ଆନନ୍ଦପୁର : ପର୍ଯ୍ୟଟନ ଋତୁରେ ବଣପାହାଡ଼ ଘେରା କେନ୍ଦୁଝର ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଓ ଦର୍ଶନୀୟ ସ୍ଥାନଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି। କୋଭିଡ କଟକଣା ହଟିବା ପରେ ବିଭିନ୍ନ ସ୍ଥାନରେ ଭୋଜିଭାତର ଆସର ଜମୁଥିବା ପରିଲକ୍ଷିତ ହୋଇଛି। ତେବେ ପ୍ରଚାର ପ୍ରସାର ଅଭାବରୁ ଅନେକ ଦର୍ଶନୀୟ ସ୍ଥାନ ପର୍ଯ୍ୟଟକଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ଏଭଳି ଏକ ସ୍ଥାନ ହେଉଛି ‘ସାପଘର’ ଜଳପ୍ରପାତ।
ଆନନ୍ଦପୁର ବ୍ଲକ୍ କୋଳିମାଟି ପଞ୍ଚାୟତର ଟିକିରା ଗ୍ରାମ ନିକଟରେ ରହିଛି ଏହି ଜଳପ୍ରପାତ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ସ୍ଥାନ ସମ୍ପର୍କରେ ଜଣାପଡ଼ିବା ପରେ ଏବେ ସେଠାରେ ଲୋକଙ୍କ ସମାଗମ ହେଉଛି। ଘସିପୁରାଠାରୁ ଘଟଗାଁ ଆଡ଼କୁ ୨୦ ନମ୍ବର ଜାତୀୟ ରାଜପଥରେ ୧୫ କିମି ଗଲେ ପଡ଼ିବ କନ୍ତୋ ଛକ। କନ୍ତୋଛକରୁ ବାମପାର୍ଶ୍ବକୁ ପ୍ରଧାନମନ୍ତ୍ରୀ ସଡ଼କରେ ୫ କିମି ଗଲେ ପଡ଼ିବ ଆଦିବାସୀ ଅଧ୍ୟୁଷିତ ଟିକିରା ଗ୍ରାମ। ଗ୍ରାମର ଶେଷ ସୀମାରୁ ୫୦୦ମିଟର ପାଦଚଲା ରାସ୍ତାରେ ଗଲେ ସାପଘର ଜଳପ୍ରପାତ ପଡ଼ିବ। ମୂଷଳ ନଦୀଶଯ୍ୟାରେ ଅଙ୍କାବଙ୍କା ପର୍ବତ ମଧ୍ୟରେ ସୃଷ୍ଟି ହୋଇଛି ଏହି ଜଳପ୍ରପାତ। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଲୋକଙ୍କୁ ଆକର୍ଷିକ କରୁଛି। ଭୋଜିଭାତ ସାଙ୍ଗକୁ ନୀଳ ଜଳରାଶିରେ ସ୍ନାନ କରିବାର ଅନୁଭୂତି ମଧ୍ୟ ନିଆରା।
ଏହି ସ୍ଥାନରେ ପୂର୍ବରୁ ବଡ଼ବଡ଼ ସାପ ରହୁଥିବାରୁ ଏହାର ନାମ ସାପଘର ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଏହି ସ୍ଥାନକୁ ଯିବାରୁ ରାସ୍ତା ନଥିବାରୁ ବର୍ଷାଦିନେ ଯାତାୟାତ ସମ୍ଭବ ହୁଏନାହିଁ। ସେହିପରି ଏହି ଜଳପ୍ରପାତ ସମ୍ପର୍କରେ କେହି ଜାଣି ନଥିବାରୁ ବାହାର ଲୋକେ ମଧ୍ୟ ଆସନ୍ତି ନାହିଁ। କନ୍ତୋ ଛକ ନିକଟରେ ଏହି ସ୍ଥାନ ସମ୍ପର୍କରେ ସୂଚନା ଫଳକ ଲଗାଯିବା ସହିତ ଟିକରା ଗ୍ରାମ ଶେଷ ସୀମାରୁ ରାସ୍ତା ନିର୍ମାଣ କରାଯିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ପାରିପାର୍ଶ୍ବିକ ବିକାଶ କରାଗଲେ ଆନନ୍ଦପୁର ଓ ଘଟଗାଁ ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ଏହି ସ୍ଥାନ ବାହାର ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରନ୍ତା ବୋଲି ଲୋକେ କହିଛନ୍ତି।