ଆରପାରିରେ ପ୍ରଖ୍ୟାତ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ସାରଦା ନାୟକ

ଭୁବନେଶ୍ୱର : ପ୍ରଖ୍ୟାତ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ସାରଦା ପ୍ରସନ୍ନ ନାୟକ ଆଉ ନାହାନ୍ତି। ଓଡ଼ିଆ ଚଳଚ୍ଚିତ୍ର, ରେଡିଓ ଓ ମଞ୍ଚ ନାଟକକୁ କାଳଜୟୀ କାହାଣୀ, ଗୀତ ଓ ନିର୍ଦେଶନା ଭେଟି ଦେଇଥିବା ଏହି କଳାର ପୁରୁଷ ଆଜି ୯୩ ବର୍ଷ ବୟସରେ ଇହଧାମ ଛାଡ଼ିଛନ୍ତି। କରୋନା ଆକ୍ରାନ୍ତ ହୋଇ ଗତ ସୋମବାରରୁ ସମ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ସନ୍ଧ୍ୟାରେ ପ୍ରାଣତ୍ୟାଗ କରିଥିବା ହସ୍ପିଟାଲ ତରଫରୁ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଥିଲା। ତାଙ୍କ ବିୟୋଗରେ ସିନେ ଓ ନାଟ୍ୟପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଲଷ୍ମୀ, କା, ସ୍ତ୍ରୀ ଓ ସଂସାର ଭଳି ଉଚ୍ଚମାନର ଫିଲ୍ମ ଭେଟିଦେଇଥିବା ସାରଦାଙ୍କୁ ପ୍ରସିଦ୍ଧି ଆଣିଦେଇଥିଲା ତାଙ୍କ କଲମ ନିଃସୃତ କାଳଜୟୀ ଗୀତ।

ଆରତ ସୁର ବାରେ କର ମିନତିରେ.., ସଞ୍ଜ ସକାଳେ ତୁମ ଛବି ଖୋଜେ ନୀଳ ଭିଜା ନୟନରେ.., ମୋ ଆଖିର କେତେ କଥା ମୋ ଆଖିର ନୀରବତା…, ନକର ନକର ମନ ତିଳେ ଭାବନା.., ମଧୁର ଏ ଚାନ୍ଦ ରାତି ହସେ ତାରା ଲଗନେ…, ମଉନାବତୀ ମଉନ କିଆଁ.., ଅଦିନ ବଉଦ ଅଦିନ କୁହୁଡ଼ି… ଭଳି ୨୦୦ରୁ ଉର୍ଧ୍ବ ଗୀତ ରଚନା କରି ଜନମାନସରେ ଛାପ ଛାଡ଼ିଥିଲେ।

ପଚାଶ ଦଶକର ଶେଷ ଭାଗରେ ‘ଜୟଦେବ’ ଚଳଚ୍ଚିତ୍ରରୁ ତାଙ୍କର ସିନେମା ଦୁନିଆ ସହ ସମ୍ପର୍କ ଯୋଡ଼ି ହୋଇଥିଲା। ସେଥିରେ ସଂଳାପ ଓ ଗୀତ ରଚନା କରିଥିଲେ। ତେବେ ଫିଲ୍ମଟି ୧୯୬୨ ମସିହାରେ ମୁକ୍ତିଲାଭ କରିଥିଲା। ୧୯୬୩ ମସିହାରେ ସେ ନିଜ ନିର୍ଦେଶନାରେ ନିର୍ମାଣ କରିଥିଲେ ଚଳଚ୍ଚିତ୍ର ‘ଲଷ୍ମୀ’। ନିର୍ଦେଶନା ସହ ସେହି ଚଳଚ୍ଚିତ୍ରରେ କାହାଣୀ ଓ ଗୀତ ମଧ୍ୟ ରଚନା କରିଥିଲେ। ଏହା ସେହି ବର୍ଷ ରାଷ୍ଟ୍ରପତି ପୁରସ୍କାର ଲାଭ କଲା। ୧୯୬୬ ମସିହାରେ ‘କା’ ଚଳଚ୍ଚିତ୍ରରେ ସଂଳାପ ସହ ଗୀତ ରଚନା କରିଥିଲେ। ପରେ ୧୯୬୮ ମସିହାରେ ‘ସ୍ତ୍ରୀ’ ଓ ‘ସଂସାର’ ଉଭୟ ଫିଲ୍ମରେ ଗୀତ, କାହାଣୀ ଓ ସଂଳାପ ରଚନା କରି ଲୋକପ୍ରିୟତା ଅର୍ଜନ କରିଥିଲେ।

୧୯୨୬ ମସିହା ଡିସେମ୍ବର ୧୩ ତାରିଖରେ କଟକ କାଫଲା ବଜାରରେ ଜନ୍ମିତ ସାରଦା ରେଭେନ୍ସାରେ ପଢ଼ିବା ବେଳେ ଗୀତ ପ୍ରେମରେ ପଡ଼ିଥିଲେ। ପରେ ମଞ୍ଚ ନାଟକ ପ୍ରତି ରୁଚି ବଢ଼ିଲା। ଯୁବକ ସମୟରେ କିଛି ନାଟକ ରଚନା ଆରମ୍ଭ କଲେ। ପରେ ଦୂରଦର୍ଶନ କେନ୍ଦ୍ର ଓ ଅଲ ଇଣ୍ଡିଆ ରେଡିଓରେ ଚାକିରି ସହ ପ୍ରଯୋଜକ ଭାବେ ଅବସର ନେଇଥିଲେ। ଚାକିରି କାଳରେ ମଧ୍ୟ ନାଟ୍ୟ ରଚନା ଓ ଫିଲ୍ମ କାମ ଚାଲୁ ରଖି ଉଭୟ ପେସା ଓ ନିଶାକୁ ବଞ୍ଚେଇ ରଖିଥିଲେ। ପ୍ରାୟ ୨୦ ନାଟକ ରଚନା ଓ ନିର୍ଦେଶନା ଦେଇଥିଲେ। ଅଭିନୟ ମଧ୍ୟ କରିଥିଲେ। ସେଥିପାଇଁ ନାଟକ ଓ ଫିଲ୍ମ ଜଗତରେ ତାଙ୍କୁ ଅଲରାଉଣ୍ଡର ଆଖ୍ୟା ଦିଆଯାଇଥିଲା।

ରାଷ୍ଟ୍ରପତି ପୁରସ୍କାର ବ୍ୟତୀତ ଓଡ଼ିଆ ଫିଲ୍ମ ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ୨୦୧୩ରେ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହ ଆଦି ନାଟ୍ୟକାର ଜଗମୋହନ ଲାଲା ସମ୍ମାନ, ନାଟ୍ୟଶ୍ରୀ ସମ୍ମାନ, ବାଣୀଚିତ୍ର, ସଦର ଗୌରବ, ଗୁରୁ ସମ୍ମାନ ଭଳି ଅଜସ୍ର ପୁରସ୍କାର ଲାଭ କରିଥିଲେ।

ଘର କଟକରେ ହୋଇଥିଲେ ସୁଦ୍ଧା ସେ ଦୀର୍ଘବର୍ଷ ହେଲା ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ଏକାମ୍ର ଭିଲ୍ଲା ବାସଭବନରେ ରହି ଆସୁଥିଲେ। ବାହାରେ ତାଙ୍କ ଝିଅମନେ ଓ ପୁଅ ରହୁଥିବାରୁ ଆସନ୍ତାକାଲି ପହଞ୍ଚିବା ପରେ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ କରାଯିବ ବୋଲି ପୁତ୍ର ପାର୍ଥ ନାୟକ ସୂଚନା ଦେଇଛନ୍ତି।

ସାରଦାଙ୍କ ବିୟୋଗରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଓଡ଼ିଆ ସିନେ ଜଗତ ଜଣେ ଶ୍ରେଷ୍ଠ ନିର୍ଦେଶକଙ୍କୁ ହରାଇଲା। ତାଙ୍କ ବିୟୋଗ ଓଡ଼ିଶା ଚଳଚ୍ଚିତ୍ର ଜଗତରେ ଅପୂରଣୀୟ କ୍ଷତି। ସେହିପରି ସାରଦା ନାୟକଙ୍କ ବିୟୋଗରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି।

‘ସମ୍ବାଦ’ର ଫିଚର ସମ୍ପାଦକ ଗୌରହରି ଦାସ, କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉ‌ପଦେଷ୍ଟାମଣ୍ଡଳୀ ଆବାହକ ବିଜୟାନନ୍ଦ ସିଂହ ସ୍ବର୍ଗତ ନାୟକଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର