ମଳୟରଞ୍ଜନ ସାହୁ
ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲ। ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଅଧୀନ ଏହି ଘଞ୍ଚଜଙ୍ଗଲ ୮୨୦ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଓଡ଼ିଶାର କେନ୍ଦୁଝର, ସୁନ୍ଦରଗଡ଼ର କିଛି ଅଞ୍ଚଳ ଆସୁଥିବା ଏହି ଜଙ୍ଗଲରେ ମାଓବାଦୀମାନେ ଘଟାଇଛନ୍ତି ସର୍ବାଧିକ ହିଂସା। ନକ୍ସଲ ସଙ୍ଗଠନର ନେତୃତ୍ବ ନେଉଛନ୍ତି ମିସ୍‌ରି ବେସ୍‌ରା, ଅନ୍‌ମୋଲ, ଅଜୟ ମାହାତୋଙ୍କ ପରି ଦୁର୍ଦ୍ଦାନ୍ତ ମାଓନେତା। ମାଓବାଦୀଙ୍କ ଆକ୍ରମଣରେ ସିଆର୍‌ପିଏଫ୍‌ ଯବାନ, ପୁଲିସ, ନିରୀହ ଲୋକଙ୍କ ସହ ବନ୍ୟଜନ୍ତୁଙ୍କ ଜୀବନ ଯାଉଛି। ୨୦୨୬ ସୁଦ୍ଧା ମାଓମୁକ୍ତ ଭାରତ ଗଠନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିବା ପରେ ସରଣ୍ଡାରେ ଓଡ଼ିଶା, ଝାଡ଼ଖଣ୍ଡ ପୁଲିସ ସହ ସିଆର୍‌ପିଏଫ୍‌, ଡିଭିଏଫ୍‌, ଏସ୍‌ଓଜି, ଝାଡ଼ଖଣ୍ଡ ଜାଗୁଆର ପକ୍ଷରୁ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯାଇଛି। ଫଳରେ ରକ୍ତମୁଖା ହୋଇଛନ୍ତି ନକ୍ସଲ। ନିଜର ଉପସ୍ଥିତି ଜାହିର କରିବାକୁ ଯାଇ କେତେବେଳେ ଗାଡ଼ି, ମୋବାଇଲ ଟାୱାର ଜାଳି ଦେଉଛନ୍ତି ତ ଅନ୍ୟ କେତେବେଳେ ଆଇଇଡି ବିସ୍ଫୋରଣ କରି ନିରୀହ ଲୋକ, ଯବାନ, ପୁଲିସ ଓ ହାତୀ ଭଳି ବିରାଟକାୟ ଜନ୍ତୁଙ୍କ ପ୍ରାଣ ନେଉଛନ୍ତି। ବିସ୍ଫୋରକ ବୋଝେଇ ଟ୍ରକକୁ ବି ଛାଡ଼ିନାହାନ୍ତି ନକ୍ସଲ।

Advertisment

୯ ମାସରେ ୩୨ ନକ୍ସଲ ନିହତ
୨୬୬ ଗିରଫ, ୩୦ ଜଣଙ୍କ ଆତ୍ମସମର୍ପଣ
୧୫୭ ବନ୍ଧୁକ, ୧୮,୮୮୪ ଡେଟୋନେଟର୍‌ ଜବତ

ଗତ ୧୧ ତାରିଖରେ ଆଇଇଡି ବିସ୍ଫୋରଣରେ ସିଆର୍‌ପିଏଫ୍‌ର ହେଡ୍‌ କନେଷ୍ଟବଳ ମହେନ୍ଦ୍ର ଲସ୍କର ସହିଦ ହୋଇଥିଲେ। ଇନ୍ସପେକ୍ଟର କୌଶଳ କୁମାର ମିଶ୍ରା ଓ ଏଏସ୍‌ଆଇ ରାମଚନ୍ଦ୍ର ଗାଗରାଇ ଗୁରୁତର ହୋଇଥିଲେ। ଗତ ୯ ମାସରେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ, ଲାତେହାର ଓ ଗୁମ୍‌ଲା ଭଳି ମାଓ ଉପଦ୍ରୁତ ଅଞ୍ଚଳରେ ଯେତିକି ହିଂସା ଘଟିଛି, ତା’ର ପ୍ରାୟ ୬୦% କେବଳ ସରଣ୍ଡାରେ ଘଟିଛି। ସୁରକ୍ଷିତ ସ୍ଥାନ ହୋଇଥିବାରୁ ମାଓବାଦୀମାନେ ହିଂସା ଘଟାଇ ସହଜରେ ଫେରାର ହୋଇଯାଉଛନ୍ତି। ସୂଚନା ଅନୁଯାୟୀ, ଜାନୁଆରି-ସେପ୍ଟେମ୍ବର ୨୦୨୫ (୯ ମାସ) ମଧ୍ୟରେ ମିଳିତ ଅପରେସନ୍‌ରେ ୨୬୬ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗୁଳି ବିନିମୟରେ ୩୨ ମାଓବାଦୀ ନିହତ ହୋଇଥିବାବେଳେ ୩୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ଆଞ୍ଚଳିକ ସଦସ୍ୟ, ଜୋନାଲ୍‌ କମାଣ୍ଡର, ସବ୍‌ ‌ଜୋନାଲ୍‌ କମାଣ୍ଡର ଓ ଏରିଆ କମାଣ୍ଡର। ଦୁଇ କେନ୍ଦ୍ରୀୟ କମିଟି ସଦସ୍ୟ ବିବେକ ଓରଫ ପ୍ରୟାଗ ମାଞ୍ଜି, ଅନୁଜ ଓରଫ୍‌ ସହଦେବ ସୋରେନ୍‌ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଯାହାଙ୍କ ମୁଣ୍ଡ ଉପରେ ୧ କୋଟି ଲେଖାଏଁ ପୁରସ୍କାର ରାଶି ରଖାଯାଇଥିଲା। ସେହିପରି ଜୋନାଲ୍‌ କମାଣ୍ଡର ରବୀନ୍ଦ୍ର ଯାଦବ, ସବ୍‌ ଜୋନାଲ୍‌ କମାଣ୍ଡର ଆନନ୍ଦ ସିଂହ, ଲଭଲେଶ୍‌ ଗଞ୍ଜୁ ଓରଫ୍‌ ଲୋକେଶ ଗଞ୍ଜୁ ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ଯାହାଙ୍କ ନାଁରେ ବହୁ ହିଂସାକାଣ୍ଡ ମାମଲା ରହିଛି। ପୁଲିସ ଓ ଯବାନଙ୍କଠୁ ଲୁଟ୍‌ କରିଥିବା ୮୫ଟି ଅସ୍ତ୍ରଶସ୍ତ୍ର ସମେତ ୧୫୭ଟି ବନ୍ଧୁକ, ୧୧,୯୫୦ଟି କ୍ୟାଟ୍ରିଜ୍‌, ୧୮,୮୮୪ଟି ଡେଟୋନେଟର, ୩୯୪.୫ କିଲୋ ବିସ୍ଫୋରକ, ୨୨୮ଟି ଏକ୍ସପ୍ଲୋସିଭ୍ ଡିଭାଇସ୍‌ ଜବତ କରାଯାଇଛି। କେବଳ ସେତିକି ନୁହେଁ, ସରଣ୍ଡା ଜଙ୍ଗଲ ସମେତ ଅନ୍ୟ ସ୍ଥାନରେ ୨୭ଟି ମାଓ ବଙ୍କରକୁ ଧ୍ବସ୍ତ କରାଯାଇଛି। ମାଓବାଦୀମାନେ ବ୍ୟବହାର କରୁଥିବା ୧୨୮ଟି ମୋବାଇଲ, ୧୬୬ଟି ସିମ୍‌ କାର୍ଡ, ୬୦ଟି ଏଟିଏମ୍‌ କାର୍ଡ, ଦୁଇଟି ଲାପ୍‌ଟପ୍, ୧୫ ପାସ୍‌ବୁକ୍‌, ୧୧ଟି ଚେକ୍‌ ବୁକ୍‌ ମଧ୍ୟ ଜବତ କରାଯାଇଛି।