ ଭୋଇଙ୍କୁ ସମ୍ମାନ ଦେବା ଲାଗି ସବୁପ୍ରକାର ଉଦ୍ୟମ କରାଯିବ। ଏହାଦ୍ୱାରା ପଛୁଆ ଅଞ୍ଚଳରୁ ଆରମ୍ଭ ହୋଇଥିବା ମହାନ ବିଚାର ଅନ୍ତରାଷ୍ଟ୍ରୀୟସ୍ତରକୁ ଯିବ। ବିଶ୍ୱ ଏହି ଦର୍ଶନରେ ଅନୁପ୍ରାଣିତ ହେଲେ, ଏହା ହିଁ ସନ୍ଥ କବିଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ।