ପାରମିତା ଶତପଥୀଙ୍କୁ ଶାରଳା ପୁରସ୍କାର

ଭୁବନେଶ୍ୱର : ଇମ୍ପାକ୍ଟ ପକ୍ଷରୁ ଆଜି ୪୨ତମ ଶାରଳା ପୁରସ୍କାର ଘୋଷଣା ହୋଇଛି। ବିଶିଷ୍ଟ କଥାକାର ପାରମିତା ଶତପଥୀ ତାଙ୍କ ଉପନ୍ୟାସ ‘ଅଭିପ୍ରେତ କାଳ’ ନିମନ୍ତେ ଏହି ସମ୍ମାନଜନକ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ପୁରସ୍କାର ସ୍ୱରୂପ ଶ୍ରୀମତୀ ଶତପଥୀଙ୍କୁ ୫ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ। ଏହି ପୁସ୍ତକଟି ୨୦୧୬ ମସିହାରେ ପଶ୍ଚିମା ପ୍ରକାଶନ, ଭୁବନେଶ୍ୱର ଦ୍ୱାରା ପ୍ରକାଶିତ ହୋଇଛି।

ଏହା ସହିତ କଳା ଓ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ବଂଶୀଧର-ଇଲା ପଣ୍ଡା ସଙ୍ଗୀତ ଓ କଳା ସମ୍ମାନ ଖୁବ୍ ଶୀଘ୍ର ପ୍ରଦାନ କରାଯିବ। କୋଭିଡ୍‌ କଟକଣାକୁ ଆଖିରେ ରଖି ଚଳିତ ବର୍ଷ ପୁରସ୍କାର ସମାରୋହ ଆୟୋଜନ କରାନଯାଇ ବ୍ୟକ୍ତିଗତ ଭାବେ ପ୍ରଦାନ କରାଯିବ।

ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ଡ. ବଂଶୀଧର ପଣ୍ଡା ଏବଂ ସ୍ୱର୍ଗତ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଶାରଳା ପୁରସ୍କାର’ ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ୍‌ ମେଟାଲସ୍ ଆଣ୍ଡ୍ ପବ୍ଲିକ ଚାରିଟେବଲ୍ ଟ୍ରଷ୍ଟ୍ (ଇମ୍ପାକ୍ଟ୍‌) ଆନୁକୂଲ୍ୟରେ ୧୯୮୦ ମସିହାରୁ ପ୍ରତିବର୍ଷ ପ୍ରଦାନ କରାଯାଉଛି। ଇମ୍ପାକ୍ଟ୍‌ର ଅନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟ ହେଲା ‘ଏକଲବ୍ୟ ପୁରସ୍କାର’, ଯାହାକି ପ୍ରତିବର୍ଷ ଓଡ଼ିଶାର ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ କ୍ରୀଡ଼ା‌ କ୍ଷେତ୍ରରେ ଉତ୍କର୍ଷ ନିମନ୍ତେ ପ୍ରୋତ୍ସାହନ ସ୍ୱରୂପ ପ୍ରଦାନ କରାଯାଇଥାଏ।

ସମ୍ବନ୍ଧିତ ଖବର