ବୀରମହାରାଜପୁର ବ୍ଳକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସନ୍ତୋଷ କୁମାର ଭୋଇ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପଞ୍ଚାୟତସମିତି ଅଧ୍ୟକ୍ଷ ପଦରୁ ନିଜର ଇସ୍ତଫା ଘୋଷଣା କରିଛନ୍ତି ସନ୍ତୋଷ କୁମାର ଭୋଇ। ଶ୍ରୀ ଭୋଇ ୭୫ତମ ସ୍ୱାଧୀନତା ଦିବସ ଅବସରରେ ରବିବାର ମଧ୍ୟାହ୍ନ ୧୨ଟାରେ ସ୍ଥାନୀୟ ଅନ୍ନପୂର୍ଣ୍ଣା ରେସିଡେନସି ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରଛନ୍ତି। ସନ୍ତୋଷ ଭୋଇଙ୍କ ଏହି ଘୋଷଣା ସମସ୍ତଙ୍କୁ ଚକିତ କରିଦେଇଛି। ଏହାକୁ ନେଇ ରାଜନୀତିଜ୍ଞମାନେ ଅନେକ ଚର୍ଚ୍ଚା କରୁଛନ୍ତି।

ଆଜି ଶ୍ରୀ ଭୋଇ ବୀରମହାରାଜପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥିଲେ। ଏହା ସହିତ ତାଙ୍କର ନେତୃତ୍ୱରେ ବିଜେପି ଯୁବମୋର୍ଚ୍ଚାର ଗଣଦୌଡ଼ର ମଧ୍ୟ ଆୟୋଜନ ହୋଇଥିଲା। ଏସମସ୍ତ କାର୍ଯ୍ୟ ସାରି ହଠାତ୍‌ ସାମ୍ବାଦିକ ସମ୍ମିଳନୀ କରି ବୀରମହାରାଜପୁର ପଞ୍ଚାୟତସମିତି ଅଧ୍ୟକ୍ଷ ପଦବିରୁୁ ଇସ୍ତଫା ପ୍ରଦାନ କଥା ଘୋଷଣା କରିଥିଲେ।

ଶ୍ରୀ ଭୋଇ ସାମ୍ବାଦିକ ସମ୍ମିଳନୀରେ ଆଉ ଏକ ବଡ଼ କଥା କହିଛନ୍ତି। ରାଜ୍ୟରେ ନେତାମାନଙ୍କ ଅପେକ୍ଷା ପ୍ରାଶାସନିକ ଅଧିକାରୀ ଅଧିକ ପ୍ରଭାବଶାଳୀ। ଭାରତୀୟ ଜନତା ପାର୍ଟି ମୋତେ ଜିଲ୍ଲା ଯୁବ ସଭାପତି ଭାବରେ ଏକ ଗୁରୁ ଦାଇତ୍ୱ ଦେଇଛି। ଏଣୁ ଏହା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୁଁ ଇସ୍ତଫା ପ୍ରଦାନ କରିବା ଘୋଷଣା କରିବି ନାହିଁ । ଦଳର ଜଣେ ଶୃୃଙ୍ଖଳିତ ସଦସ୍ୟ ଭାବରେ ଜିଲ୍ଲା ଓ ରାଜ୍ୟ ପଦାଧିକାରୀମାନଙ୍କୁ ସାକ୍ଷାତ କରି ମୋର ମତାମତ ଜଣାଇବି ବୋଲି କହିଛନ୍ତି। ଏହା ସହିତ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ କୌଣସି ପଦ ପଦବିପାଇଁ ପ୍ରତିିଦ୍ଵନ୍ଦ୍ବିତା କରିବି ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀ ଭୋଇ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଶିକ୍ଷକ ଥିଲେ। ମୁଁ ଜଣେ ଶିକ୍ଷକ ଭାବରେ ୧୭ ହଜାର ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଛି ବୋଲି ଶ୍ରୀ ଭୋଇ କହିଛନ୍ତି। ଏହା ସହିତ ଗରିବ ନିଃସହାୟ ବୃଦ୍ଧ-ବୃଦ୍ଧା ମାନଙ୍କୁ ନିଜସ୍ୱ ଉଦ୍ୟମରେ ଅନ୍ନପୂର୍ଣ୍ଣା ଆହାର ଯୋଜନା ମାଧ୍ୟମରେ ମାଗଣାରେ ଗୋଟିଏ ଓଳି ରନ୍ଧା ଖାଦ୍ୟ ଯୋଗାଇ ଆସୁଥିଲେ। ଏହା ପରେ ବୀରମହାରାଜପୁର ପଞ୍ଚାୟତସମିତି ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ। ଯୁବ ପଞ୍ଚାୟତସମିତି ଅଧ୍ୟକ୍ଷ ଭାବରେ ବେସ୍‌ ପ୍ରଶଂସା ମଧ୍ୟ ପାଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ଯୁବ ବିଜେପି ସଭାପତି ଭାବରେ ଅନେକ ଆନ୍ଦୋଳନ କରିଥିଲେ।

ସମ୍ବନ୍ଧିତ ଖବର