ଭୁବନେଶ୍ବର: ରାଜ୍ୟ ଧୀରେ ଧୀରେ ଋଣ ଯନ୍ତାକୁ ଠେଲି ହୋଇଯାଉଛି। ଏମିତି ଯେ ବର୍ତମାନ ମାଆ ପେଟରେ ଥିବା ଛୁଆ ମୁଣ୍ଡରେ ପାଖାପାଖି ୧୮ ହଜାର ୫୦୦ ଟଙ୍କାର ଋଣ। ଆଉ ଦୁଇ ତିନିବର୍ଷ ଶାସନ କଲେ ଏମାନେ ପ୍ରତି ପିଲା ମୁଣ୍ଡରେ ୨୦ ହଜାର ଟଙ୍କା ଋଣ ଛାଡିବେ। ଅର୍ଥନୈତିକ ସର୍ଭେ ରିପୋର୍ଟ ସଂପର୍କରେ ତଥ୍ୟ ରଖି ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏଭଳି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଶ୍ରୀ ସାଲୁଜା କହିଥିଲେ, ୨୦୧୮-୧୯ରେ ରାଜ୍ୟର ବିକାଶ ହାର ୭.୧୬ ପ୍ରତିଶତ ଥିଲା। ୨୦୧୯-୨୦ରେ ଏହା ୬.୧୬କୁ ଖସି ଆସିଛି। ଅର୍ଥାତ୍ ବିକାଶ ହାର ୧ ପ୍ରତିଶତକୁ ଖସି ଆସିଛି। କଂଗ୍ରେସ ଯେଉଁ ସମୟରେ ସରକାରରୁ ଯାଇଥିଲା, ସେତେବେଳେ ମାତ୍ର ୧୮ ହଜାର ଟଙ୍କାର ଋଣ ବୋଝ ରାଜ୍ୟ ମୁଣ୍ଡରେ ଥିଲା। ଏବେ କିନ୍ତୁ ଏହା ବଢି ୧ଲକ୍ଷ କୋଟି ଟଙ୍କା ଛୁଇଁଛି। ରାଜ୍ୟ ସରକାର ବିଧାନସଭାରେ ଆଜି ବଜେଟ୍ ଉପସ୍ଥାପନ କରିବା ବେଳେ ଋଣ ହାର ଦିଗରେ ସ୍ବତନ୍ତ୍ର ଧ୍ୟାନ ଦେବା ଉଚିତ୍ ବୋଲି ଶ୍ରୀ ସାଲୁଜା ମତ ରଖିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp