ଭୁବନେଶ୍ବର: ପାଠ ପଢ଼, ସୁନାମ ଆଣ। ନିଜେ ପଢ଼ିବା ସହ ପରିବାର ଓ ଗାଁର ସବୁ ପିଲାଙ୍କୁ ପଢ଼ିବା ପାଇଁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଆଦିବାସୀ ପଡ଼ିଆରେ ‘ସରଗି ଫୁଲ୍’ ମହୋତ୍ସବକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଏହି ଅବସରରେ ସେ ଘୋଷଣା କରିଥିଲେ ଯେ ଜନଜାତି ବର୍ଗଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ବିକ୍ରିବଟା ପାଇଁ ଆଦିବାସୀ ପଡ଼ିଆଠାରେ ଏକ ସ୍ଥାୟୀ ଜନଜାତି ହାଟ ନିର୍ମାଣ କରାଯିବ। ରାଜ୍ୟର ୬ ଲକ୍ଷ ଜନଜାତି ଛାତ୍ରଛାତ୍ରୀଙ୍କୁ ଆବାସିକ ସୁବିଧା ଓ ସହରର ବଡ଼ ବଡ଼ ଘରୋଇ ସ୍କୁଲରେ ଇଂରାଜୀ ମାଧ୍ୟମରେ ଶିକ୍ଷା ଯୋଗାଇ ଦିଆଯାଉଛି। ସେମାନଙ୍କ ଉଚ୍ଚଶିକ୍ଷା ପାଇଁ ‘ଆଙ୍କାକ୍ଷା’ ଯୋଜନା କାର୍ଯ୍ୟକାରୀ ହେଉଛି। ୧୯ ଲକ୍ଷ ଏସ୍ଟି/ଏସ୍ସି ପିଲାଙ୍କୁ ମାଟ୍ରିକ୍ ପୂର୍ବ ଓ ପରବର୍ତ୍ତୀ ବୃତ୍ତି ଆକାରରେ ୧୧୦୦ କୋଟି ଟଙ୍କା ପ୍ରଦାନ କରାଯାଉଛି। ଏଥିସହ ଓବିସି ଓ ଏସ୍ଇବିସି ପିଲାଙ୍କ ପାଇଁ ୧୦୦ ଓ ସଂଖ୍ୟାଲଘୁ ପିଲାଙ୍କ ପାଇଁ ୪୦ଟି ହଷ୍ଟେଲ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ରମେଶ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଜନଜାତି ପିଲାଙ୍କ ପାଇଁ ୪୩୦୦ ଆବାସିକ ବିଦ୍ୟାଳୟ ଓ ୬୩୦୦ ହଷ୍ଟେଲ ରହିଛି। ଏଥିରେ ସାଢ଼େ ୫ଲକ୍ଷ ଜନଜାତି ଛାତ୍ରଛାତ୍ରୀ ରହିବା ସହ ଶିକ୍ଷା ଗ୍ରହଣ କରୁଛନ୍ତି। ବିଭାଗ ଅଧୀନରେ ଥିବା ସ୍କୁଲର ପିଲାମାନେ ମାଟ୍ରିକ୍ରେ ଭଲ ରେଜଲ୍ଟ କରୁଛନ୍ତି। ବିଭିନ୍ନ ଜନଜାତି ବର୍ଗର ପିଲାଙ୍କ ସଂସ୍କୃତି ଓ ଭାଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେମାନଙ୍କୁ ବହୁଭାଷୀ ଶିକ୍ଷା ପ୍ରଦାନ କରୁଛନ୍ତି ବୋଲି ମନ୍ତ୍ରୀ କହିଥିଲେ। ବିଭାଗୀୟ ସଚିବ ଆର୍. ରଘୁପ୍ରସାଦ ସ୍ବାଗତ ଭାଷଣ ଦେଇଥିବା ବେଳେ ମେୟର ଅନନ୍ତ ନାରାୟଣ ଜେନା ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଜ୍ଞାନ ମେଳାକୁ ଉଦ୍ଘାଟନ କରିଥିଲେ। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବରେ ୯୨୫ଜଣ ଛାତ୍ରଛାତ୍ରୀ, ୧୪୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି। ବିଭିନ୍ନ ବିଭାଗରେ କର୍ମଶାଳା ଓ ପ୍ରତିଯୋଗିତା ଆୟୋଜିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Untitled-1-18.jpg)