କୋଭିଡ୍ ପରିଚାଳନା ନେଇ ପ୍ରଶ୍ନ ଉଠାଇଲେ ସାଲୁଜା : ମହାରାଷ୍ଟ୍ର, ଗୁଜରାଟ ଫେରନ୍ତାଙ୍କର ଟେଷ୍ଟ ହେଉ

ସଙ୍ଗରୋଧରୁ ଫେରିବା ପରେ ପୁଣି ପଜିଟିଭ୍ ବାହାରୁଛି
ଧାରରେ ଚାଲିଛନ୍ତି ସରପଞ୍ଚ, ଟ୍ରେନ ପ୍ରସଙ୍ଗରେ ଆପତ୍ତି

ଭୁବନେଶ୍ବର : ମହାମାରୀ କରୋନାକୁ ମୁକାବିଲା କରିବା ଲାଗି ମାର୍ଚ୍ଚ ୨୫ ତାରିଖରେ କେନ୍ଦ୍ର ସରକାର ସମଗ୍ର ଦେଶବ୍ୟାପୀ ଯେଉଁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ, ତାର ଚତୁର୍ଥ ପର୍ଯ୍ୟାୟ ଆଜି ଶେଷ ହୋଇଛି। ଆସନ୍ତାକାଲିଠାରୁ ଲକ୍‌ଡାଉନ୍-୫ ନୂଆ ରୂପରେ ଆସିବ। ହେଲେ କୋଭିଡ଼୍ ପରିଚାଳନାକୁ ନେଇ କିନ୍ତୁ ବିବାଦ ଅନ୍ତଃ ହବାର ନାଁ ନେଉନାହିଁ। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ପ୍ରସଙ୍ଗରେ କିଛି ସଂଗିନ ଅଭିଯୋଗ ଆଣିବା ସହ ସରକାରଙ୍କୁ କିଛି ପ୍ରସ୍ତାବ ମଧ୍ୟ ଦେଇଛନ୍ତି।

ଶ୍ରୀ ସାଲୁଜାଙ୍କର କହିବା କଥା ହେଉଛି, ମହାରାଷ୍ଟ୍ର ଓ ଗୁଜରାଟରୁ ଆସୁଥିବା ସବୁ ପ୍ରବାସୀଙ୍କର କୋଭିଡ଼୍ ଟେଷ୍ଟ ହେଉ। ଯେଉଁମାନେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହୁଛନ୍ତି, ସେମାନଙ୍କର ମଧ୍ୟ ଟେଷ୍ଟ ହେବା ଦରକାର। ଯଦି ଏଯାଏ ଆସିଥିବା ୪ଲକ୍ଷ ପ୍ରବାସୀଙ୍କର କୋଭିଡ଼ ପରୀକ୍ଷା ହେବ, ତେବେ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ଛୁଇଁଯିବ। ସରକାର ବାରମ୍ବାର କ୍ବାରାଣ୍ଟିନ୍ ସମୟ ପରିବର୍ତନ କରୁଛନ୍ତି। ଏବେ ୭ ଦିନ ସଙ୍ଗରୋଧ ସରିଯିବା ପରେ ଯେଉଁମାନଙ୍କୁ ଛାଡ଼ି ଦିଆଯାଉଛି, ସେମାନଙ୍କ ନିକଟରେ ପୁଣି ଥରେ କରୋନା ପଜିଟିଭ୍ ଚିହ୍ନଟ ହେଉଛି। କଣ୍ଟାବାଞ୍ଜିର ମୁରିବାହାଲ ଲେବଡ଼ା ଅ଼ଞ୍ଚଳରେଏଭଳି ଘଟଣା ଘଟିଛି। ଇଏ କି ପ୍ରକାର କୋଭିଡ୍‌ ପରିଚାଳନା ବୋଲି ଶ୍ରୀ ସାଲୁଜା ପ୍ରଶ୍ନ କରିଛନ୍ତି।

ଗଣମାଧ୍ୟମକୁ ଶ୍ରୀ ସାଲୁଜା କହିଛନ୍ତି, ରାଜ୍ୟ ସରକାର ପଞ୍ଚାୟତକୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବା ଲାଗି ଅନୁମତି ଦେଇଥିଲେ ହେଁ, ଏ ଟଙ୍କା ମିଳୁନାହିଁ। ବିଭିନ୍ନ ସରପଞ୍ଚଙ୍କ ଉଦାହରଣ ଦେଇ କେଉଁଠାରେ ଦେଢ଼ ଲକ୍ଷ, କେଉଁଠାରେ ଅଢ଼େଇ ଲକ୍ଷ ଟଙ୍କା ଦିଆଯାଇଛି ଏବଂ ସରପଞ୍ଚମାନେ ଧାରକାରଜ କରି ସଙ୍ଗରୋଧ କେନ୍ଦ୍ର ପରିଚାଳନା କରୁଛନ୍ତି । ସେହିଭଳି ଯେଉଁମାନେ ଇତିମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ଫେରିଗଲେଣି, ସେମାନଙ୍କୁ ୨ହଜାର ଟଙ୍କା ମିଳିନାହିଁ। ପ୍ରବାସୀ ଟ୍ରେନରେ ଫେରିବା କ୍ଷେତ୍ରରେ ମଧ୍ୟ ଏକ ବଡ଼ ଧରଣର ସମସ୍ୟା ସାମ୍ନାକୁ ଆସୁଛି। ଯେଉଁମାନେ ଫେରୁଛନ୍ତି, ସେମାନଙ୍କ ଷ୍ଟେସନରେ ଟ୍ରେନ୍ ରହୁନାହିଁ, ବରଂ ପଚାଶରୁ ଦୁଇଶହ କିଲୋମିଟର ଦୂରରେ ସେମାନଙ୍କୁ ଓହ୍ଲାଯିବା ଫଳରେ ସେମାନଙ୍କୁ ପୁଣି ଥରେ ନିଜ ଜିଲ୍ଲାକୁ ଫେରାଇ ଆଣିବା କ୍ଷେତ୍ରରେ ପ୍ରଶାସନ ବ୍ୟସ୍ତ ରହୁଛି। ଏହାଦ୍ବାରା କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ରହୁଛି।

ସମ୍ବନ୍ଧିତ ଖବର