ଗତ ନିର୍ବାଚନରେ ଦଳର ପରାଜୟ ପାଇଁ ନରସିଂହଙ୍କୁ ଦୋଷ ଦେଲେ ସାଲୁଜା

‘୨୦୧୪-୧୯ ବିଧାନସଭାରେ ବିଜେଡିର ବି-ଟିମ୍ ଥିଲା କଂଗ୍ରେସ’

ଭୁବନେଶ୍ବର : ଏବେ ରାଜ୍ୟ ସରକାର କହିଲେ ଜଣେ ମୁଖ୍ୟମନ୍ତ୍ରୀ ଓ ଜଣେ ୫-ଟି ସଚିବ। ମନ୍ତ୍ରୀମାନେ କିଛି ନୁହନ୍ତି। ଏବେ ‘୫-ଟି’ ସଚିବଙ୍କ ମୋ ସରକାର ଚାଲିଛି। ସରକାରରେ ମନ୍ତ୍ରୀମାନଙ୍କର ଆଦୈା ଚଳୁନାହିଁ। ପୋଷାକୁକୁର ଭଳି ସେମାନଙ୍କ ବେକରେ ଫିତା ବାନ୍ଧିଦିଆଯାଇଛି। ବର୍ଷକୁ ଯେଉଁ ରାଜ୍ୟରେ ୧୦୫୭ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି, ସେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସହଜରେ ଅନୁମେୟ। ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡା ମାରିଲେ ୩୦୭, ତାଙ୍କ ବ୍ୟକ୍ତିଗତ ସଚିବଙ୍କ ଘରକୁ ଢେଲାମାଡ଼ କଲେ ୩୦୭ ଦଫା ତୁରନ୍ତ ଲଗାଇଦିଆଯାଏ। ହେଲେ ପରବିନ୍ଦରଙ୍କ ଭଳି ସାଧାରଣ ଲୋକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ସତ୍ତ୍ବେ ଅଭିଯୁକ୍ତଙ୍କ ବିରୋଧରେ ୩୦୭ ଦଫା ଲାଗେନାହିଁ। କଂଗ୍ରେସ ଭବନରେ ବାଉନ୍‌ସରଙ୍କୁ କେହି କଂଗ୍ରେସ ଲୋକେ ଲଗେଇନଥିଲେ, ଏହା ବିଜେଡି-ବିଜେପି ବାଲାଙ୍କ କାମ। କଂଗ୍ରେସ କଳା ପୋଷାକଧାରୀଙ୍କୁ ନୁହେଁ ସେବାଦଳର ଧଳା ପୋଷାକଧାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରିଥାଏ। ବାରମ୍ବାର ପିସିସି ସଭାପତି ବଦଳ ଭଲ ନୁହେଁ। ନିର୍ବାଚନ ଯାଏ ଦାୟିତ୍ବରେ ରଖି ତାଙ୍କୁ ପୂର୍ଣ୍ଣ କ୍ଷମତା ଦେଲେ ଦଳ କ୍ଷମତାକୁ ଫେରିବା ସମ୍ଭବ। ଏମିତି ଚିରାଚରିତ ଢଙ୍ଗରେ କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ନିଜ ଦଳକୁ ପ୍ରଶଂସା କରିଥିବା ବେଳେ ବିଜେଡି-ବିଜେପିକୁ ପୁଣି କଡ଼ା ସମାଲୋଚନା କରିଛନ୍ତି।

ତେବେ ‘୨୦୧୪-୧୯ ନିଜ ଦଳ କଂଗ୍ରେସ, ଶାସକ ବିଜେଡିର ବିକଳ୍ପ ଭାବେ ନିଜକୁ ଉପସ୍ଥାପିତ କରିବା ବଦଳରେ ଏହାର ବି-ଟିମ୍‌ର ଭୂମିକାରେ ଥିଲା’ ବୋଲି ଶ୍ରୀ ସାଲୁଜା ଦେଇଥିବା ମନ୍ତବ୍ୟ ନିଜ ଦଳରେ ଆଲୋଡ଼ନ ସୃଷ୍ଟି କରିଛି। ନିକଟରେ ଏକ ଘରୋଇ ଟିଭି ଚାନେଲ୍‌କୁ ଦେଇଥିବା ସାକ୍ଷାତକାରରେ ଶ୍ରୀ ସାଲୁଜା, ସେତେବେଳକାର ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନାମ ନନେଇଥିଲେ ମଧ୍ୟ ତାଙ୍କୁ କଡ଼ା ସମାଲୋଚନା କରିଥିବା ସ୍ପଷ୍ଟ ହୋଇଛି। ଶ୍ରୀ ସାଲୁଜା କହିଛନ୍ତି, ଯଦି ୨୦୧୪ରୁ ପାଞ୍ଚବର୍ଷ ଆମ ଦଳର ପ୍ରଦର୍ଶନ ବହୁତ ଖରାପ ହୋଇନଥା’ନ୍ତା ଆମେ ୯ ନୁହେଁ, ୯୦ ଆସନରେ ଜିତିଥା’ନ୍ତୁ। ବିଧାନସଭାରେ ଆମ ଦଳ ବିରୋଧୀ ଦଳ ଭୂମିକା ତୁଲାଇବା ବଦଳରେ ବିଜେଡି ସହ ମିଳିମିଶି କାମ କଲା। ଏବେ ଯେମିତି ବିଜେଡି-ବିଜେପି ମିଳିମିଶି କାମ କରୁଛନ୍ତି ସେତେବେଳେ ଆମେ ବିଧାନସଭାରେ ବିଜେଡି ସହ ମିଳିମିଶି କାମ କଲେ। ସଂଗଠନ ମଧ୍ୟ ମଜଭୁତ ହେଲାନାହିଁ। ଲୋକେ ଦେଖିଲେ, କଂଗ୍ରେସ ହେଉଛି ବିଜେଡିର ବି-ଟିମ୍। ତେଣୁ ଆମେ ବିଜେଡିର ବିକଳ୍ପ ହୋଇପାରିଲେ ନାହିଁ। ତେବେ ୨୦୧୯ରେ ମାତ୍ର ୯ ଜଣ କଂଗ୍ରେସ ବିଧାୟକ ଜିତିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଆମେ ଚାରିପାଞ୍ଚ ଜଣ ପ୍ରତି ପ୍ରସଙ୍ଗରେ ସରକାରଙ୍କୁ ଅଡୁଆରେ ପକାଉଛୁ। ମୁଁ, ସୁର, ତାରା, ମୋକିମ୍ ଓ ଖରିଆର ବିଧାୟକ ଯେଭଳି ଭାବେ ସରକାରଙ୍କୁ ଘେରୁଛୁ ତାଙ୍କର ୧୧୩ ଜଣ ଥାଇ ମଧ୍ୟ ଆମ ଆଗରେ ଫିକା ଲାଗୁଛନ୍ତି।

ସୂଚନାଯୋଗ୍ୟ, ବଲାଙ୍ଗୀର ଜିଲ୍ଲାରୁ ଶ୍ରୀ ମିଶ୍ର ଓ ଶ୍ରୀ ସାଲୁଜା ଉଭୟେ କଂଗ୍ରେସ ଦଳରୁ ଯଥାକ୍ରମେ ବଲାଙ୍ଗୀର ଓ କଣ୍ଟାବାଂଜି ଆସନରୁ ଜିତିଥିଲେ ମଧ୍ୟ ଦଳରେ ସେମାନେ ଦୁଇଟି ପୃଥକ୍ ଗୋଷ୍ଠୀର ବୋଲି ଧରାଯାଏ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ମଧ୍ୟରୁ ବଲାଙ୍ଗୀର ରାଜନୀତିରେ କିଏ ତାଙ୍କର ନେତା ବୋଲି ପ୍ରଶ୍ନରେ ମଧ୍ୟ ଶ୍ରୀ ସାଲୁଜା ଶରତଙ୍କୁ ନିଜ ନେତା ବୋଲି ଦୋହରାଇଛନ୍ତି।

ସମ୍ବନ୍ଧିତ ଖବର