ବାରଙ୍ଗ/ତ୍ରିଶୁଳିଆ: ସେ ଥିଲା ଏକ ଅଧୁରା ପ୍ରେମ କାହାଣୀର ନାୟିକା। ତ୍ରିକୋଣୀୟ ପ୍ରେମ କାହାଣୀର ଅନ୍ୟତମ ନାୟିକା ‘ମେଘା’ ପାଇଁ ସେ ପାଇପାରିଲାନି ନାୟକ ‘ନନ୍ଦନ’କୁ। ‘ମେଘା’ର ଆକ୍ରମଣରେ କ୍ଷତବିକ୍ଷତ ହେଲା। ମହାବଳ‘ଋଷି’ ଔରସରୁ ସେ ୩ ଛୁଆର ମା’ ହୋଇଥିଲା। କିନ୍ତୁ ମାତ୍ର ଥରକ ପାଇଁ ମା’ ହେଲା। ଶେଷରେ ବୁଢ଼ୀ ହୋଇଗଲା ଏବଂ ୧୯ ବର୍ଷ ବୟସରେ ଆଖିବୁଜିଲା। ତା’ ମନର ଇପ୍‌ସିତ ନାୟକ ‘ନନ୍ଦନ’ ମୃତ୍ୟୁର ମାସକ ପରେ ସେ ଶେଷନିଶ୍ବାସ ତ୍ୟାଗ କରିଛି। ନନ୍ଦନ ପଛେପଛେ ସେ ନନ୍ଦନକାନନକୁ ସବୁଦିନ ପାଇଁ ବିଦାୟ ଜଣାଇଛି। ଏହା ହେଉଛି ନନ୍ଦନକାନନର ବାଘୁଣୀ ‘ସାରା’ର କାହାଣୀ।

Advertisment

ଏକ ତ୍ରିକୋଣୀୟ ପ୍ରେମ କା‌ହାଣୀର ନାୟିକା ବାଘୁଣୀ ସାରା ଆଜି ନନ୍ଦନକାନନ ଇତିହାସ ପୃଷ୍ଠାରେ ଛାଡ଼ିଯାଇଛି ତା’ର ୧୯ ବର୍ଷର ଜୀବନୀ। ତା’ର ମୃତ୍ୟୁରେ ଆଜି ନନ୍ଦନକାନନରେ ଖେଳିଯାଇଛି ଶୋକର ଛାୟା। ଆଜି ଭୋର୍‌ ପ୍ରାୟ ସା‌ଢ଼େ ୪ଟାରେ ତା’ର ମୃତ୍ୟୁ ହୋଇଥିଲା ଏବଂ ଶବ ବ୍ୟବଚ୍ଛେଦ ପରେ ଏକ ଶୋକାକୁଳ ପରିବେଶରେ ତା’ର ଅନ୍ତିମ ସଂସ୍କାର କରାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନନ୍ଦନକାନନ ପାଇଁ ସାରା ଥିଲା ଏକ ପରୀକ୍ଷଣର ମାଧ୍ୟମ। ସମବଂଶୀ ବାଘ ମିଳନ ପ୍ରଥାରେ ରୋକ୍ ଲଗାଇବାକୁ ସାରା ହିଁ ଥିଲା ପ୍ରଥମ ପରୀକ୍ଷଣର ମାଧ୍ୟମ। ୨୦୦୬ ଅକ୍ଟୋବର ୧୮ରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର ହୋଇଥିଲା ସାରା। ସେତେବେଳକୁ ସେ ମାତ୍ର ୫ବର୍ଷ ବୟସ ହୋଇଥିଲା। ଭୋପାଳ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଯତ୍ନରେ ବଢ଼ିଲା। ସେଇଠି କଟିଲା ସାରାର କୈଶୋର। ମାତ୍ର ହଠାତ୍ ତାକୁ ସ୍ଥାନାକ୍ତର କରାଗଲା ଓଡ଼ିଶାର ନନ୍ଦନକାନନକୁ। ବାଘଙ୍କ ସମବଂଶୀ ମିଳନ ପ୍ରଥାକୁ ରୋକିବା ଲାଗି ସାରାକୁ ବଛାଗଲା। କାରଣ ସମବଂଶୀ ମିଳନରୁ ଜନ୍ମ ନେଉଥିବା ବାଘମାନେ କମ୍ ଆୟୁଷ ବିଶିଷ୍ଟ ଥିଲେ। ସାରା ଥିଲା ନାଲିରଙ୍ଗର ସାଧାରଣ ବାଘୁଣୀ। ତାକୁ ଧଳାରଙ୍ଗର ମହାବଳ ସହ ମିଳନ କରାଇବାକୁ ନନ୍ଦନକାନନ ଅଣାଗଲା। ଧଳା ମହାବଳ ଋଷି ସହ ତାକୁ ମିଶାଇବାକୁ ସୁଯୋଗ ସୃଷ୍ଟି କରାଗଲା।

ସଫଳ ହେଲା ପରୀକ୍ଷଣ। ୨୦୧୨ ଜାନୁଆରି ୧୩ରେ ସାରାର ପ୍ରଥମ ଗର୍ଭରୁ ଜନ୍ମନେଲେ ତିନି ମାଈ ଶାବକ ଶୁଭଶ୍ରୀ, ଅଙ୍କିତା ଓ ଆଶା। ଏତିକିବେଳେ ହଠାତ୍ ସାରା ଜୀବନକୁ ପଶିଆସିଲା ମହାବଳ ନନ୍ଦନ। ୨୦୧୩ ମସିହାରେ ଚନ୍ଦକା ଜଙ୍ଗଲରୁ ନନ୍ଦନକାନନକୁ ଡେଇଁପଡ଼ିଥିଲା ମହାବଳ ନନ୍ଦନ। ସଦ୍ୟ ଯୌବନପ୍ରାପ୍ତ ବାଘୁଣୀ ମେଘା ପ୍ରେମରେ ପାଗଳ ନନ୍ଦନ ଡେଇଁପଡ଼ିଲା ନନ୍ଦନକାନନ ଭିତରକୁ ଏବଂ ମେଘା ଖୁଆଡ଼ ନିକଟରେ ଚକ୍କର କାଟିଲା। ପରେ ନନ୍ଦନକାନନ କର୍ତ୍ତୃପକ୍ଷ ତାକୁ ବନ୍ଦୀ କଲେ। ସୌଭାଗ୍ୟକୁ ସେତେବେଳେ ନନ୍ଦନକାନନ ପାଇଁ ଏକ ଜଙ୍ଗଲୀ ଅଣ୍ଡିରା ବାଘ ଦରକାର ଥିଲା। ସମବଂଶୀ ବାଘ ମିଳନ ବଦଳରେ ଜଙ୍ଗଲୀ ବାଘ ଜରୁରି ଥିଲା। ସେତେବେଳକୁ ସାରା ଓ ଋଷିର ମିଳନରୁ ୩ ଛୁଆ ଜନ୍ମ ନେଇସାରିଥିଲେ। ତେଣୁ ନନ୍ଦନ ସହ ସାରାକୁ ମିଶାଇବା ଲାଗି ଯୋଜନା ହେଲା। ସେମାନଙ୍କୁ ପାଖାପାଖି ଖୁଆଡ଼ରେ ରଖାଗଲା। ଦେଖାଗଲା ସାରା ମଧ୍ୟ ନନ୍ଦନ ଆଡ଼କୁ ଆକୃଷ୍ଟ ହେଉଛି। କିନ୍ତୁ ‌ଏସବୁକୁ ସହି ପାରିଲାନି ମେଘା। ଏକଦା ସାରା ତାରଜାଲି ବାହାରକୁ ଗୋଡ଼ କାଢ଼ିଥିବା ବେଳେ ମେଘା ତା’ ଗୋଡ଼କୁ କାମୁଡ଼ି ଝୁଣି ପକାଇଲା। ଏହାପରଠୁ ନନ୍ଦନକାନନ କର୍ତ୍ତୃପକ୍ଷ ସାରାକୁ ଅଲଗା କରିଦେଲେ ଏବଂ ଆରମ୍ଭ ହେଲା ମେଘା-ନନ୍ଦନର ପ୍ରେମ କାହାଣୀ। ଏଣେ କ୍ଷତାକ୍ତ ସାରା ଭିନ୍ନ ଏକ ଖୁଆଡ଼ରେ ଏକୁଟିଆ ପଡ଼ିରହିଲା। ଧୀରେଧୀରେ ତା’ର କ୍ଷତ ଭଲ ହୋଇଗଲା। କିନ୍ତୁ ଲିଭିଲାନି ମନର କ୍ଷତ। ଆଉ ମିଶିପାରିଲାନି ଋ‌ଷି ସହ। ସେବେଠୁ ବଞ୍ଚିଲା ଏକାଏକା। ଚଳିତ ବର୍ଷ ଫେବ୍ରୁଆରିରେ ସେ ଅସୁସ୍ଥ ହୋଇପଡ଼ିଲା। ସେପଟେ ନନ୍ଦନ ମଧ୍ୟ ବାର୍ଦ୍ଧକ୍ୟଜନିତ କାରଣରୁ ଅସୁସ୍ଥ ହୋଇପଡ଼ିଥିଲା। ମାର୍ଚ୍ଚ ୧୧ରେ ନନ୍ଦନ ଆଖିବୁଜିଦେଲା। ଆଜି ସାରା ଚାଲିଗଲା।