କଟକ : ଏ ମାଟିର ପ୍ରତ୍ୟେକ କନ୍ୟା ମହୀୟସୀ। ଭାରତୀୟ ସଂସ୍କୃତିରେ ନାରୀମାନଙ୍କୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି। ଆମ ଦେଶରେ କନ୍ୟା ଜନ୍ମ ହୁଅନ୍ତି ନାହିଁ, ସେମାନେ ମା’ର ଅବତାର ବୋଲି ବିଚାର କରାଯାଏ। ମା’ ଓ ମାତୃଭୂମି ସ୍ୱର୍ଗଠାରୁ ବଡ଼। ମା’ର ସେବା ଓ ପୂଜା କଲେ ଅବିଶ୍ୱସନୀୟ ଫଳପ୍ରାପ୍ତି ହୋଇଥାଏ। ଏପରି କହିଛନ୍ତିି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ସରଳା ଦେବୀ ସ୍ମୃତି ସଂସଦ ପକ୍ଷରୁ ସାରଳା ଭବନରେ ଆୟୋଜିତ ସରଳା ଦେବୀ ସ୍ମୃତିସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ୍ କହିଲେ ଯେ, ଅହଲ୍ୟା ବାଈ, ଗାର୍ଗୀ ଓ ମୈତ୍ରୀଙ୍କ ଭଳି ସଂଗ୍ରାମୀ ସରଳା ଦେବୀ ଅନ୍ୟତମ ଶ୍ରେଷ୍ଠ ନାରୀ ପ୍ରତିଭା। ସ୍ୱାଧୀନତା ସଂଗ୍ରାମରୁ ଆରମ୍ଭ କରି ସମାଜସେବା, ସାରସ୍ୱତ ସାଧନା ଆଦି ବିଭିନ୍ନ କ୍ଷେତ୍ରରେ ସମାଜ ପ୍ରତି ତାଙ୍କ ଅବଦାନ ତାଙ୍କୁ ସ୍ମରଣୀୟ କରିବ ବୋଲି ରାଜ୍ୟପାଳ ପ୍ରଫେସର ଲାଲ୍ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲ୍ ବିଶିଷ୍ଟ ଲେଖିକା ତଥା ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କୁ ଚଳିତବର୍ଷର ମର୍ଯ୍ୟାଦାଜନକ ‘ସରଳା ଦେବୀ ସ୍ମୃତି ସମ୍ମାନ’ ପ୍ରଦାନ କରିଥିଲେ। ଉତ୍ସବରେ ରାଜ୍ୟପାଳ ପ୍ରଫେସର ଲାଲ୍ ‘ସରଳା ଦେବୀ ରଚନାବଳୀ’ ଗ୍ରନ୍ଥ ଉନ୍ମୋଚନ କରିଥିଲେ। ‘ସରଳା ଦେବୀ ରଚନାବଳୀ’ ଗ୍ରନ୍ଥକୁ ସଂପାଦନା କରିଥିବା ଡକ୍ଟର ଭୋଳାନାଥ ରାଉତଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜ୍ଞାନପୀଠ ବିଜୟିନୀ ପଦ୍ମଶ୍ରୀ ପ୍ରତିଭା ରାୟ ସରଳା ଦେବୀଙ୍କୁ ସ୍ୱାଧୀନତା ସଂଗ୍ରାମ, ରାଜନୀତି, ସମାଜସେବା, ସରସ୍ୱତ ସାଧନା ଆଦି କ୍ଷେତ୍ରରେ ପ୍ରଥମ ତଥା ଶ୍ରେଷ୍ଠ ନାରୀ ବୋଲି ବର୍ଣ୍ଣନା କରିଥିଲେ। ଅନ୍ୟତମ ଅତିଥି ଭାବେ ପଦ୍ମବିଭୂଷଣ ଡକ୍ଟର ସୀତାକାନ୍ତ ମହାପାତ୍ର, ଅଧ୍ୟାପକ ବିଶ୍ୱରଞ୍ଜନ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଗାଳ୍ପିକ ବିଜୟ କୁମାର ନାୟକ ସରଳା ଦେବୀଙ୍କୁ ଅଦ୍ୱିତୀୟ ନାରୀ ଭାବେ ବର୍ଣ୍ଣନା କରିଥିଲେ। ଉତ୍ସବରେ ଅଧ୍ୟକ୍ଷତା କରି ସରଳା ଦେବୀ ସ୍ମୃତି ସଂସଦ ସଭାପତି ଇଞ୍ଜିନିୟର ପ୍ରଭାକର ସ୍ୱାଇଁ ସରଳା ଦେବୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ସ୍ମୃତିରକ୍ଷା ପାଇଁ ତାଙ୍କ ଜନ୍ମଭୂମି ଜଗତସିଂପୁରରେ ବା କର୍ମଭୂମି କଟକରେ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲେ। ସଂସଦର ସଂପାଦକ ଲକ୍ଷ୍ମୀପ୍ରକାଶ ମହାପାତ୍ର ବିବରଣୀ ପାଠ କରିଥିବା ବେଳେ ସଂସଦର ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ବର୍ଦ୍ଧିତ ପ୍ରତିଭାଙ୍କ ଉଦ୍ଦେଶ୍ୟରେ ଦୀପ୍ତି ଦାଶ ମାନପତ୍ର ପାଠ କରିଥିଲେ। ସଂସଦର କାର୍ଯ୍ୟକାରୀ ସଭାପତି ଗାଳ୍ପିକା ରୁମ୍ଝୁମ୍ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ମହେନ୍ଦ୍ର କୁମାର ଆଚାର୍ଯ୍ୟ, ନିରଞ୍ଜନ ବିଶ୍ୱାଳ, କବିତା ମହାପାତ୍ର, ସସ୍ମିତା ବହିଦାର, ସୁଦିପା ମହାପାତ୍ର, ଦେବୀପ୍ରସନ୍ନ ମହାପାତ୍ର, ବିଭୂପ୍ରସାଦ ରାଉତ, ଭାରତୀ ଦାସ, ଅମରେନ୍ଦ୍ର ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।