ଗାନ୍ଧୀଜୀଙ୍କ ହତ୍ୟା ଷଡ଼ଯନ୍ତ୍ରକାରୀଙ୍କୁ ଭାରତ ରତ୍ନ ଦେବା ପ୍ରୟାସକୁ ବିରୋଧ ହେଉ

ନେତାଜୀ ଜନ୍ମପୀଠରେ ଶାନ୍ତି ସଂହତି ସଦ୍‌ଭାବନା ଯାତ୍ରୀ

କଟକ : ଗାନ୍ଧୀ ଓ ସୁଭାଷଙ୍କ ଭିତରେ ପିତା ପୁତ୍ରର ସଂପର୍କ ଥିଲା। ନେତାଜୀ ସୁଭାଷ ମହାତ୍ମାଙ୍କୁ ରାଷ୍ଟ୍ରପିତା ଓ କସ୍ତୁରବାଙ୍କୁ ରାଷ୍ଟ୍ରମାତା ବୋଲି କହିଥିବା ବେଳେ ମହାତ୍ମା ନେତାଜୀଙ୍କୁ ‘ଦେଶପ୍ରେମୀମାନଙ୍କର ରାଜକୁମାର’ ବୋଲି କହିଥିଲେ। ନେତାଜୀଙ୍କ ମୃତ୍ୟୁ ଖବରକୁ ବିଶ୍ବାସ ନ କରି ସୁଭାଷ କେବେ ମରିପାରେନା ବୋଲି ମଧ୍ୟ ଗାନ୍ଧୀଜୀ କହିଥିଲେ। କିନ୍ତୁ ଗାନ୍ଧୀଜୀଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଆୟୋଜନ ବର୍ଷରେ କାପୁର କମିସନ ଆଧାରରେ ଗାନ୍ଧୀ ହତ୍ୟାର ଷଡ଼୍‌ଯନ୍ତ୍ରକାରୀ କୁହାଯାଉଥିବା ଦାମୋଦର ସବରକରଙ୍କୁ ‘ଭାରତ ରତ୍ନ’ ଦେବା ପାଇଁ ହେଉଥିବା ପ୍ରୟାସକୁ ନିନ୍ଦା କରିବା ସହିତ ଏହାକୁ ଦଳମତ ନିର୍ବିଶେଷରେ ବିରୋଧ କରାଯିବା ଆବଶ୍ୟକ। ଏଭଳି ଆହ୍ବାନ ଦେଇଛନ୍ତି ରାଷ୍ଟ୍ରୀୟ ଯୁବା ସଂଗଠନ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ରାଜୀବ ଗାନ୍ଧି ଫାଉଣ୍ଡେସନ ପକ୍ଷରୁ ଅକ୍ଟୋବର ୧୧ତାରିଖରୁ ସହିଦ ଲକ୍ଷ୍ମଣ ନାୟକଙ୍କ ସଂଗ୍ରାମ ପୀଠ ମାଥିଲିରୁ ବାହାରି ଥିବା ଶାନ୍ତି ସଂହତି ସଦ୍‌ଭାବନା ଯାତ୍ରାରେ ସାମିଲ ବହୁ ବିଶିଷ୍ଟ ବ୍ୟକ୍ତି।

ହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷ ଅବସରରେ ବାହାରିଥିବା ଏହି ଯାତ୍ରା ୧୦ଟି ଜିଲ୍ଲା ଅତିକ୍ରମ କରି ଆଜି କଟକରେ ପହଞ୍ଚିଛି। ଏହି ଯାତ୍ରା ନବରଙ୍ଗପୁରର ସହିଦ ପୀଠ ପାପଡ଼ାହାଣ୍ତି, ରାୟଗଡ଼ା ଜିଲ୍ଲାର ସହିଦ ପୀଠ ମାଇକ‌, ଭୂଦାନ ଆନ୍ଦୋଳନର ମୂଳକ୍ଷେତ୍ର କୁଜେନ୍ଦ୍ରୀ, ତିବ୍ବତ ଶରଣାର୍ଥୀ ଶିବିର ଚନ୍ଦ୍ରଗିରି, ମୋହନା, ବ୍ରହ୍ମପୁରସ୍ଥିତ ଲକ୍ଷ୍ମଣ ନାଏକଙ୍କ ସହିଦ ପୀଠ, ଗାନ୍ଧୀଙ୍କ ରହଣୀସ୍ଥଳ ଛତ୍ରପୁର, ରମ୍ଭା, ଖଲିକୋଟ, କୋଦଳା, ଆସିକା, ଗୋବରା, ଭଞ୍ଜନଗର, କନ୍ଧମାଳର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବା ସହ ନୟାଗଡ଼ ଜିଲ୍ଲାର ବିପ୍ଳବୀ ଗୋବିନ୍ଦ ମିଶ୍ରଙ୍କ ଜନ୍ମସ୍ଥାନ ଦଶପଲ୍ଲା, ନୟାଗଡ଼ର ସହିଦ କଷ୍ଟି ଡାକୁଆଙ୍କ ସହିଦ ପୀଠ, ବୋଲଗଡ଼, ସହିଦ ରଘୁ ଦିବାକରଙ୍କ ଜନ୍ମପୀଠ, ଖୋର୍ଦ୍ଧା, ଜଟଣୀ, ବାଲିଅନ୍ତା, ତେଲେଙ୍ଗାପେଣ୍ଠ, ସ୍ବରାଜ ଆଶ୍ରମ ହୋଇ ନେତାଜୀ ସୁଭାଷଙ୍କ ଓଡ଼ିଆ ବଜାର ସ୍ଥିତ ବାସଭବନରେ ପହଞ୍ଚିଛି।

ନେତାଜୀ ଜନ୍ମସ୍ଥାନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବକ୍ତାମାନେ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନର ଭାରତବର୍ଷର ବିପରୀତ ଦିଗରେ ଆମେ ଚାଲିଛେ। ଶାସନ କ୍ଷେତ୍ରରେ ଇଂରାଜୀ ଭାଷାର ପ୍ରଚଳନ ଯୋଗୁଁ ଇଂରେଜମାନେ ଯିବା ପରେ ଦେଶବାସୀ ସ୍ବାଧୀନତାର ସ୍ବାଦ ଚାଖି ପାରିନାହାନ୍ତି। ଦେଶର ପ୍ରଥମ ସ୍ବାଧୀନତା ଦିବସରେ ମହାତ୍ମା ଏହାକୁ ଏକ ଛଦ୍ମ ସ୍ବାଧୀନତା ବୋଲି କହିଥିଲେ। କିନ୍ତୁ ବର୍ତ୍ତମାନ ସ୍ଥିତିରେ ବି ବିଭିନ୍ନ ବାଟରେ ଗାନ୍ଧୀଜୀଙ୍କୁ ବଦନାମ କରିବାପାଇଁ ନୂଆ ନୂଆ ପ୍ରୟାସ ଚାଲିଛି।

ଏହି ଯାତ୍ରାରେ ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତି, ବିଶିଷ୍ଟ ସବୋର୍ଦୟ ନେତା ନିଶାକର ଦାସ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଂଯୋଜକ ଡା. ବିଶ୍ବଜିତ, ମାନସ ମିଶ୍ର, ରଣଜିତ ଦେହୁରି, ମାନସ ପଟ୍ଟନାୟକ, ମନୋଜ ମିଶ୍ର, ସୂର୍ଯ୍ୟ ନାରାୟଣ ନାଥ, ସୋନାଲି ମିଶ୍ର, ଶୁଭଶ୍ରୀ ଦୀପ୍, ପ୍ରଦ୍ୟୁମ୍ନ ସାହୁ, ଛୋଟରାୟ ମାଝୀ, ଫୁଲଲତା ସେଠୀ, ସୌମ୍ୟରଂଜନ ଜେନା, ପ୍ରିୟଙ୍କା ପ୍ରିୟଦର୍ଶିନୀ, ଅରବିନ୍ଦ ନାଏକ, ପ୍ରଦୀପ ଟାକ୍ରି, ସୁଦୀପ୍ତ କୁମାର ମିତ୍ର ପ୍ରମୁଖ ସାମିଲ ହୋଇଛନ୍ତି। ଯାଜପୁର ଜିଲ୍ଲା ବାଲିପଡିଆସ୍ଥିତ ଠକ୍କରବାପା ଆଶ୍ରମରେ ଏହି ଯାତ୍ରା ସମାପ୍ତ ହେବ। ଦ୍ବିତୀୟ ଅଧ୍ୟାୟରେ ଯାତ୍ରା ଉତ୍କଳମଣି ଗୋପାବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋରୁ ବାହାରି ଝାରସୁଗୁଡ଼ାଠାରେ ପହଞ୍ଚିବ ଓ ତୃତୀୟ ପର୍ଯ୍ୟାୟ ଯାତ୍ରା ସହିଦ ବାଜି ରାଉତଙ୍କ ଜନ୍ମପୀଠ ନୀଳକଣ୍ଠପୁରରୁ ବାହାରି ନୂଆପଡ଼ା ଜିଲ୍ଲାରେ ଶେଷ ହେବ।

ଶାନ୍ତି ସଂହତି ସଦଭାବନା ଯାତ୍ରୀମାନେ ନେତାଜୀ ଜନ୍ମସ୍ଥାନରୁ ବାହାରି ଗୋପବନ୍ଧୁ ପାର୍କରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଯାଜପୁର ଅଭିମୁଖେ ଯାତ୍ରା କରିଥିଲା। ସଦଭାବନା ଯାତ୍ରୀଙ୍କୁ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଭାପତି ମନୋରଂଜନ ମହାନ୍ତି, ଉତ୍କଳ ଖଦୀ ମଣ୍ତଳର ସଭାପତି ବୈଷ୍ଣବ ଦାସ, ଅନିମା ରାୟ, କବିର ଜେନା, ଖଗେଶ୍ବର ସେଠୀ, ଡକ୍ଟର ସତ୍ୟ ରାୟ, ଯୁଗଳ କିଶୋର ନାୟକ, ଜୟନ୍ତ କୁମାର ଦାସ, ତାରାନନ୍ଦ ପଟ୍ଟନାୟକ, ଶରତ ନାୟକ, ସେକ୍ କଲିମୁଲ୍ଲା, ମୀନତି ପଣ୍ତା, ପୁଷ୍ପିତା ମହାନ୍ତି, ଗୀତାଞ୍ଜଳି ବେହୁରା, ଗାୟତ୍ରୀ ଦାସ, ଗଦାଧର ଦେହୁରୀ ପ୍ରମୁଖ ସ୍ବାଗତ କରିଥିଲେ।

ସମ୍ବନ୍ଧିତ ଖବର