ସାହିତ୍ୟ ଆମକୁ ସତ୍ୟ ସହ ସାକ୍ଷାତ କରାଏ: ଉଦୟନ

ସାହିତ୍ୟ ‌ମୋର କୁରୁକ୍ଷେତ୍ର ଏବଂ ଶବ୍ଦ ମୋର ଶସ୍ତ୍ର: ଗୌରହରି

ଭୁବନେଶ୍ବର : ସାହିତ୍ୟ ଆମକୁ ସତ୍ୟ ସହ ସାକ୍ଷାତ କରାଇଥାଏ। ସାହିତ୍ୟ ପାଠକର ବିବେକକୁ ଜାଗ୍ରତ କରାଏ। ବିଜ୍ଞାନ ମଧ୍ୟ ମଣିଷ ଭିତରେ ଥିବା ତା’ର ଅଦ୍ବିତୀୟତା ପାଖରେ ପହଞ୍ଚାଇବା ପାଇଁ ଅସମର୍ଥ। ହେଲେ ନିଜ ଭିତରେ ଥିବା କଳା ଓ ସାହିତ୍ୟ ହିଁ ଏହି ଅଦ୍ବିତୀୟତାକୁ ମନୁଷ୍ୟ ନିକଟରେ ପହଞ୍ଚାଇବାର ସାମର୍ଥ୍ୟ ରଖିଛି। ସବୁ ମଣିଷଙ୍କ ବିବେକ ଭିନ୍ନ ଭିନ୍ନ ହୋଇଥାଏ। କଳାକୃତି ନିଜ ଭିତରେ ଥିବା ବିବେକବୋଧକୁ ଜାଗ୍ରତ କରିଥାଏ। ଏହାରି ମାଧ୍ୟମରେ ହିଁ ଜଣେ ସମାଜ ସହ ଯୋଡ଼ି ହୋଇପାରିବ। ଏହା କେବଳ କଳା, ସାହିତ୍ୟ ଓ ସଂସ୍କୃତିକୁ ଆପଣାଇବା ଦ୍ବାରା ସମ୍ଭବ ହୋଇପାରିବ। ଆଜି ଏଠାରେ ଆୟୋଜିତ ‘ଇମ୍ପାକ୍‌ଟ’ର ‘୪୩ତମ ଶାରଳା ପୁରସ୍କାର’ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ଉଦୟନ ବା‌ଜପେୟୀ ଏହା କହିଛନ୍ତି।

ଶାରଳା ପୁରସ୍କାର’ ଉତ୍ସବ

ଶ୍ରୀ ବାଜପେୟୀ କହିଥିଲେ ଯେ ପୁରସ୍କାରର ବିଶେଷତ୍ବ ହେଉଛି ଲେଖକ ଓ କଳାକାରଙ୍କ ପ୍ରତି ସମାଜ ପକ୍ଷରୁ କୃତଜ୍ଞତା ଜ୍ଞାପନ। ପୁରସ୍କାର ଲେଖକ ଓ କଳାକାରର ସୃଜନଶୀଳତା ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଏହି ଅବସରରେ ଚଳିତ ବର୍ଷର ଶାରଳା ପୁରସ୍କାର ବିଜେତା ବିଶିଷ୍ଟ କଥାକାର ଗୌରହରି ଦାସ କହିଲେ ଯେ ଗଳ୍ପ ସଂକଳନ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’କୁ ପୁରସ୍କୃତ କରି ଜୀବନ ପ୍ରତି କୃତଜ୍ଞ ହେବାର ଏହି ମୁହୂର୍ତ୍ତଟି ମୋତେ ଉପହାର ଭାବେ ଦେଇଥିବାରୁ ମୁଁ ‘ଇଣ୍ଡିଆନ୍‌ ମେଟାଲସ ପବ୍ଲିକ୍‌ ଚାରିଟେବୁଲ ଟ୍ରଷ୍ଟ’କୁ ଧନ୍ୟବାଦ ଦେଉଛି। ମଣିଷ ପାଇଁ ସୁଖକର କଥା ହେଉଛି ଲୋଡ଼ା ପଡ଼ିବାର ଅନୁଭବ ଏବଂ ଦୁଃଖଦାୟକ ହେଉଛି ଅଲୋଡ଼ା ହୋଇପଡ଼ିବାର ଅନୁଭବ। ପ୍ରତ୍ୟେକ ପୁରସ୍କାର ତା’ର ପ୍ରାପକକୁ ଲୋଡ଼ା ପଡ଼ିବାର ଅନୁଭବକୁ ଭେଟି ଦେଇଥାଏ, ଯାହା ଆକସ୍ମିକ ଏବଂ ମଧୁର। ଦୀର୍ଘ ଚାରି ଦଶନ୍ଧି ଧରି ଏହି ଟ୍ରଷ୍ଟ ସୃଜନ ସହ ସମ୍ବନ୍ଧିତ ବ୍ୟକ୍ତିମାନଙ୍କୁ ମଧୁର ଅନୁଭବ ଭେଟି ଦେଇ ଆସୁଥିବାରୁ ସେ ଟ୍ରଷ୍ଟର ପ୍ରତିଷ୍ଠାତା, ଦୂରଦୃଷ୍ଟି ସମ୍ପନ୍ନ ଦମ୍ପତି ବଂଶୀଧର ପଣ୍ଡା ଓ ଇଲା ପଣ୍ଡାଙ୍କୁ ସମ୍ମାନର ସହ ସ୍ମରଣ କରୁଛନ୍ତି ବୋଲି କହିଥିଲେ। ସ୍କଟିସ୍‌ ଫିଲ୍ମ ନିର୍ଦ୍ଦେଶକ ଓ ଲେଖକ ଷ୍ଟିଭେନ୍‌ ମଫଟ୍‌ଙ୍କ ଉଦାହରଣ ଦେଇ ସେ ଆହୁରି କହିଥିଲେ, ‘ଆମେ ସମସ୍ତେ ଶେଷକୁ ଗୋଟେ ଗୋଟେ ଗପ ପାଲଟିଯିବା’। ଗାଳ୍ପିକଙ୍କ ପରେ ଗାଳ୍ପିକ ବିଦାୟ ନେଉଥିବା ସତ୍ତ୍ବେ ଗପ ରହିବ, ଶବ୍ଦ ରହିବ। ଶବ୍ଦର ଶେଷ ନାହିଁ କି ଶବ୍ଦର ସମାଧି ନାହିଁ। ସାହିତ୍ୟ ମୋର କୁରୁକ୍ଷେତ୍ର ଏବଂ ଶବ୍ଦ ମୋର ଶସ୍ତ୍ର।
ଟ୍ରଷ୍ଟି ପାରମିତା ପଣ୍ଡା ସ୍ବାଗତ ଭାଷଣ ଦେବା ଅବସରରେ କହିଲେ, ଦୀର୍ଘ ୪୩ ବର୍ଷ ଧରି ପ୍ରଦାନ କରାଯାଇ ଆସୁଥିବା ଏହି ଶାରଳା ପୁରସ୍କାରର ଅନ୍ୟତମ ପ୍ରବର୍ତ୍ତିକା ଇଲା ପଣ୍ଡାଙ୍କ ଆଜି ୯୦ତମ ଜନ୍ମତିଥି। ତାଙ୍କ ଅଦୃଶ୍ୟ ହାତରେ ସେ ଆମକୁ ନିରନ୍ତର ଆଶୀର୍ବାଦ ଓ ଉତ୍ସାହ ପ୍ରଦାନ କରିଚାଲିଛନ୍ତି। ‌ସାହିତ୍ୟିକ ବିଜୟ ମଲ୍ଲ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

ଏହି ଅବସରରେ କଳାକ୍ଷେତ୍ରରେ ଜୀବନବ୍ୟାପୀ ସାଧନାର ଉତ୍କର୍ଷ ପାଇଁ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଚିତ୍ରକର ପ୍ରଫୁଲ୍ଲ ମହାନ୍ତି, ଓଡ଼ିଶୀ ସଂଗୀତ ସାଧକ ଗୁରୁ ଘନଶ୍ୟାମ ପଣ୍ଡାଙ୍କୁ ଚଳିତବର୍ଷ ‘ଇଲା ବଂଶୀଧର କଳା ସମ୍ମାନ’ ପ୍ରଦାନ କରାଯାଇଛି। ପୁରସ୍କାର ବାବଦରେ ଉଭୟଙ୍କୁ ଦେଢ଼ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା। ସେହିଭଳି ଶାରଳା ପୁରସ୍କାର ବିଜେତା ଶ୍ରୀ ଦାସଙ୍କୁ ଉତ୍ତରୀୟ, ସମ୍ମାନପତ୍ର ସହ ପାଞ୍ଚ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ପ୍ରଫୁଲ୍ଲ ମହାନ୍ତିଙ୍କ ପକ୍ଷରୁ ତାଙ୍କ ସଂପର୍କୀୟ ପୁରସ୍କାର ଗ୍ରହଣ କରିଥିଲେ।

ଏହି ଅବସରରେ ବିୟତପ୍ରଜ୍ଞା ତ୍ରିପାଠୀଙ୍କ ସଂଯୋଜନାରେ ପୁରସ୍କୃତ ଲେଖକ ଶ୍ରୀ ଦାସ ଓ ମୁଖ୍ୟଅତିଥି ଶ୍ରୀ ବାଜପେୟୀଙ୍କ ମଧ୍ୟରେ ଏକ ଆଲୋଚନା ପର୍ବ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର