ଅସ୍ତିତ୍ବ ହରାଉଛି ସାରନଗରୀ

୯୦୦ କୋଟିରୁ ଖର୍ଚ୍ଚ ହେଲାନି ଟଙ୍କାଟିଏ, ଭୁଲିଗଲେ ଜିଲ୍ଲା ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ

ରାଉରକେଲା : ସହରର ବିକାଶରେ ଖର୍ଚ୍ଚ ହେଲା ୯୦୦ କୋଟିରୁ ଅଧିକ। ଚକାଚକ୍‌ ହେଲା ରାଉରକେଲା। ହେଲେ ଟଙ୍କାଟିଏ ସାରନଗରୀ ବିକାଶରେ ଖର୍ଚ୍ଚ ହେଲାନି। ୭୦ରୁ ଅଧିକ ଛୋଟ ବଡ଼ ପ୍ରକଳ୍ପରେ ପାଣି ‌ବୋହିଲା ପରି ଟଙ୍କା ଖର୍ଚ୍ଚ ହେଲା। ସାରନଗରୀର ବିକାଶ ପାଇଁ କିନ୍ତୁ ଇଟା ଖଣ୍ଡିଏ ବି ପଡ଼ିଲାନି। କେବଳ ସ୍ମାର୍ଟସିଟି ପାଣ୍ଠି ନୁହେଁ ସହରର ବିକାଶ ପାଇଁ ପୂର୍ବରୁ ମିଳିଥିବା କେନ୍ଦ୍ର ଓ ରାଜ୍ୟ ପାଣ୍ଠିରୁ ମଧ୍ୟ ଟଙ୍କାଟିଏ ଖର୍ଚ୍ଚ ହେଉନି। ସହର ବିକାଶୁ ଯେମିତି ଭୁଲିଯାଇଛନ୍ତି ନିର୍ବାଚିତ ଜିଲ୍ଲା ପ୍ରତିନିଧି ଓ ସ୍ଥାନୀୟ ପ୍ରଶାସନ। ଏସବୁ କାରଣରୁ ଏବେ ଅସ୍ତିତ୍ବ ହରାଇବାକୁ ବସିଛି ରାଉରକେଲାକୁ ଲାଗିଥିବା ସର୍ବପୁରାତନ ସହର ସାରନଗରୀ। ହଜି ଯାଉଛି ଚମକ। ବର୍ଷ ବର୍ଷ ଧରି ଅବହେଳାର ଶିକାର ହୋଇ ଆସୁଥିବା ସାରନଗରୀବାସୀ ସ୍ମାର୍ଟସିଟି ପ୍ରକଳ୍ପରେ ସ୍ଥାନ ପାଇବ ବୋଲି ଆଶା କରିଥିଲେ। ତାହା ଏବେ ମଉଳି ଯାଇଛି।

ସହରର ଏଭଳି ସ୍ଥିତି ପାଇଁ ଆର୍‌ଏସ୍‌ପି କର୍ତ୍ତୃପକ୍ଷ, ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରତିନିଧିଙ୍କ ପାରିବାପଣିଆକୁ ସ୍ଥାନୀୟ ବାସିନ୍ଦା ଦାୟୀ କରିଛନ୍ତି। ସେପଟେ ସହରର ବିକାଶ ପାଇଁ ବିଭିନ୍ନ ରାଜନୈତିକ ଦଳ ଓ ସହରର ବିଭିନ୍ନ ସାମାଜିକ ସଙ୍ଗଠନ ଅନେକବାର ଧାରଣା, ବିକ୍ଷୋଭ ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଧାନସଭାରେ ଏ ସଂକ୍ରାନ୍ତରେ ଅନେକଥର ପ୍ରଶ୍ନ କରାଯାଇଛି। ଏହା ସତ୍ବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଉଲ୍ଲେଖଯୋଗ୍ୟ,୧୯୫୬ରେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପ୍ରତିଷ୍ଠା ହୋଇଥିଲା। ପରେ ପରେ ସେକ୍ଟର-୨୨ରେ ସାର କାରଖାନା ଗଢ଼ି ଉଠିଥିଲା। ୧୯୬୧ରେ ଏହା ଫର୍ଟିଲାଇଜର କର୍ପୋରେସନ୍ଅଫ୍ଇଣ୍ଡିଆ (ଏଫ୍‌ସିଆଇ) ଅଧୀନରେ ରହିଥିଲା। ତେବେ ୧୯୬୪ରେ ସାର କାରଖାନା ଆର୍‌ଏସ୍‌ପି ଅଧୀନକୁ ଆସିଥିଲା। ସାର କାରଖାନାରେ ନାଇଟ୍ରୋଜେନ୍‌, ଫସ୍‌ଫରସ ଓ କ୍ୟାଲସିୟମ ଗ୍ୟାସ ଉତ୍ପାଦନ ହୋଇ ଭାରତର ବିଭିନ୍ନ ସ୍ଥାନକୁ ରପ୍ତାନି ହେଉଥିଲା। ତେବେ ସାରର ଅଭାବ, ଯାନ୍ତ୍ରିକ ତ୍ରୁଟି, ଉପଯୁକ୍ତ ରକ୍ଷଣବେକ୍ଷଣର ଅଭାବରୁ ୨୦୦୦ରେ କାରଖାନାଟି ସବୁଦିନ ପାଇଁ ବନ୍ଦ ହୋଇଯାଇଥିଲା।

କାରଖାନା ଚାଲୁଥିବାବେଳେ କର୍ମଚାରୀଙ୍କ ରହିବା ପାଇଁ ନିର୍ମାଣ ହୋଇଥିଲା ୮୦୦ କ୍ବାର୍ଟର୍ସ। ଏବେ ଅଧାରୁ ଅଧିକ କ୍ବାର୍ଟର୍ସ ଖତ ଖାଉଛି। ମରାମତି ଅଭାବରୁ ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ରକ୍ଷଣାବେକ୍ଷଣ ଅଭାବରୁ ଗତ ପ୍ରାୟ ୭ ବର୍ଷ ହେବ ଇସ୍ପାତ ଓଡ଼ିଆ ମାଧ୍ୟମ ସ୍କୁଲରେ ତାଲା ଝୁଲୁଛି। ସହରର ଆକର୍ଷଣ କେନ୍ଦ୍ରବିନ୍ଦୁ ସାଜିଥିବା ସୋନା ଉଦ୍ୟାନ ଏବେ ବଣଜଙ୍ଗଲରେ ପରିପୂର୍ଣ୍ଣ। ରାଉରକେଲା ସହର ପରି ସାରନଗରୀରେ ବିଭିନ୍ନ ଭାଷା ଓ ସମ୍ପ୍ରଦାୟର ଲୋକେ ବାସ କରୁଥିଲେ। ସାରନଗରୀ କମ୍ପ୍ୟୁନିଟି ସେଣ୍ଟରରେ ଆୟାପ୍ପା ପୂଜା, ଖ୍ରୀଷ୍ଟମାସ ଓ ଲୋହରି ପର୍ବ ଧୂମଧାମରେ ପାଳନ ହେଉଥିଲା। ଏବେ ନା ସେ ପର୍ବ ପାଳନ ଦେଖିବାକୁ ମିଳୁଛି, ନା ସେହି ବ୍ୟକ୍ତିମାନଙ୍କୁ। ରାଉରକେଲା ସହରର ସୌନ୍ଦର୍ଯ୍ୟକୁ ଯେତିକି ଗୁରୁତ୍ବ ଦିଆଯାଉଛି, ସେହି ଅନୁଯାୟୀ ସାରନଗରୀର ବିକାଶକୁ ପ୍ରାଥମିକତା ଦିଆଯିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର