ଅମର୍ଦାରୋଡ୍‌ ଏୟାରଷ୍ଟ୍ରିପ୍‌ ନିକଟରେ ହେବ ଶାନ୍ତି ସଂଗ୍ରହାଳୟ, ୭୪ ବର୍ଷ ତଳର ବିମାନ ଦୁର୍ଘଟଣାର ଅକୁହା କଥା ବଖାଣିବ

ଭୁବନେଶ୍ବର : ଜୀବନ୍ତ ଅନୁଭବ ଦେବ ୭୪ବର୍ଷ ତଳର ଏକ ବିସ୍ମୃତ ଇତିହାସ। ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଅମର୍ଦା ରୋଡ୍‌ ଏୟାରଷ୍ଟ୍ରିପ୍‌ରେ ୧୯୪୫ରେ ଘଟିଥିବା ଏକ ହୃଦୟବିଦାରକ ବିମାନ ଦୁର୍ଘଟଣାର ରହସ୍ୟ ଉନ୍ମୋଚନ ହେବ। ସଂପ୍ରତି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏହି ଏୟାରଷ୍ଟ୍ରିପ୍‌ ନିକଟରେ ସ୍ଥାପନ ହେବାକୁ ଯାଉଥିବା ‘ଶାନ୍ତି ସଂଗ୍ରହାଳୟ’ ବଖାଣିବ ଅତୀତର ଏହି ଅକୁହା କଥା। ଏହା ମଧ୍ୟରେ କିଛି ବିମାନ ବି ଶୋଭା ପାଇବ। ଏଥିସହ ସେତେବେଳର ‌କେତେକ ବିରଳ ଫଟୋ ଏବଂ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର କିଛି ନମୁନା ପ୍ରଦର୍ଶିତ ହେବ।

ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ୧୯୪୦ ମସିହାରେ ମୟୂରଭଂଜ ଜିଲ୍ଲା ରାସଗୋବିନ୍ଦପୁରରେ ଏସିଆର ସର୍ବବୃହତ୍‌ ରନ୍‌-ୱେ ଥିବା ଏୟାରଷ୍ଟ୍ରିପ୍‌ ନିର୍ମିତ ହୋଇଥିଲା। ଯେଉଁ ଏୟାରଷ୍ଟ୍ରିପ୍‌ର ଲମ୍ବ ଥିଲା ୨.୫ କିଲୋମିଟର। ୮୦୦ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ଏୟାରଷ୍ଟ୍ରିପ୍‌ ପାଇଁ ସେତେବେଳେ ୩ କୋଟି ଟଙ୍କା ବ୍ୟୟ ହୋଇଥିଲା। ୨୦୧୧ ମସିହାରେ ଯୁଦ୍ଧ ସମ୍ବନ୍ଧରେ ଗବେଷଣାରତ ଐତିହାସିକ ଅନିଲ୍‌ ଧୀର୍‌ ଏହାର ଇତିବୃତ୍ତକୁ ଉନ୍ମୋଚନ କରିଥିଲେ। ୧୯୪୫ ଜୁଲାଇ ୨୬ ତାରିଖରେ ଏଠାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏୟାର ଫାଇଟିଂ ଟ୍ରେନିଂ ୟୁନିଟ୍‌ରୁ ୬ଟି ବିମାନ ‘ଫର୍ମେସନ୍‌ ଫ୍ଲାଇଙ୍ଗ୍‌ ଏକ୍ସରସାଇଜ୍‌’ରେ ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରୁ ୨ଟି ବ୍ରିଟିସ୍‌ ରୟାଲ୍‌ ଏୟାରଫୋର୍ସ (ଇଡବ୍ଲୁ୨୨୫ ଓ ଇଡବ୍ଲୁ୨୪୭) ଏୟାରଷ୍ଟ୍ରିପ୍‌ର ଅଳ୍ପ ଉଚ୍ଚ ଦୂରତାରେ ମୁହାଁମୁହିଁ ହେବାରୁ ଦୁର୍ଘଟଣା ଘଟିଥିଲା। ଏଥିରେ ଦୁଇ ବିମାନର ୧୪ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା।

ଏହି ଏୟାରଷ୍ଟ୍ରିପ୍‌ ଅମର୍ଦା ରୋଡ୍‌ ରେଳଷ୍ଟେସନ୍‌ଠାରୁ ମାତ୍ର ୯ କିଲୋମିଟର‌ ଦୂରରେ ଥିଲେ ହେଁ ଦୀର୍ଘ ବର୍ଷ ହେଲା ପରିତ୍ୟକ୍ତ ହୋଇ ପଡ଼ିରହିଛି। ତେଣୁ ସେଇ ୧୪ଜଣଙ୍କୁ ଶ୍ରଦ୍ଧା ଅର୍ପଣର ସ୍ମାରକୀ ସ୍ବରୂପ ଓଡ଼ିଶା ଇତିହାସରେ ଜଡ଼ିତ ଥିବା ଏହି କଥାବସ୍ତୁକୁ ଲୋକ ସମ୍ମୁଖକୁ ଆଣିବା ପାଇଁ ‘ଶାନ୍ତି ସଂଗ୍ରହାଳୟ’ର ପରିକଳ୍ପନା କରାଯାଇଛି। ଆସନ୍ତା ୨୬ ଜୁଲାଇରେ ଏହି ସଂଗ୍ରହାଳୟର ମୂଳଦୁଆ ପଡ଼ିବ। ଏଥିପାଇଁ ବିଶିଷ୍ଟ ଗାନ୍ଧୀବାଦୀ ଆଦିତ୍ୟ ପଟ୍ଟନାୟକ ନିଜର ଗାନ୍ଧୀ ଗୁରୁକୁଳ ମଧ୍ୟରେ ଜାଗା ଯୋଗାଇ ଦେଇଛନ୍ତି। ଗବେଷକ ଶ୍ରୀ ଧୀର୍‌ ନିଜସ୍ବ ଉଦ୍ୟମରେ ଏଠାରେ ସଂଗ୍ରହାଳୟ ପ୍ରତିଷ୍ଠା କାମ ହାତକୁ ନେଇଛନ୍ତି। ୬ ମାସ ସମୟ ମଧ୍ୟରେ ସଂଗ୍ରହାଳୟର କାର୍ଯ୍ୟ ଶେଷ ହେବ। ଆପାତତଃ ୨୦୨୦ ମସିହା ପ୍ରଥମାର୍ଧରେ ଏହି ସଂଗ୍ରହାଳୟ ବୁଲିବାର ସୁଯୋଗ ମିଳିବ। ଇଣ୍ଡିଆନ୍‌ ଏୟାରଫୋର୍ସ ଓ ବ୍ରିଟିସ୍‌ ହାଇକମିସନ୍‌ ପକ୍ଷରୁ ଅତିଥିମାନେ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ଧୀର୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର